ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ । ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ ହୋଇଛି । ଆଜି ଭୋର୍ ସାଢେ ୩ଟାରେ ସେ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଜେଡିରୁ ବିଧାୟକ ରହିଥିଲେ ଏହି ବରିଷ୍ଠ ରାଜନେତା ।
ଅଧିକ ପଢ଼ନ୍ତୁ: ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା-ଜୟନାରାୟଣ ମିଶ୍ର
ଅନନ୍ତ ଦାସ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ୪ ଥର ବିଜୁ ଜନତା ଦଳରୁ ବିଧାୟକ ଥିଲେ । ୨୦୧୪ରେ ନବୀନ ସରକାରରେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିବାବେଳେ ଆଜି ଭୁବନେଶ୍ବର ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି । ତାଙ୍କର ବିୟୋଗ ଖବର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଅନନ୍ତ ଦାସ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ଭାବରେ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ୪ ଥର ବିଜେଡିରୁ ବିଧାୟକ ହୋଇଥିଲେ ଅନନ୍ତ । ପାଠ ପଢା ଶେଷ ହେବା ପରେ ସେ ଭଦ୍ରକରେ ଏଡିଏମ୍ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ ।
ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସ୍ୱର୍ଗତ ଦାସ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପ୍ରଶାସକ ଥିଲେ । ରାଜ୍ୟ ଓ ବାଲେଶ୍ୱରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି । ରାଜ୍ୟ ଜଣେ ଅମାୟିକ ଜନ ସେବକଙ୍କୁ ହରାଇଲା । ଅମର ଆତ୍ମାର ସଦ୍ଗତି କାମନା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।