• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍

  • ଯାଗା ଯାଗାରେ ଯାଞ୍ଚ୍ ଆଉ କଡ଼ା ପଇଁତରା ମାରୁଛନ୍ତି ସୁରକ୍ଷା ବାହିନୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର କାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ପ୍ରଥମ ୪ଟି ପର୍ଯ୍ୟାୟରେ ହିଂସା, ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାର ଏକାଧିକ ଦୃଶ୍ୟ ସାମ୍ନାକୁ ଆସିବା ପରେ ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଲ୍ଲେଖନୀୟ କଥା ହେଲା, ଆସନ୍ତାକାଲି ନିର୍ବାଚନ ହେଉଥିବା ଅଞ୍ଚଳ ମଧ୍ୟରେ ରହିଛି ମାଲକାନଗିରି ଚିତ୍ରକୋଣ୍ଡାର ମାଓ ଅଧ୍ୟୁଷିତ ୨ଟି ପଞ୍ଚାୟତ, ଯେଉଁଠି ଆଜିକୁ ୧୦ ବର୍ଷ ହେବ ଆଦୌ ନିର୍ବାଚନ ହୋଇନଥିଲା ।

ରାତି ପାହିଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦେବାକୁ ଇଏ ହେଉଛି ଶେଷ ପ୍ରସ୍ତୁତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ଆଜିକୁ ପ୍ରାୟ ୧୦ ବର୍ଷ ଧରି ଆଦୌ ନିର୍ବାଚନ ହୋଇନଥିବା ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଓ ଅଣ୍ଡରାପଲ୍ଲୀ ପଞ୍ଚାୟତରେ ଭୋଟ୍ ଲାଗି ଏଥର ଅଣ୍ଟା ଭିଡ଼ିଛି ପ୍ରଶାସନ। ଏଥିପାଇଁ ସ୍ପିଲ ୱେ ଘାଟରେ ଆଜି ସକାଳୁ ପୋଲିଂ କର୍ମଚାରୀଙ୍କ ଭିଡ଼ ଲାଗିଥିଲା । ଏଇଠାରୁ ପ୍ରାୟ ୬୦ କିଲୋମିଟର ଦୂର ଜଳଯାତ୍ରା କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ । ମାଓ ଚ୍ୟାଲେଞ୍ଜ୍ ସତ୍ତ୍ୱେ ଲାଲଗଡ଼ରେ ଯେଭଳି ଶାନ୍ତି ଶୃଙ୍ଖଳା ଓ ସୁରୁଖୁରରେ ନିର୍ବାଚନ ହେବ, ସମସ୍ତଙ୍କ ମନରେ ସେଇ ଆଶା ।

ଅପହଞ୍ଚ ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଦବଦବା ସତ୍ତ୍ୱେ, ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ କରିବାକୁ ପୂର୍ଣ୍ଣ ଭରଷା ଦେଇଛନ୍ତି ସୁରକ୍ଷା ବାହିନୀ । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଯାଗା ଯାଗାରେ ଯାଞ୍ଚ୍ ଆଉ କଡ଼ା ପଇଁତରା ମାରୁଛନ୍ତି ସୁରକ୍ଷା ବାହିନୀ । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ତିତ ଓ ଏସ୍ପି ନିଜେ ବୁଥରୁ ବୁଥ ବୁଲି ସୁରକ୍ଷା ବ୍ୟବସ୍ଥାର ତର୍ଜମା କରିଛନ୍ତି ।

ମାଓ ଅଧ୍ୟୁଷିତ କୋରାପୁଟର ବୈପାରୀଗୁଡ଼ା ଓ ଲମତାପୁଟ ବ୍ଲକରେ ବି ଶେଷ ପର୍ଯ୍ୟାୟରେ ପଡୁଛି ଭୋଟ୍ । ଏଥିପାଇଁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ଏ ଦୁଇ ଜିଲ୍ଲାର କିଛି କିଛି ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ଏବଂ ଅନ୍ୟଟି ସରକାରୀ ଛାତ ଅଭାବ ଏବଂ ଲୋକଙ୍କ ସୁବିଧା ଦୃଷ୍ଟିରୁ ଟେଣ୍ଟ୍ ମାରି ଅସ୍ଥାୟୀ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

କାଲି ଶେଷ ପର୍ୟ୍ୟାୟରେ ୨୫ଟି ଜିଲ୍ଲାର ୧୩୧ଟି ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅନ୍ତର୍ଗତ ୯୭୫ ପଞ୍ଚାୟତରେ ମତଦାନ କରାଯିବ। ଏପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ସାନି ମତଦାନ ହୋଇଛି । ଭୋଟ୍‌ ଗ୍ରହଣ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା ।

ଗତକାଲି ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରେକର୍ଡ ୭୯% ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୬.୫୧% ଓ ଗଂଜାମ ଜିଲ୍ଲାରେ ସବୁଠୁ କମ୍ ୬୫.୨% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।