• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବନ୍ଧା ହେଲେ ଠକ ଡାକ୍ତରଙ୍କ ଭଉଣୀ

  • ବିବାହ ନାଁରେ ମହିଳାଙ୍କୁ ଲୁଟ୍‌ର ଖେଳ ଖତମ୍

ଗୁମର ଫିଟୁଛି ନକଲି ରୋମିଓ ଡାକ୍ତରଙ୍କ ଅସଲ ଚେହେରା । ୧୮ ବାହାଘରର ସାକ୍ଷୀ ଓ ଠକେଇରେ ସଂପୃକ୍ତ ରମେଶ ସ୍ୱାଇଁଙ୍କ କ୍ରାଇମପାର୍ଟନର ଥିବା ଭଉଣୀ ଏବେ ସତ ଉଗାରୁଛନ୍ତି ଭାଇ ବିରୋଧରେ । ତେଣୁ ଆହୁରି ଗୁପ୍ତ ରହସ୍ୟ ଥିବା ଆଶାରେ ଭଉଣୀ ରଶ୍ମିତାଙ୍କୁ ଗିରଫ କରିଛି ପୋଲିସ । ତାସହ ଭାଇ ଭଉଣୀଙ୍କୁ ରିମାଣ୍ଡରେ ନେବା ପାଇଁ ଯୋଜନା ରଖିଛି । ଏସବୁ ଭିତରେ ରସିକିଆ ରମେଶଙ୍କ ନକଲି ଡାକ୍ତରୀ ବେପାରର ଫିଟିଛି ଗୁମର । ଢେଙ୍କାନାଳରେ ଠାବ ହୋଇଛି ରହସ୍ୟଜନକ ଗୁପ୍ତ ସୁଡ଼ଙ୍ଗ ଥିବା ଏକ ଘର, ଯେଉଁ ଘର ସାଜିଥିଲା ମାଟ୍ରିକ ଫେଲ୍ ରମେଶଙ୍କ ପ୍ରୟୋଗଶାଳା । ତେବେ କେମିତି, ଦେଖନ୍ତୁ...

ବନ୍ଧା ହେଲେ ଠକ ଡାକ୍ତରଙ୍କ ଭଉଣୀ । ଗିରଫ ହେଲେ ୧୮ ଭାଉଜଙ୍କ ଅଳିଅଳି ନଣନ୍ଦ । ଯିଏ ଭାଇର କ୍ରାଇମପାର୍ଟନର ସାଜି ଚଳାଉଥିଲେ ଠକଭଣ୍ଡର କଳା ବେପାର । ହେଲେ ଏବେ ବିବାହ ନାଁରେ ମହିଳାଙ୍କୁ ଲୁଟ୍‌ର ଖେଳ ଖତମ୍ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ କହିବାନୁଯାୟୀ, ରଶ୍ମିତା ଭାଇର କ୍ରାଇମ କନେକ୍ସନରେ ଥିଲେ ମୁଖ୍ୟ ପୁରୋଧା । ଟଙ୍କା, ସୁନା, ଧନ ସମ୍ପତ୍ତି ଲୁଟିବା ଚକ୍କରରେ ଏକାଧିକ ମହିଳାଙ୍କୁ ବିବାହ ଷଡ଼ଯନ୍ତ୍ରରେ ସଂଶ୍ଲିଷ୍ଟ ଥିଲେ ।

ଭାଇଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଡାକ୍ତର ବୋଲି ଦର୍ଶାଇ ମହିଳାଙ୍କୁ ପରିଚିତ କରାଉଥିଲେ । ଅଭିଯୁକ୍ତ ରମେଶ ସ୍ୱାଇଁଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ଯାହାର ଅନେକ ପ୍ରମାଣ ମିଳିଥିବା କହିଛନ୍ତି ଡିସିପି । ତେଣୁ ରମେଶ ଓ ତାଙ୍କ ଭଉଣୀଙ୍କୁ ରିମାଣ୍ଡରେ ନେବା ପରେ ଆହୁରି ଅନେକ ଗୁପ୍ତ ରହସ୍ୟର ଗୁମର ଖୋଲିବ ବୋଲି ଡିସିପି କହିଛନ୍ତି । ତାସହ ରମେଶଙ୍କ କ୍ରାଇମ ସିଣ୍ଡିକେଟ୍‌ରେ ଥିବା ଭିଣୋଇ ତଥା ରଶ୍ମିତାଙ୍କ ସ୍ୱାମୀ ଓ ଡ୍ରାଇଭରଙ୍କୁ ଖୋଜୁଛି ପୋଲିସ । ସେହିପରି ଗାଡ଼ି କିଣିବା ପାଇଁ ବି ଫେକ୍ ଡକ୍ୟୁମେଣ୍ଟ କାରବାରକୁ ମଧ୍ୟ ଧରିଛି ପୋଲିସ ।

ସେପଟେ ଆନ୍ଧ୍ର୍ରର ନର୍ସରୀ ବ୍ୟବସାୟୀ ଆଣିଥିବା ଅଭିଯୋଗର ଫିଟୁଛି ଗୁମର । ୪ ଲକ୍ଷ ଟଙ୍କାର ଚାରା ନେଇ ଧରାଛୁଆଁ ଦେଇନଥିବା ରମେଶଙ୍କର କଟକ ଖୁଣ୍ଟୁଣି ଥାନା ଖମାରନୂଆଗାଁର ଫାର୍ମ ହାଉସ ରହିଛି । ଅଭିଯୋଗ ହୋଇଛି ଯେ, ସଂପୃକ୍ତ ବ୍ୟବସାୟୀଙ୍କଠୁ ଯେଉଁ ଚାରି ଲକ୍ଷ ଟଙ୍କାର ଚାରା ଆଣିଥିଲେ ରମେଶ, ସେସବୁକୁ ଏହି ଫାର୍ମହାଉସରେ ଲଗାଇଛନ୍ତି । ୨୦୧୮ରେ ଏହି ଫାର୍ମ ହାଉସ୍ ଜମିକୁ ଅନ୍ୟତମ ପତ୍ନୀ କମଳା ସ୍ୱାଇଁଙ୍କ ନାଁରେ କିଣିଥିଲେ ରମେଶ । ସେହି ଜମିରେ ଏକ ୪ ମହଲା ଘର ବି ରହିଛି । ଏସବୁ ସ୍ଥାନରେ ଆଜି ଛାପା ମାରିଛି ପୋଲିସ । ତାସହ ପତ୍ନୀ କମଳାଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ଯୋଜନା ରଖିଛି ।

ମାଟ୍ରିକ ଫେଲ୍ ରମେଶଙ୍କ କଳାଧନ୍ଧାର ନିଇତି ଆସୁଛି ନୂଆ ନୂଆ ତଥ୍ୟ । ଢେଙ୍କାନାଳ କାମାକ୍ଷାନଗରର ଏକ୍ସରେ ସେଣ୍ଟରରେ ରହିଛି, ସେହି ବାସଭବନ ଭିତରେ ରହିଛି ଏକ ଗୁପ୍ତ ଭୂତଳ କୋଠରୀ । କୁହାଯାଉଛି ଯେ, ଏହି ଘରେ ସିଡ଼ି ପକାଇ ଭିତରକୁ ଯାଉଥିଲେ ରମେଶ । ଆଉ ସେଠାରେ ଚାଲିଥିଲା ତାଙ୍କର ଗୁପ୍ତ ଅପରେସନ । ତାଙ୍କ ଗ୍ୟାରେଜରେ ଏକ ପୁରୁଣା ବାଇକ ବି ପଡ଼ିରହିଛି । ଯାହାର ନମ୍ବରଟିକୁ ଜାଣିଶୁଣି ଲିଭାଇ ଦିଆଯାଇଛି । ତେବେ ଏକ୍ସରେ କେନ୍ଦ୍ରର ଦାୟିତ୍ୱରେ ଥିବା ନୃସିଂହ ରାଉତଙ୍କ କହିବା କଥା, ୧୯୯୦ରୁ ୨୦୧୦ ଯାଏଁ ଅନ୍ୟତମ ପତ୍ନୀ ଶାନ୍ତିଲତାଙ୍କ ସହ ଏହି ଘରେ ରହିଥିଲେ ରମେଶ । କିନ୍ତୁ କଣ ସବୁ କାରନାମା କରୁଥିଲେ ସେ ଜାଣିନାହାଁନ୍ତି ।

ଲୁଟ୍ ପାଇଁ ଏକାଧିକ ମହିଳାଙ୍କୁ ବିବାହ କରିଥିବା ରମେଶଙ୍କ ବିରୋଧରେ ୨୦୨୦, ଅଗଷ୍ଟରେ ବି ସମାନ ଅଭିଯୋଗ ଆସିଥିଲା । ମଧ୍ୟପ୍ରଦେଶ ଜବଲପୁରର ଜଣେ ମହିଳା ନିଜେ ଠକାମୀର ଶୀକାର ହୋଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ତତ୍କାଳୀନ ଥାନା ଅଧିକାରୀ ଏହାକୁ ଗୁରୁତ୍ୱ ଦେଇନଥିଲେ । ଏବେ ଏକାଧିକ ଅଭିଯୋଗ ପରେ ନକଲି ଡାକ୍ତରଙ୍କ ଫିଟୁଛି ଅସଲ ଚେହେରା ।

ରିପୋର୍ଟର- ଆଠଗଡ଼ରୁ ନୀଳକଣ୍ଠ ଦୋରା, କାମାକ୍ଷାନଗରରୁ ବିଦ୍ୟାଧର ବରାଳ ଏବଂ ଭୁବନେଶ୍ୱରରୁ ଆଲୋକ ମହାନ୍ତି