• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ୩୭ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ । ତେଣେ ଶାନ୍ତି ଆଲୋଚନା, ଏଣେ ଜାରି ରହିଛି ଆକ୍ରମଣ । ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବାରେ ଆଦୌ ହେଳା କରୁନାହାନ୍ତି । ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଆମର କାହା ଉପରେ ବିଶ୍ୱାସ ନାହିଁ । ଋଷ ଏପଟେ ସୈନ୍ୟ ପ୍ରତ୍ୟାହାର କଥା କହୁଛି, ସେପଟେ ଡୋନ୍ବାସ ଅଞ୍ଚଳରେ ନୂଆ ଯୁଦ୍ଧ ପାଇଁ ସୈନ୍ୟ ଠୁଳ କରୁଛି । ଆମେ ବି ଆମ ମାଟିର ସୁରକ୍ଷା ପାଇଁ ପ୍ରସ୍ତୁତ ଅଛୁ ।

ପୁଟିନଙ୍କ କଥା ଉପରେ ପାଉନି ଜେଲେନସ୍କିଙ୍କ ଭରସା । ଶାନ୍ତି ଚୁକ୍ତି ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ୟୁକ୍ରେନକୁ ପୁତିନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ, ଭରସା କରିପାରୁନାହାନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ପାରୁ ପର୍ଯ୍ୟନ୍ତ ଋଷ ସେନାର ମୁକାବିଲା କରୁଥିବା ୟୁକ୍ରେନ ସେନା, ସୁଯୋଗ ଦେଖି ପ୍ରତି-ଆକ୍ରମଣ କରିବାକୁ ଜମାବି ପଛାଉନି । ବେଲଗୋରୋଡରେ ଥିବା ଋଷୀୟ ଅସ୍ତ୍ରାଗାର ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ।

ଯୁଦ୍ଧ ଆରମ୍ଭ ଠାରୁ ଏହି ଅଞ୍ଚଳରେ ୟୁକ୍ରେନ ଦ୍ୱିତୀୟ ଥର ଆକ୍ରମଣ କରିଛି । ଗତ ସପ୍ତାହରେ ହୋଇଥିବା କ୍ଷୋପଣାସ୍ତ୍ର ମାଡ଼ରେ ୨ ଜଣ ଋଷୀ ସୈନ୍ୟ ଆହତ ହୋଇଥିଲେ । ତେବେ ଏଥର ୪ ସୈନ୍ୟ ଆହତ ହୋଇଛନ୍ତି ପୂର୍ବରୁ ଫେବ୍ରୁଆରୀ ମାସରେ ଋଷର ମିଲେରେଭ ଏୟାର ବେସ୍ ଉପରେ ୟୁକ୍ରେନ ପକ୍ଷରୁ ଆକ୍ରମଣ କରାଯାଇଥିଲା ।

ତେଣେ ଚର୍ଣ୍ଣିହିଭ୍ ସମେତ ଅନ୍ୟାନ୍ୟ ସହର ଉପରେ ଋଷର ରକେଟ ମାଡ଼ ଜାରି ରହିଛି । କିଭ୍ ସହରର ପୂର୍ବ ଓ ପଶ୍ଚିମାଞ୍ଚଳରେ ବି ଋଷ ସୈନ୍ୟ କବଜା ଜମାଇ ରହିଛନ୍ତି । ରାଜଧାନୀ ଉପକଣ୍ଠରେ ଜାରି ରହିଛି ମିଜାଇଲ୍ ଆଟାକ୍ । ବନ୍ଦର ସହର ମେରିଉପୋଲର ଅଧିକାଂଶ ଅଞ୍ଚଳରେ ଋଷ ସୈନ୍ୟଙ୍କ କବଜା ଥିଲେ ମଧ୍ୟ, ଏଠାରେ ଗ୍ରାଉଣ୍ଡ ଫାଇଟିଂ ଜାରି ରହିଛି ।

ଅନ୍ୟପକ୍ଷରେ ଋଷ ନିଜ ଷ୍ଟ୍ରାଟେଜି ବଦଳାଇବା ସହ ଡୋନବାସ୍ ଅଞ୍ଚଳ ଉପରେ ଫୋକସ୍ କରୁଛି । ଯୁଦ୍ଧ ୩୭ ଦିନରେ ପହଞ୍ଚିଥିବା ବେଳେ ଋଷୀୟ ସେନା ଭିତରେ ବିଦ୍ରୋହ ଦେଖାଦେଇଥିବା ବ୍ରିଟେନ୍ ଗୁଇନ୍ଦା ବିଭାଗ ମୁଖ୍ୟ ଦାବି କରିଛନ୍ତି । ହତୋତ୍ସାହିତ ଋଷ ସୈନ୍ୟ କମାଣ୍ଡରଙ୍କ ନିର୍ଦ୍ଦେଶ ମାନିବାକୁ ମନା କରିଦେବା ସହ, ନିଜ ଅସ୍ତ୍ରଶସ୍ତ୍ରକୁ ନିଜେ ନଷ୍ଟ କରିଦେଉଛନ୍ତି । ସେହିପରି ଋଷୀୟ ସୈନ୍ୟ ନିଜର ଏକ ଫାଇଟର ଜେଟକୁ ବି ଗୁଳିକରି ଖସାଇ ଦେଇଥିବା ବ୍ରିଟେନ୍ ଗୁଇନ୍ଦା ମୁଖ୍ୟ କହିଛନ୍ତି ।

ତେଣେ ଋଷିଆ ମିଲାଟାରୀ ଓ ପୁଟିନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଦାବି କରିଛନ୍ତି ଜଣେ ଉଚ୍ଚପଦସ୍ଥ ଆମେରିକୀୟ ଅଧିକାରୀ । ମାସାଧିକ କାଳ ଯୁଦ୍ଧରେ ଋଷିଆ ସେନାକୁ ବିପୁଳ କ୍ଷତି ସହିବାକୁ ପଡିଛି । ଆମେରିକା ଓ ୟୁରୋପୀୟ ଦେଶରୁ ପାଇଥିବା ଅସ୍ତ୍ରଶସ୍ତ୍ର ଜରିଆରେ ୟୁକ୍ରେନ ସେନା ବହୁ ସଂଖ୍ୟାରେ ଋଷୀୟ ଟ୍ୟାଙ୍କ, ଏୟାରକ୍ରାଫ୍ଟ, ଯୁଦ୍ଧ ବାହାନ ଓ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିଦେବାରେ ସଫଳ ହୋଇଛି । ସେହିପରି ବହୁ ଋଷ ସୈନ୍ୟ ବି ମୃତାହତ ହୋଇଛନ୍ତି ମାତ୍ର ଋଷ ସେନା ପୁତିନଙ୍କୁ ସଂପୂର୍ଣ୍ଣ ତଥ୍ୟ ଦେଉନଥିବାରୁ ସେ କ୍ଷୁବ୍ଧ ହୋଇଥିବା ଆମେରିକୀୟ ଅଧିକାରୀ କହିଛନ୍ତି ।

ତେଣେ କୃଷ୍ଣ ସାଗରରେ ଋଷିଆ ମାଇନ୍ସ ବିଛାଇଥିବା ୟୁକ୍ରେନ ଅଭିଯୋଗ କରିଛି । ତେବେ ଋଷୀୟ ଜାହାଜକୁ ଟାର୍ଗେଟ କରିବା ଲାଗି ଆମେରିକା ଓ ବ୍ରିଟେନ୍ ୟୁକ୍ରେନକୁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ବିଚାର କରୁଛନ୍ତି ।