• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋଟିକ ପରେ ଗୋଟିଏ ସହଯୋଗୀ ଦଳ ହାତ ଛାଡ଼ିବା ପରେ ଅସହାୟ ହୋଇ ପଡ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହେଲେ ପରାଜୟ ସୁନିଶ୍ଚିତ ବୋଲି ଜାଣିବା ପରେ, ବିରୋଧୀଙ୍କୁ ଲୋଭ ଦେଖାଇଛନ୍ତି । ସେମାନେ ଯଦି ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରିନିଅନ୍ତି, ତେବେ ଇମ୍ରାନ୍ ସଂସଦ ଭାଙ୍ଗି ନୂଆ ଭୋଟ୍ କରାଇବେ ବୋଲି କହିଛନ୍ତି ।

ସବୁବେଳେ ଟଳମଳ ହେଉଥାଏ ପାକିସ୍ତାନର ପିଏମ୍ ଆସନ ଆଜିଯାଏଁ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି ଜଣେ ବି ପ୍ରଧାନମନ୍ତ୍ରୀ । ସେନାର ଷଡ଼ଯନ୍ତ୍ରରେ ଚାରି ଚାରିଥର କ୍ଷମତା ହରାଇଛି ଲୋକଙ୍କ ନିର୍ବାଚିତ ସରକାର । ଏଥର ବି ଜାରି ରହିବ କି ପୁରୁଣା ଧାରା? ଇମ୍ରାନ୍ ସରକାରର ପତନ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଗତକାଲି ନ୍ୟାସନାଲ ଆସେମ୍ଲିରେ ଆଲୋଚନା ହୋଇଥିବା ବେଳେ, ଏପ୍ରିଲ ୩ ଯାଏଁ ଗୃହକୁ ମୁଲତବି ରଖାଯାଇଥିଲା ।

୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ବହୁମତ ସାବ୍ୟସ୍ତ ଲାଗି ଇମ୍ରାନଙ୍କୁ ଦରକାର ୧୭୨ ଭୋଟ୍ । ତେବେ PTIର ୧୫୫ ସାଂସଦ ଥିବା ବେଳେ, ଛୋଟ ଛୋଟ ୬ଟି ଦଳର ୨୩ ଭୋଟକୁ ନେଇ ତିଷ୍ଠିଥିଲା ଇମ୍ରାନ ସରକାର । ହେଲେ ଅନାସ୍ଥା ପ୍ରସ୍ତାବ ପରେ PTIର ଦୁଇ ଡଜନରୁ ଅଧିକ ସାଂସଦ ଖୋଲାଖୋଲି ବିଦ୍ରୋହ ଘୋଷଣା କରିବା ଏବଂ ରାଜ୍ୟ ଓ କେନ୍ଦ୍ରର ପ୍ରାୟ ୫୦ ମନ୍ତ୍ରୀ ଲୋକଲୋଚନରୁ ଗାୟବ ରହିବା ଇମ୍ରାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ଏଣେ ବାଲୁଚିସ୍ତାନ ଆଓ୍ୱାମୀ ପାର୍ଟି, MQM-P, ଜମୁରି ଓ୍ୱତନ୍ ପାର୍ଟି ଆଦି ସହଯୋଗୀ ଦଳ ଇମ୍ରାନଙ୍କ PTI ସହ ମେଣ୍ଟରୁ ଓହରିଯିବା ପରେ ଇମ୍ରାନଙ୍କୁ ଇସ୍ତଫା ଦେବାକୁ ଚାପ ପକାଉଛନ୍ତି ବିରୋଧୀ । ଅନ୍ୟପକ୍ଷରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରିନେଲେ ସଂସଦ ଭାଙ୍ଗି ନୂଆ ଭୋଟ୍ କରାଇବାକୁ ଇମ୍ରାନ ପ୍ରସ୍ତାବ ଦେଇଥିବା ଖବର ପ୍ରକାଶ ପାଇଛି ।