ଦିନେ ଧୂଳି ଧୂସର ହୋଇ, କଳା ଧୂଆଁ ଆକାଶ ତଳେସୁନେଲି ଭବିଷ୍ୟତକୁ ଜଳାଞ୍ଜଳି ଦେଉଥିଲେ ଏହି ପିଲାମାନେ। ସିଲଟ ଖଡ଼ିର ଅର୍ଥ ମଧ୍ୟ ଜାଣି ନଥିଲେ। ଇଟା ଭାଟିରେ ସତେ ଯେମିତି ପୋଡି ହୋଇଯାଉଥିଲା ସେମାନଙ୍କ ଭବିଷ୍ୟତ। ହେଲେ ଦେବଦୂତ ସାଜିଲେ ଗାନ୍ଧିବାଦୀ। ପିଲାଙ୍କ ଅନ୍ଧାର ଭବିଷ୍ୟତକୁ ଶିକ୍ଷାର ଆଲୋକରେ ଆଲୋକିତ କଲେ ।
Also Read
ବାଲେଶ୍ଵର ସହର ଉପକଣ୍ଠ ନହରପାଟଣାରେ ଥିବା ଇଟାଭାଟି ଅଞ୍ଚଳର ଘଟଣା। ଏଠାରେ ଦିନମଜୁରିଆ ଭାବେ କାମ କରନ୍ତି ୨୦୦ ରୁ ୩୦୦ ପରିବାର। ସମସ୍ତ ସରକାରୀ ସହାୟତାରୁ ଏମାନେ ବଞ୍ଚିତ। ସେମାନଙ୍କ ପିଲାଙ୍କ ଭବିଷ୍ୟତ ଯେପରି ନର୍କ ଭିତରେ ଆବଦ୍ଧ ଥିଲା। ଶିକ୍ଷା କ’ଣ ସେମାନେ ଜାଣି ନଥିଲେ। ସ୍କୁଲ ଯିବାପାଇଁ ରାଜପଥ ଡେଇଁ ଆରପଟ ଗାଁକୁ ଯିବାକୁ ପଡିବ। ସେଥିପାଇଁ ଡରରେ ପୀଢ଼ି ପୀଢ଼ି ଧରି ସ୍କୁଲ ମାଟି ମାଡିନଥିଲେ ଏମାନେ। ହେଲେ ଏମାନଙ୍କ ଉପରେ ଦୃଷ୍ଟି ପଡ଼ିଥିଲା ଗାନ୍ଧିବାଦୀଙ୍କର। ଫଳରେ କୁନି କୁନି ପିଲା ମାନଙ୍କ ଶିକ୍ଷାଦାନ ଆରମ୍ଭ ହେଲା ।
ଧୂଳି ଧୂସର ପରିବେଶରୁ ବାହାରି ଆଜି ଏମାନେ ଭଲ ପୋଷାକ ପିନ୍ଧି ସ୍କୁଲ ଯାଉଛନ୍ତି। ପୂର୍ବରୁ ଅଳ୍ପ ବୟସରେ ନିଶା ଗ୍ରସ୍ତ ହେଉଥିଲେ ଏ ଅଞ୍ଚଳର ପିଲା କିନ୍ତୁ ଏବେ ସେମାନେ ପାଠ ପଢିବେ ଆଉ ଚାକିରି କରିବେ। ଆଉ ଏଇ ଇଟା ଭାଟିରେ ଆବଦ୍ଧ ହୋଇ ରହିବନି ଏମାନଙ୍କ ଭବିଷ୍ୟତ। ଏସବୁ ସମ୍ଭବ ହୋଇ ପାରିଛି ବାଲେଶ୍ଵର ରେମୁଣା ଅଞ୍ଚଳର କିଛି ବରିଷ୍ଠ ଓ ଅବସର ପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା। ଗ୍ରାମ ପୁନର୍ଗଠନ ଟ୍ରଷ୍ଟର ସମସ୍ତ ବ୍ୟକ୍ତି ମାନେ ଏଠି ଏକ ଗାନ୍ଧୀ ଚାଟଶାଳା ଖୋଲି ପିଲାଙ୍କୁ ମୁକ୍ତ ଶିକ୍ଷା ଦେଉଛନ୍ତି। ପାଖା ପାଖି ୨୫ ରୁ ୩୦ ଜଣ ପିଲା ଏଠି ପଢୁଥିବା ବେଳେ ତାଙ୍କ ପାଇଁ ୟୁନିଫ୍ରମ ଓ ଖାଦ୍ୟର ମଧ୍ୟ ବ୍ୟବସ୍ଥା ରହିଛି। ଏ ଗାନ୍ଧୀ ଚାଟଶାଳୀ ଅବହେଳିତ ହୋଇ ପଡ଼ିଥିବା ପିଲାଙ୍କ ପାଇଁ ଆଣି ଦେଇଛି ନୂଆ ଏକ ଦୁନିଆ।