/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725510830.jpg)
Inspiring Teachers
ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି, ଉଚିତ୍ ମାର୍ଗଦର୍ଶନ କରନ୍ତି। କେବେ କଠୋର ଅନୁଶାସନ, କେବେ ଉତ୍ସାହପ୍ରଦ ପ୍ରେରଣା ଜଣେ ଛାତ୍ରକୁ ଆଗକୁ ବଢିବାକୁ ବାଟ ଦେଖାଏ। ଆଜି ଗୁରୁଦିବସ ଅବସରରେ ବାଲେଶ୍ବର ଏବଂ ବଡମ୍ବାରୁ ଦେଖିବା ଯୋଡିଏ କାହାଣୀ, ଯେଉଁଠି ଶିକ୍ଷାର ବିକାଶ ପାଇଁ ଗୁରୁ ନେଇଛନ୍ତି ବଳିଷ୍ଠ ପଦକ୍ଷେପ।
ଦିନେ ଧୂଳି ଧୂସର ହୋଇ କଳାଧୂଆଁର ଆକାଶ ତଳେ ସୁନେଲି ଭବିଷ୍ୟତକୁ ଜଳାଜଂଳି ଦେଉଥିଲେ । ବର୍ଣ୍ଣମାଳା ତ ଦୂରର କଥା, ସିଲଟ ଖଡି କଣ ବି ଜଣାନଥିଲା। ଆଉ ଜୀବନ, ନୁଆଁଣିଆ ଝୁଂପୁଡି ଘରୁ ଇଟା ଭାଟିରେ ହୋଇଯାଉଥିଲା ଶେଷ। ବାଲେଶ୍ବର ସହର ଉପକଣ୍ଠ ନହରପାଟଣା ନିକଟରେ ଗଢି ଉଠିଥିବା ମାଳମାଳ ଇଟାଭାଟି ଅଂଚଳର ଘଟଣା। ଏଠାରେ ଦିନ ମଜୁରିଆ ଭାବେ କାମ କରୁଥିବା ପ୍ରାୟ ୩ଶହ ପରିବାର ପାଇଁ ଦୁନିଆ କହିଲେ ଇଟା ଭାଟି। ଆଉ ସେମାନଙ୍କ ପିଲାଙ୍କ ପାଇଁ ସ୍କୁଲ ତ ଅନେକ ପଛକଥା। ତେବେ ରେମୁଣା ଅଂଚଳର କିଛି ଗ୍ରାମବାସୀଙ୍କ ଦ୍ବାରା ଗାନ୍ଧୀ ଚାଟଶାଳୀ ଖୋଲି ପିଲାମାନଙ୍କୁ ଦିଆଯାଉଛି ମୁକ୍ତ ଶିକ୍ଷା। ୨୫ରୁ ୩୦ ପିଲା ଏଠି ପାଠ ପଢୁଥିବାବେଳେ ପାଠ ମାଧ୍ୟମରେ ସେମାନଙ୍କୁ ମିଳୁଛି ନୂଆ ଦିଗଦର୍ଶନ। ଏଭଳି ନିଆରା ଉଦ୍ୟମକୁ ଚାରିଆଡୁ ମିଳୁଛି ପ୍ରଶଂସା।
ତେଣେ ଗୁରୁଦିବସ ଅବସରରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁଙ୍କ ଅବଦାନ। କଟକ ଜିଲ୍ଲା ବଡମ୍ବା ଗୋପପୁର ହାଇସ୍କୁଲର ଶିକ୍ଷକ ଅଶୋକ ଧଳ ସ୍କୁଲ ପରେ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଟ୍ୟୁସନରେ ପାଠ ପଢାଉଛନ୍ତି। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଆର୍ଥିକ ସ୍ତରରେ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସେ ମାଗଣାରେ ଟ୍ୟୁସନ ଦିଅନ୍ତି। ଯାହାଫଳରେ ସେମାନେ ଭଲ ପ୍ରଦର୍ଶନ କରିପାରିବେ। ନିଜର ସମାଜସେବା କାର୍ଯ୍ୟ ପାଇଁ ଅନେକ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଅଶୋକ ସାର୍।
ଶିକ୍ଷା, ଏଭଳି ଏକ ଦୀପ, ଯାହାକୁ ଯେତେ ଜଳାଇବେ, ସେତେ ଆଲୋକିତ ହେବ। ସେତେ ୠଦ୍ଧିମନ୍ତ ହେବ, ସେତେ ଜ୍ଞାନ ପ୍ରସାରିତ ହେବ। ଏଇଭଳି ମହାନ୍ ଗୁରୁଙ୍କୁ ଶତ ନମନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)