• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇତିହାସ ସାକ୍ଷୀ ଅଛି । ସେମାନେ ଯେତିକି ସ୍ୱତନ୍ତ୍ର, ସେତିକି ସମର୍ଥ । ଉଚିତ ସୁଯୋଗ ଓ ଶିକ୍ଷା ମିଳିଲେ ସେମାନେ ବି ବିଭିନ୍ନ କ୍ଷେତ୍ରରେ ଦେଖାଇପାରିବେ ନିଜର ଅସାଧାରଣ ଦକ୍ଷତା ଓ ସାମର୍ଥ୍ୟ । ଆମେ କହୁଛୁ ଅଟିଜିମ୍ ଲକ୍ଷଣଯୁକ୍ତ ବା ଅଟିଷ୍ଟିକ୍ ବ୍ୟକ୍ତିମାନଙ୍କ କଥା । ସେମାନଙ୍କର ସାମାଜିକ ଗ୍ରହଣୀୟତା ବୃଦ୍ଧି କରି, ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସଚେତନା ସୃଷ୍ଟି ପାଇଁ ଆଜି ପାଳିତ ହେଉଛି ବିଶ୍ୱ ଅଟିଜିମ୍ ସଚେତନତା ଦିବସ ।

ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ସାର୍ ଆଇଜାକ୍ ନ୍ୟୁଟନ୍, ପ୍ରଖ୍ୟାତ ଚିତ୍ରକର ପାବଲୋ ପିକାସୋ । ଶୈଶବରେ ଏମାନେ ଥିଲେ ଅଟିଜିମର ଶିକାର । ଖାଲି ଏମାନେ କାହିଁକି, ଚର୍ଚ୍ଚା ହୁଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟ୍ସଙ୍କ ଠାରେ ବି ଦେଖାଯାଏ ଅଟିଜିମର କିଛି କିଛି ଲକ୍ଷଣ । ଆଉ ଇଏ ହେଉଛନ୍ତି ରାଜସ୍ଥାନର ପ୍ରଥମ ଅଟିଷ୍ଟିକ୍ ଗ୍ରାଜୁଏଟ୍ ଅକ୍ଷୟ ଭଟନାଗର, ଯିଏକି ସଚିବାଳୟରେ ପାଇଛନ୍ତି ସରକାରୀ ଚାକିରି ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ କାହିଁକି ପାଳନ ହେଉଛି ବିଶ୍ୱ ଅଟିଜିମ୍ ସଚେତନତା ଦିବସ, କ’ଣ ଏହାର ଇତିହାସ...

କଥା ହେଉଛି, ଯେଉଁମାନଙ୍କୁ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର କହି ଅନେକ ନ୍ୟୁନ ଦୃଷ୍ଟିରେ ଦେଖନ୍ତି, ସେମାନଙ୍କ ଭିତରେ ବି ଲୁଚି ରହିଥାଏ ଅସାଧାରଣ ପ୍ରତିଭା । କେବଳ ଅପେକ୍ଷା ଥାଏ, ଉଚିତ ସମୟରେ ଉଚିତ ଦେଖାଶୁଣାର ଓ ସାମାଜିକ ଗ୍ରହଣୀୟତାର । ଏଦିଗରେ ସଚେତନା ସୃଷ୍ଟି ପାଇଁ ଆଜି ପାଳିତ ହେଉଛି, ବିଶ୍ୱ ଅଟିଜିମ୍ ସଚେତନତା ଦିବସ । ଏବର୍ଷର ଥିମ୍ ଅଟିଷ୍ଟିକ୍ ବ୍ୟକ୍ତିମାନଙ୍କର ଘରେ, କାର୍ଯ୍ୟକ୍ଷେତ୍ରରେ, କଳା ଓ ନୀତି ନିର୍ଦ୍ଧାରଣରେ ଅବଦାନ ଉପରେ ଆଧାରିତ।

କଣ ଏହି ଅଟିଜିମ୍ ? କଣ ଏହାର ଲକ୍ଷଣ ? କେମିତି ଜାଣିବେ ଶିଶୁଟିଏ ଅଟିଷ୍ଟିକ୍ ବୋଲି ? ଡାକ୍ତରଙ୍କ ମତରେ, ମସ୍ତିଷ୍କର ସ୍ନାୟୁ ଠିକ୍ ଭାବେ ବିକାଶ ହୋଇନପାରିଲେ, ମାନସିକ ସ୍ତରରେ ଦୁର୍ବଳ ହୋଇଯାଏ ଶିଶୁ । ପ୍ରାରମ୍ଭିକ ଶୈଶବରୁ ହିଁ ଦେଖାଦିଏ ବ୍ୟବହାରଗତ ପରିବର୍ତ୍ତନ। ଦକ୍ଷତା ଓ ପ୍ରତିଭା କଥା ଛାଡ଼ନ୍ତୁ, ବିନା ସହାୟତାରେ ନିଜ ଭାବନାକୁ ବି ପ୍ରକାଶ କରିବା ଏମାନଙ୍କ ପାଇଁ କାଠିକର ପାଠ ।

୬ରୁ ୮ ମାସର ଶିଶୁଠାରେ କୌଣସି ଶାରୀରିକ ବିକୃତି ଦେଖାଦେବା, କଥା କହିବା ଓ ବୁଝିବାରେ ବିଳମ୍ବ ହେବା, ପିଲା ନିଜ ଭାବନାକୁ ପରିପ୍ରକାଶ କରିନପାରିବା, ଅତ୍ୟଧିକ ପ୍ରତିକ୍ରିୟାଶୀଳ ହେବା, ଏକୁଟିଆ ରହିବାକୁ ପସନ୍ଦ କରିବା ଇତ୍ୟାଦି ଅଟିଜିମର କିଛି ସାଧାରଣ ଲକ୍ଷଣ । ଅଭିଭାବକମାନେ ଏସବୁ ଲକ୍ଷଣକୁ ଯେତେଶୀଘ୍ର ଚିହ୍ନଟ କରିବେ, ସେତେ ଭଲ ।

ଯଦିଓ ଅଟିଷ୍ଟିକ୍ ଶିଶୁ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାର ସମ୍ଭାବନା କମ୍, ତଥାପି ଶୈଶବାବସ୍ଥାରୁ ଉତ୍ତମ ପରିବେଶ, ଉଚିତ ଦେଖାଶୁଣା ଓ ଡାକ୍ତରୀ ଥେରାପି ଦ୍ୱାରା ତାର ସାମାଜିକ ଯୋଗାଯୋଗ ଓ ଅନ୍ତର୍ନିହିତ ଦକ୍ଷତା ଯଥେଷ୍ଟ ବିକଶିତ ହେବାର ସମ୍ଭାବନା ରହିଥାଏ ।

କଟକରୁ ପ୍ରଭାତ ବିଷୋୟୀ, ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, ଓଟିଭି ।