• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହାପ୍ରଭୁଙ୍କ ସେବାରେ ଶିଆଳି ଲତାର ବ୍ୟବହାର ଏକ ନିଆରା ପରମ୍ପରା । କାରଣ ଏହି ଜଙ୍ଗଲଜାତ ସାମଗ୍ରୀରେ ତିଆରି ହୁଏ ରଥ ଦଉଡ଼ି । କେନ୍ଦୁଝରର ପ୍ରସିଦ୍ଧ ନନ୍ଦିଘୋଷ ରଥକୁ ଏହି ଶିଆଳି ଲତାର ଦଉଡ଼ି ଦ୍ୱାରା ହିଁ ଟଣାଯାଏ । ଶିଆଳି ଲତାକୁ ଜଙ୍ଗଲରୁ ସଂଗ୍ରହ କରି ସେଥିରେ ଦଉଡ଼ି ତିଆରି କରିଥାନ୍ତି ଜୁଆଙ୍ଗ ଏବଂ ଭୂଆଁ ସଂପ୍ରଦାୟର ଲୋକେ । କେମିତି ପ୍ରସ୍ତୁତ ହୁଏ ଏହି ଦଉଡ଼ି, କଣ ରହିଛି ଏହାର ସ୍ୱତନ୍ତ୍ରତା, ଜାଣନ୍ତୁ..

ଘଞ୍ଚ ଜଙ୍ଗଲରେ ସନ୍ଧାନ..କାନ୍ଧରେ କୁରାଢ଼ି, ହାତରେ ବକ୍କଳ । ଇଏ ଖୋଜ୍ ଏମିତି ସେମିତି ନୁହେଁ । ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଖୋଜା ଚାଲିଛି ଶିଆଳି ଲତା । କେନ୍ଦୁଝର ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଘୁରି ବୁଲି ଏମିତି ଶିଆଳି ଲତା ଖୋଜନ୍ତି ସ୍ଥାନୀୟ ଭୂୟାଁ ସମ୍ପଦ୍ରାୟର ଲୋକେ । କାହିଁ କେଉଁ କାଳରୁ ଏଠାରେ ଏହି ପରମ୍ପରା ରହିଆସିଛି ।କେନ୍ଦୁଝରରେ ଅନୁଷ୍ଠିତ ହେଉଥିବା ବଳଦେବଜୀଉଙ୍କ ରଥଯାତ୍ରାରେ ରଥ ଟାଣିବା ପାଇଁ ବ୍ୟବହାର ହୁଏ ଶିଆଳି ଲତାରୁ ପ୍ରସ୍ତୁତ ଦଉଡ଼ି ।

ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଯାଏ ଶିଆଳି ଲତା ଖୋଜିବା କାମ । ଗନ୍ଧମାର୍ଦ୍ଦନ ଜଙ୍ଗଲରେ ବୁଲି ବୁଲି ଏହାକୁ ସଂଗ୍ରହ କରାଯାଏ । ଗଛ ଡାଳ କାଟି ବକ୍କଳ ବାହାର କରାଯାଏ ।ପରେ ସେସବୁକୁ ଭୂୟାଁମାନେ ନିଜ ଗାଁ ବାଂଶପାଳ ବ୍ଲକ ଦଅଁଳାକୁ ଆଣିଥାନ୍ତି । ସ୍ନାନପୂର୍ଣ୍ଣିମାରେ ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହୁଏ ଦଉଡ଼ି ତିଆରି କାର୍ଯ୍ୟ ।ତିନି ଠାକୁର ଗୋଟିଏ ରଥ ନନ୍ଦିଘୋଷରେ ମାଉସୀ ମାଆ ମନ୍ଦିରକୁ ଯାଆନ୍ତି । ରଥ ଟାଣିବା ପାଇଁ ୩ଟି ଦଉଡ଼ି ବ୍ୟବହାର ହୁଏ । ଗୋଟିଏ ଗୋଟିଏ ଦଉଡ଼ି ୧୫୦ ହାତ ଲମ୍ବ ଓ ୬ ଇଞ୍ଚ ମୋଟେଇର ହୋଇଥାଏ।

ଶିଆଳି ଲତା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କର ରହିଛି ନିବିଡ଼ ସମ୍ପର୍କ । ଶିଆଳି ଲତାରେ ଶୋଇଥିବା ବେଳେ ହିଁ ଜରା ଶବର ଦ୍ୱାରା ଶରବିଧ ହୋଇଥିଲେ ଶ୍ରୀକୃଷ୍ଣା ରଥଯାତ୍ରା ବେଳେ ଶିଆଳି ଲତା ଦଉଡ଼ି ସ୍ପର୍ଶ କଲେ ମୋକ୍ଷପ୍ରାପ୍ତି ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।

  • Reported by:
  • PRANAYA PANI