• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାଖେଳା ସହ ସଂପୃକ୍ତ ଅନେକ ସେବା । ଖାଲି ଶ୍ରୀମନ୍ଦିର ନୁହେଁ, ଶ୍ରୀକ୍ଷେତ୍ରଠୁ ଯୋଜନ ଯୋଜନ ଦୂରରେ ଥାଇ ବି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପଣ କରିଥାନ୍ତି ଅନେକ ଭକ୍ତ । କିଏ କାଳିଆ ପାଇଁ ବୁଣିଦିଏ ଖଣ୍ଡୁଆ ପାଟ ତ ଆଉ କିଏ ତିନି ରଥ ପାଇଁ ତିଆରି କରନ୍ତି ସୋଲର ଫୁଲ । ବର୍ଷବର୍ଷ ଧରି ଜଗା ସେବାରେ ନିୟୋଜିତ କରି ନିଜକୁ ଧନ୍ୟ ମନେ କରୁଛନ୍ତି ଅନେକ ଲୋକେ ।

କୋଟିଜନଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଜଗତ ଠାକୁର । ମହାପ୍ରଭୁଙ୍କ ଘୋଷଯାତ୍ରାରେ ଉଛୁଳି ଉଠିବ ବଡ଼ଦାଣ୍ଡ । ଅପରୂପ ସାଜସଜା ଆଉ ମନଲୋଭା କାରୁକାର୍ଯ୍ୟରେ ଝଟକି ଉଠିବ ଚତୁର୍ଦ୍ଧାମୂରତିଙ୍କ ତିନି ରଥ । ଏଣେ ରଥର ଶୋଭାବର୍ଦ୍ଧନ କେମିତି ହେବ, ସେଇ କାମରେ ଲାଗିଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ବୀର କିଶୋର ନାୟକଙ୍କ ପରିବାର । ସୋଲରେ ଭଳିକି ଭଲି ଫୁଲ ପ୍ରସ୍ତୁତିରେ ବ୍ୟସ୍ତ ପରିବାରର ସବୁ ସଦସ୍ୟ ।

ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟଠୁ ଆରମ୍ଭ ହୁଏ ଫୁଲ ତିଆରି କାମ । ସୋଲରେ ପ୍ରସ୍ତୁତ ହୁଏ କଦମ୍ବ, ସେବତୀ ଭଳି ସୁନ୍ଦର ଓ ସୁଶୋଭିତ ଫୁଲ । ଆଉ ରଥଯାତ୍ରା ପୂର୍ବ ଦିନ ପୁରୀ ଯାଇ ନିଜ ହାତରେ ସଜାଇ ଦିଅନ୍ତି ୩ ରଥ ।  ୨୦୦୪ ମସିହାରୁ ଶ୍ରୀମନ୍ଦିର ପ୍ରଶାସନଠୁ ଏ ସେବା ପାଇଁ ଅନୁମତି ପାଇବା ପରଠୁ, ବିନା ପାରିଶ୍ରମିକରେ ଏ ସେବା ଯୋଗାଇ ଆସୁଛନ୍ତି ବୀର କିଶୋରଙ୍କ ପରିବାର ।

ଜଗନ୍ନାଥଙ୍କ ସେବାରେ ନିଜକୁ ନିଷ୍ଠାର ସହ ସମର୍ପଣ କରିଛନ୍ତି କଟକ ଜିଲ୍ଲା ଆଠଗଡ଼ ନୂଆପାଟଣା ଗାଁର ରାମଚନ୍ଦ୍ର ଓ ତ୍ରିଲୋଚନ ଦାସଙ୍କ ପରିବାର । ପିଢ଼ି ପିଢ଼ି ଧରି ଏ ବୁଣାକାର ପରିବାର ତଚୁର୍ଦ୍ଧାମୁର୍ତ୍ତିଙ୍କ ପାଇଁ ପ୍ରସ୍ତୁତ କରି ଆସୁଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ଭଳିକି ଭଳି ଡିଜାଇନ୍ ଆଉ ଭିନ୍ନ ଆକାର ପ୍ରକାରର ପାଟବସ୍ତ୍ର ତିଆରି ପାଇଁ ରାତି ଦିନ ଭୁଲି ଯାଆନ୍ତି ପରିବାରର ସବୁ ସଦସ୍ୟ । କାରଣ ସ୍ନାନ ଯାତ୍ରାରୁ ଅନବସର ଓ ଘୋଷଯାତ୍ରାରୁ ନୀଳାଦ୍ରୀବିଜେ । ସବୁ ସମୟରେ ଲୋଡ଼ା ପଡ଼େ ମହାପ୍ରଭୁଙ୍କ ଅତି ପ୍ରିୟ ଖଣ୍ଡୁଆ ପାଟ । ଠାକୁରଙ୍କ ପାଇଁ ସମର୍ପିତ ଏ ସେବାରୁ ଯେତିକି ପାରିଶ୍ରମିକ ମିଳେ, ତାଠୁ ଏ ସେବାର ଅଧିକାରୀ ହେବା ଆହୁରି ଅଧିକ ସୌଭାଗ୍ୟର ବିଷୟ ବୋଲି କୁହନ୍ତି ତ୍ରିଲୋଚନ ।

  • Reported by:
  • BALRAM LENKA , NILAKANTHA DORA