/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683911893.jpg)
Manda Pitha
ନଡିଆ କୋରା ଯାଏ, ପୂର ତିଆରି ହୁଏ । ଅରୁଆ ଚାଉଳ ଚୁନାରେ ଖଳି ବସାଯାଏ । ଖଳି ହେବା ପରେ ନଡିଆ, ଛେନା, ଗୁଜୁରାତି ଆଜି କେତେ କଣ ଦେଇ ଗଢା ଚାଲେ ମଣ୍ଡା ପିଠା ତିଆରି । ଜଣେ କି ଦୁଇ ଜଣ ନୁହେଁ ବରଂ ଶହଶହ ମହିଳା ଏକାଠି ହୋଇ ଗଢନ୍ତି ମଣ୍ଡା ପିଠା । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୨ ଶହ ବର୍ଷ ହେଲାଣି ଚାଲିଛି ଏମିତି ମଣ୍ଡା ତିଆରି ।
କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁର ପ୍ରସିଦ୍ଧ ଚଣ୍ଡୀଦେବୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମନ୍ଦିର ଆଖପାଖ ଅଂଚଳରେ ଶ୍ରଦ୍ଧାଳୁ ଚୁଲି ଖୋଳି ହାଣ୍ଡି ବସେଇ ମଣ୍ଡା ପିଠା ତିଆରି ବି କରୁଛନ୍ତି । ବୈଶାଖ ମାସର ପାଞ୍ଚ ଗୁରୁବାର ମଣ୍ଡା ପିଠା ତିଆରି କରି ଭୋଗ ଲାଗି କରିବାର ପରମ୍ପରା ରହିଛି । ଯେଉଁମାନେ ମାଆଙ୍କ ପାଖରେ ମାନସିକ ରଖିଛନ୍ତି ସେମାନେ ଆସି ମଣ୍ଡା ତିଆରି କରୁଛନ୍ତି । ଆଉ ପିଠାକୁ ଡାକ ମଣ୍ଡା ବୋଲି କୁହନ୍ତି ଶ୍ରଦ୍ଧାଳୁ ।
ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ, ମାଆଙ୍କ ପାଖରେ ପିଲାଛୁଆ ହେବା ପାଇଁ ହେଉ କି କୌଣସି ବିଷୟରେ ମାନସିକ ହେଉ...ପୂରଣ ହେବା ମାତ୍ରେ ମାଆଙ୍କ ମନ୍ଦିର ସାମ୍ନାରେ ମଣ୍ଡା ତିଆରି କରି ଭୋଗ ଲଗାନ୍ତି ଭକ୍ତ । କିମ୍ବଦନ୍ତୀ ଅନୁସାରେ ବହୁ ବର୍ଷ ପୂର୍ବେ ମହାମାରୀ ହଇଜା ରୋଗ ବ୍ୟାପି ଥିଲା । ଆଉ ମହାମାରୀରେ ଶହଶହ ଲୋକଙ୍କ ପ୍ରାଣ ବି ଯାଇଥିଲା । ତେଣୁ ମାଆଙ୍କ ପାଖରେ ଅଧିଆ ପଡିଥିଲେ ଗାଁ ଲୋକେ । ଆଉ ମାଆଙ୍କ ଆଦେଶରେ ଭେଣ୍ଡା ବଦଳରେ ମଣ୍ଡା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ମାଆଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ମଣ୍ଡା ତିଆରି କରି ଭୋଗ କରିବାକୁ ନିଷ୍ପତ୍ତି ନେଲେ ଗାଁ ଲୋକେ । ସେହି ଦିନଠାରୁ ପ୍ରତିବର୍ଷ ବୈଶାଖ ମାସରେ ୫ ଗୁରୁବାର ମାନସିକଧାରୀମାନେ ମଣ୍ଡା ଭୋଗ କରୁଛନ୍ତି । ଏବେ ବି ଚଣ୍ଡୀ ପୀଠରେ ବୈଶାଖ ମାସ ସଂକ୍ରାନ୍ତିଠାରୁ ଜ୍ୟେଷ୍ଠ ମାସ ସଂକ୍ରାନ୍ତି ମଧ୍ୟରେ ପଡୁଥିବା ଗୁରୁବାର ଗୁଡ଼ିକରେ ଡାକ ମଣ୍ଡା ପିଠା କରାଯାଇଥାଏ । ଆଉ ଭୋଗ ନେବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ବି ଦେଖାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)