• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକ ମହାନଦୀ ପଠାରେ ଚାଲିଛି ବାଲିଯାତ୍ରା । ପ୍ରତିଦିନ ଭିଡ଼ ଲାଗୁଛି, ବିକ୍ରିବଟାର ଆସର ବି ଜମୁଛି । ତା ସାଙ୍ଗକୁ ଖାଦ୍ୟପେୟ ଓ ମନୋରଂଜନ ପ୍ରତି ଖାସ ନଜର ଦେଇଛି ପ୍ରଶାସନ । ଏଥିସହ ଚଳିତ ବର୍ଷ କଟକର ଐତିହ୍ୟସ୍ଥଳୀ ଗୁଡ଼ିକର ପ୍ରଚାରପ୍ରସାର ପାଇଁ ଦିଆଯାଇଛି ଖାସ ନଜର । ତଳ ପଡିଆରେ ଏନେଇ ଖୋଲିଛି ସ୍ୱତନ୍ତ୍ର ପାଭିଲିୟନ ‘କଟକ-ଇନ୍-କଟକ’ । ସେହିପରି ନୈବାଣିଜ୍ୟ ପରମ୍ପରା ଓ ଉତ୍କଳୀୟ ପରମ୍ପରା ନିଦର୍ଶନ ଦେଖାଇବାକୁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଲାଇଟ ଆଣ୍ଡ ସାଉଣ୍ଡ ସୋ ।

ଅଧିକ ପଢ଼ନ୍ତୁ: ବାଲିଯାତ୍ରାରେ ନିଆରା ଖାଦ୍ୟ; ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ

କଟକ ଭିତରେ ଆଉ ଏକ କଟକ, ଯେଉଁଠି ରହିଛି ଚଣ୍ଡୀ ମନ୍ଦିର, ଧବଳେଶ୍ୱର, ହାଇକୋର୍ଟ, କଦମ-ଏ-ରସୁଲ, ବାପିଷ୍ଟ ଚର୍ଚ୍ଚ ଓ ଗୁରୁଦ୍ୱାରା ଭଳି ବିଭନ୍ନ ଐତିହ୍ୟ ସ୍ଥଳୀ । ତଳ ବାଲିଯାତ୍ରା ପଡ଼ିଆରେ କଟକର ସ୍ମାରକୀ ସ୍ଥଳ ଗୁଡ଼ିକ ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଏଭଳି ଭିନ୍ନ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ । ଏହି ସ୍ୱତନ୍ତ୍ର ପାଭିଲିୟନର ନାଁ ରଖାଯାଇଛି କଟକ-ଇନ୍-କଟକ । ସେହିପରି ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଶୋର ମଧ୍ୟ ଆୟୋଜନ କରାଯାଇଛି ।  ଯେଉଁଥିରେ ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଶା ସଂସ୍କୃତିକୁ ସ୍ଥାନ ଦିଆଯାଇଛି ।

ସେହିପରି କଟକ-ଇନ୍-କଟକ ପାଭିଲିୟନ ପାଖରେ ଅନ୍ତାର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ଦେଖିବାକୁ ପାଇବେ ଦର୍ଶକ । ୨୫ ହଜାର ଓ ଶହେ ଟନ ବାଲିରେ ପ୍ରସ୍ତୁତ ବାଲୁକା କଳା ମାଧ୍ୟମରେ ବୋଇତ ବନ୍ଦାଣର ପରମ୍ପରାକୁ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ । ୬୮ ଫୁଟ ଲମ୍ବ, ୪୮ ଫୁଟ ଚଉଡ଼ା ଏହି ବାଲୁକା କଳା ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଥିବା ବେଳେ, ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରାର ଆୟୋଜନ ହୋଇଥିବା ବେଳେ ଆସନ୍ତା ୧୬ ତାରିଖ ଯାଏଁ ଉଭୟ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ଜମିବ ବିକ୍ରିବଟାର ଆସର ।

(ରିପୋର୍ଟ- କଟକରୁ ଦେବାଶିଷ ମହାନ୍ତି)