• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ।

ସ୍ମୋକ୍ ବିସ୍କୁଟ୍ ଓ ପତ୍ରପୋଡ଼ା ମାଉଁସ ଭଳି କିଛି ନୂଆ ଖାଦ୍ୟ ବି ଆସିଛି। ଖାଦ୍ୟପ୍ରେମୀଙ୍କ ପେଟ କଥା ବୁଝିବା ପାଇଁ ଦହିବରା ଓ ଠୁଙ୍କାପୁରୀର ବି କ୍ରେଜ୍ କମିନି। ତେବେ ଆସନ୍ତୁ ଜାଣିବା ବାଲିଯାତ୍ରାର ଖାଦ୍ୟ ପସରାରେ ଆଉ କ’ଣ ସବୁ ମିଳୁଛି।

ଅଧିକ ପଢ଼ନ୍ତୁ: ବାଲିଯାତ୍ରାରେ ୧୦୦ ଦୋଳି; ରାମଦୋଳିରୁ ବ୍ରେକ୍‌ଡ୍ୟାନ୍ସ, ଟୋରାଟୋରାରୁ ଅକ୍ଟୋପସ୍ ସବୁଠି ଭିଡ଼

ସୁଆଦିଆ ଦହିବରା ଆଳୁଦମକୁ, ଚଟ୍‌ପଟା ଚାଟ୍ ଓ ଗୁପ୍‌ଚୁପ୍, ଗର୍‌ମା ଗରମ୍ ଠୁଙ୍କାପୁରୀ, ଛେନା ତରକାରି ବିନା ତ ବାଲିଯାତ୍ରା ବୁଲା ଅଧୁରା। ତା’ ସାଙ୍ଗକୁ ଦୋସା, ଚକୁଳି, ଚାଉମିନ୍, ପନିର ଚପ୍, ଲଙ୍କା ଚପ୍, ମଥୁରା କେକ୍, ଆହୁରି କେତେ କ’ଣ ଖାଦ୍ୟର ପସରା।

ବୁଲାବୁଲି, କିଣାକିଣି ଆଉ ଦୋଳିଖେଳ ଖାଲି ମନକୁ ସରାଗ। ହେଲେ ପାଟି ଓ ପେଟ ଖୋଜୁଥାଏ ବାଲିଯାତ୍ରାର ଫୁଡ୍‌ଷ୍ଟଲ୍‌କୁ। ୨ ବର୍ଷ ପରେ ପୁଣି ମିଳିଛି ଗୋଟିଏ ଜାଗାରେ ଅନେକ ସୁଆଦ ଚାଖିବାର ସୁଯୋଗ। ଏହାକୁ କିଏ ବା ହାତଛଡ଼ା କରିବ। ତେଣୁ ଫୁଡ୍‌ଷ୍ଟଲ୍‌ଗୁଡିକରେ ଦେଖିବାକୁ ମିଳୁଛି ଜବରଦସ୍ତ ଭିଡ।

ପ୍ରତିବର୍ଷ ଭଳି ଏଥର ବି ବାଲିଯାତ୍ରାରେ ଦେଖିବାକୁ ମିଳିଛି କିଛି ନୂଆ ଖାଇବା ଜିନିଷ। ଏହି ନିଆରା ଜିନିଷ ଖାଇଲା ପାରେ ପାଟିରୁ ଆଉ ନାକରୁ ବାହାରୁଛି ଭସ୍ ଭସ୍ ଧୂଆଁ। ଏହାକୁ କୁହାଯାଉଛି ସ୍ମୋକ୍ ବିସ୍କୁଟ୍‌।

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ବାପା ମାଆମାନେ ମଧ୍ୟ ସମସ୍ତେ ଟ୍ରାଏ କରୁଛନ୍ତି ଏଇ କୌତୁକିଆ ଖାଦ୍ୟ।

ଯେଉଁଠି ଦେଖାଯାଉଛି ନନ୍‌ଭେଜ୍ ଷ୍ଟଲ୍ ଆମିଷାଷୀଙ୍କ ମନ ଟାଣି ହେଇଯାଉଛି। ଏବର୍ଷ ବାଲିଯାତ୍ରାରେ ସ୍ମୋକି ଫ୍ଲେଭର୍ର ଭାରି ଚାହିଦା। ଭିଡ଼ ଜମୁଛି ପୋଡ଼ାପୋଡ଼ି ଖାଇବାକୁ। ମାନେ କେଉଁଠି ପତ୍ର ପୋଡ଼ା, ତ ଆଉ କେଉଁଠି ବାଉଁଶ ପୋଡ଼ା। ପତ୍ରପୋଡ଼ା ଷ୍ଟଲ୍‌ରେ ଶାଳ ପତ୍ର ଭିତରେ ଚିକେନ୍, ମଟନ୍, ଚିଙ୍ଗୁଡ଼ି ଓ ଚୂନା ମାଛକୁ ବାନ୍ଧି ତାଓ୍ୱାରେ ପୋଡ଼ାଯାଉଛି। ବାମ୍ବୁ ଚିକେନ୍ ଓ ମଟନ୍ ଖାଇବାକୁ ବି ଦେଖିବାକୁ ମିଳୁଛି ପ୍ରବଳ ଆଗ୍ରହ।

ଅନେକଙ୍କର ଅଲ୍-ଟାଇମ୍-ଫେଭରିଟ୍ ବାରିପଦା ମାଂସ ମୁଢ଼ି, ଆଉ କିଛି ଜଣଙ୍କର ମଟନ ଚକୁଳି। ଯେତେ ଯାହା ନୂଆ ଥିଲେ ବି, ସେସବୁ ଖାଲି ଚାଖିବା ପାଇଁ, ଏସବୁ ବିନା ତ ଖାଇବା ଅଧୁରା। ଏଥର ବାଲିଯାତ୍ରାରେ ଜଣେ ଦୁବାଇ ରୋଷେୟାଙ୍କ ହାତ ତିଆରି ବିରିୟାନୀର ବାସ୍ନା, ତନ୍ଦୁରୀ ଓ କବାବ୍‌ର ଲୁକ୍ ବି ଆକର୍ଷିତ କରୁଛି ଆମିଷ ପ୍ରେମୀଙ୍କୁ।

ସବୁ ଖାନାପିନା ପରେ ସବାଶେଷରେ ଯାହାର ପାଳି ପଡ଼େ, ତା ନାଁ ମିଠା ପାନ। ତାକୁ ପାଟିରେ ନଜାକି ବାଲିଯାତ୍ରାରୁ ଫେରିବା କ’ଣ ସମ୍ଭବ!

(କଟକରୁ ପ୍ରଭାତ ବିଷୋୟୀ ଓ ବିଶ୍ୱଜିତ ଆଚାର୍ଯ୍ୟଙ୍କ ରିପୋର୍ଟ)