• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆମେ ସମସ୍ତେ ଜାଣୁ ଏବଂ କହିଥାଉ ଯେ, ଆମ ପିଲାମାନେ ଆମ ସମାଜର ଭବିଷ୍ୟତ। ଯେପରି ଗୋଟେ ସୁଦୃଢ଼ ଭିତ୍ତିଭୂମି ବିନା ଗୋଟେ ସୁଉଚ୍ଚ ଅଟ୍ଟାଳିକାର ପରିକଳ୍ପନା ଅସମ୍ଭବ, ସେହିପରି ମୌଳିକ ଶିକ୍ଷାରେ ଦକ୍ଷତା ହାସଲ ନ କରିପାରିଲେ, ଆମ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ସୁଗମ କରିପାରିବେ ନାହିଁ।

ମୌଳିକ ଶିକ୍ଷା କହିଲେ, ଗୋଟେ ପିଲାର ୩ରୁ ୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଓ ବିକାଶକୁ ବୁଝାଏ। ଯାହା ସାଧାରଣତଃ ତିନି ବର୍ଷର ଆଦ୍ୟଶୈଶବ ଶିକ୍ଷା ଓ ଦୁଇ ବର୍ଷର ପ୍ରାଥମିକ ଶିକ୍ଷା ଦ୍ୱାରା ପରିପୂର୍ଣ୍ଣ ହୁଏ। ଯେହେତୁ ଅନେକ ପିଲାଙ୍କ ପାଇଁ ଉପଯୁକ୍ତ ଶିକ୍ଷା ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେଇଥାଏ, ପିଲାମାନଙ୍କୁ ଏହି ମୌଳିକ ଦକ୍ଷତା ଗୁଡିକରେ ପାରଙ୍ଗମ ହେବା ପାଇଁ ତିନିବର୍ଷ ଲାଗିଥାଏ। ଆମ ରାଜ୍ୟରେ ଏହି ବୟସ ସୀମାର ହାରାହାରି ୨୫ ଲକ୍ଷ ପିଲା ଅଛନ୍ତି, ଯେଉଁମାନେ ତାଙ୍କ ମୌଳିକ ଶିକ୍ଷା ନିମନ୍ତେ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆସନ୍ତି। ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ, ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପଢ଼ିବା ଶିଖନ୍ତି ଏବଂ ତା’ ପରେ ସେମାନେ ପଢ଼ି କରି ଶିଖନ୍ତି। ଏଥିପାଇଁ ତୃତୀୟ ଶ୍ରେଣୀ ସରିଲା ବେଳକୁ ସେମାନେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନରେ ନିପୁଣତା ହାସଲ କରିବା ଆବଶ୍ୟକ ଅଟେ।

ବିଭିନ୍ନ ସରକାରୀ ଓ ବେସରକାରୀ ସର୍ବେକ୍ଷଣରୁ ଜଣାଯାଏ ଯେ, ଆମ ଦେଶରେ ପାଞ୍ଚ ବର୍ଷର ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ଏହି ସର୍ବନିମ୍ନ ମୌଳିକ ଦକ୍ଷତା ହାସଲ କରିବାରେ ସଫଳ ହୋଇ ପାରୁନାହାନ୍ତି। ସେମାନେ ଭାଷା ଶୁଣିକରି ବୁଝିବା, ସ୍ପଷ୍ଟ ଭାବରେ ପଠନ ଓ ଉଚ୍ଚାରଣ କରିବା, ନିର୍ଭୁଲ ଭାବରେ ଲେଖିବା, ସାଧାରଣ ଗଣିତକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାରେ ଅସମର୍ଥ ହୋଇଥାନ୍ତି। ବିଶ୍ୱବ୍ୟାଙ୍କ ଏହାକୁ 'ଲର୍ଣ୍ଣିଂ ପଭର୍ଟି' ବା ‘ଶିକ୍ଷାରେ ଦାରିଦ୍ର୍ୟ’ ବୋଲି କୁହେ ଏବଂ ସେହି ହିସାବରେ ଭାରତରେ ୫୫% ପିଲା ଏହି ଦାରିଦ୍ର୍ୟ ଶିକାର ଅଟନ୍ତି। ଯଦିଓ ଏହି ସମସ୍ୟା ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରମାନଙ୍କୁ ପ୍ରଭାବିତ କରିଥାଏ, ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ଶିକ୍ଷଣ ଫଳାଫଳର ଅବସ୍ଥା ବିଶେଷ ଚିନ୍ତାଜନକ।

ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ‘ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦’ରେ ମୌଳିକ ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଯଦି ଆମ ଦେଶର ପ୍ରତ୍ୟେକ ଛାତ୍ର ମୌଳିକ ଦକ୍ଷତା ହାସଲ କରିପାରିବେ ନାହିଁ, ତାହେଲେ ଶିକ୍ଷାନୀତିର ବହୁବିଧ ଉଦ୍ଦେଶ୍ୟ ନିରର୍ଥକ ହୋଇଯିବ। ଏହି ଆହ୍ଵାନକୁ ସ୍ୱୀକାର କରି ଭାରତ ସରକାର ‘ନିପୁଣ ଭାରତ’ କାର୍ଯ୍ୟକ୍ରମ ୨୦୨୧ରେ ‘ମିଶନ ମୋଡ଼୍’ ରେ ଆରମ୍ଭ କରିଛନ୍ତି, ଯାହା ଛାତ୍ରମାନଙ୍କୁ ସେମାନଙ୍କୁ ପ୍ରାଥମିକ ସ୍ତରରେ ବିକାଶର ମାଇଲଖୁଣ୍ଟ ହାସଲ କରିବାରେ ସାହାଯ୍ୟ କରିବ। ଏକ ଉଲ୍ଲେଖନୀୟ ପଦକ୍ଷେପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷକ ଦିବସରେ ‘ନିପୁଣ ଓଡ଼ିଶା’ ମିଶନର ଉଦ୍ଘାଟନ କରି ଏହି ସମସ୍ୟାର ସମାଧାନରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ମୌଳିକ ଶିକ୍ଷା ମିଶନର ସଫଳତା ମୁଖ୍ୟତଃ ଶିକ୍ଷକଙ୍କ ଶିକ୍ଷାଦାନ ପଦ୍ଧତି ଉପରେ ନିର୍ଭର କରେ। ସମସ୍ତ ଛାତ୍ର ସେମାନଙ୍କର ପୃଷ୍ଠଭୂମି କିମ୍ବା ଦକ୍ଷତା ନିର୍ବିଶେଷରେ ଏହି ମୌଳିକ କୌଶଳ ହାସଲକୁ ନିଶ୍ଚିତ କରିବାକୁ ଶିକ୍ଷକମାନେ ନୂତନ ଶିକ୍ଷାଦାନ ପ୍ରଣାଳୀ ଗ୍ରହଣ କରିବା ଆବଶ୍ୟକ। ଶିକ୍ଷକମାନେ କେବଳ ସେମାନଙ୍କର ଶିକ୍ଷାଦାନ ପ୍ରଣାଳୀକୁ ନୁହେଁ ବରଂ ସେମାନଙ୍କର ମାନସିକତାକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ। ସେମାନଙ୍କୁ ବିଶ୍ୱାସ କରିବାକୁ ପଡିବ ଯେ, ୫୦% -୬୦% ନୁହେଁ ବରଂ ତାଙ୍କ ଶ୍ରେଣୀ ବା ବିଦ୍ୟାଳୟର ସମସ୍ତ ପିଲା ମୌଳିକ ଦକ୍ଷତା ହାସଲ କରିପାରିବେ। ଏଥିଲାଗି ତାଙ୍କୁ ପାରମ୍ପାରିକ ଶିକ୍ଷାଦାନ ପ୍ରଣାଳୀକୁ ପରିବର୍ତ୍ତନ କରି ଶିଶୁ-କୈନ୍ଦ୍ରିକ ଶିକ୍ଷାଦାନ ପ୍ରଣାଳୀକୁ ଆପଣେଇବାକୁ ପଡ଼ିବ।

ପ୍ରାୟତଃ ଦେଖା ଯାଇଥାଏ ଯେ, ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଅଧିକାଂଶ ଛାତ୍ରଛାତ୍ରୀ ସୀମିତ ସମ୍ବଳ ଥିବା ପରିବାରରୁ ଆସିଥାନ୍ତି। କେତେକ କ୍ଷେତ୍ରରେ ଏହି ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ହୁଏତ ସ୍କୁଲ ଶିକ୍ଷା ପ୍ରାପ୍ତି କରିବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ଏହି ପିତାମାତାମାନଙ୍କ ମଧ୍ୟରୁ ଅନେକ ସମୟ କିମ୍ବା ବୁଝାମଣାର ଅଭାବ ହେତୁ ନିଜ ପିଲାଙ୍କ ଶିକ୍ଷାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଅସମର୍ଥ ହୋଇଥାନ୍ତି। ତେଣୁ ଏହି ଛାତ୍ରଛାତ୍ରୀ ମାନଙ୍କର ଜୀବନରେ ଶିକ୍ଷକ ଏକମାତ୍ର ଆଲୋକ ପୁଞ୍ଜ ସଦୃଶ ହୋଇ ସେମାନଙ୍କୁ ଅଜ୍ଞାନର ଅନ୍ଧକାରରୁ ଜ୍ଞାନର ସୁପ୍ରକାଶିତ ମାର୍ଗରେ ନେଇ ଗୁ-ରୁ ନାମକୁ ଚରିତାର୍ଥ କରିଥାନ୍ତି।

ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ଦିଗରେ ଅନେକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଦାହରଣ ସ୍ୱରୂପ ଛାତ୍ରମାନଙ୍କ ପାଇଁ ଶିକ୍ଷଣ ସାମଗ୍ରୀ (TLM) ପ୍ରଦାନ କରିଛନ୍ତି, ଶିଶୁ-କୈନ୍ଦ୍ରିକ ପଦ୍ଧତି ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ସଂଗଠିତ କରିଛନ୍ତି, ଛାତ୍ରଛାତ୍ରୀ ମାନଙ୍କ ଅଗ୍ରଗତି ଉପରେ ନଜର ରଖିବା ପାଇଁ ମାନ ନିର୍ଦ୍ଧାରଣ ରେଜିଷ୍ଟର ଯୋଗାଇ ଦେଇଛନ୍ତି। ଏଠାରେ କହିବା ବାହୁଲ୍ୟ ଯେ, ସରକାର କେବଳ ବିଭିନ୍ନ ସାଧନ ଏବଂ ଢାଞ୍ଚା ପ୍ରଦାନ କରିପାରନ୍ତି; ଶେଷରେ ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ ପ୍ରଚେଷ୍ଟା ଦ୍ୱାରା ହିଁ ଛାତ୍ରମାନେ ତାଙ୍କ ବୟସ ଓ ଶ୍ରେଣୀ ଉପଯୁକ୍ତ ଶିକ୍ଷଣ ଫଳାଫଳ ହାସଲ କରିବାରେ ସକ୍ଷମ ହେବେ।

ସର୍ବପ୍ରଥମେ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ପିଲାଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡିବ, ଯାହାଦ୍ୱାରା ପିଲାମାନେ ଉତ୍ସାହ ଓ ଖୁସିରେ ସ୍କୁଲ ଆସିବାକୁ ଚାହିଁବେ। ଏହା ଦେଖାଯାଏ ଯେ, ପ୍ରାଥମିକ ବୟସ ବର୍ଗର ପ୍ରାୟ ସମସ୍ତ ପିଲା ବିଦ୍ୟାଳୟରେ ନାମ ଲେଖାଇଥିବା ବେଳେ ବିଦ୍ୟାଳୟରେ ନିୟମିତ ଉପସ୍ଥାନ ଏକ ସମସ୍ୟା ହୋଇ ରହିଥାଏ। ଶିକ୍ଷକମାନେ ସେମାନଙ୍କର ଶିକ୍ଷଣ ଏବଂ ଜ୍ଞାନଗତ ବିକାଶ ପାଇଁ ପିଲାମାନଙ୍କର ବିଦ୍ୟାଳୟରେ ନିୟମିତ ଉପସ୍ଥାନର ଗୁରୁତ୍ୱ ବିଷୟରେ ପିତାମାତାଙ୍କୁ ସମ୍ବେଦନଶୀଳ କରିବାକୁ ପଡିବ।

ପ୍ରାରମ୍ଭିକ ବର୍ଷରେ ଏହା ଗୁରୁତ୍ୱପୂର୍ଣ୍ଣ ଯେ, ପିଲାମାନେ ବିଭିନ୍ନ ପାଠ୍ୟ ସାମଗ୍ରୀ ଦେଖନ୍ତୁ। ସହରାଞ୍ଚଳର ପିଲାମାନେ ପ୍ରାକୃତିକ ଭାବରେ ଅନେକ ମୁଦ୍ରଣ କିମ୍ବା ଡିଜିଟାଲ୍ ପାଠ୍ୟ ସାମଗ୍ରୀର ବ୍ୟବହାର କରିଥାନ୍ତି, କିନ୍ତୁ ଏହା ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଏକ ସମସ୍ୟା। ଗରିବ ପରିବାରର ପିଲାମାନେ ପାଠ୍ୟପୁସ୍ତକ ଛାଡିଦେଲେ ଘରେ ଅନ୍ୟ ବହି କିମ୍ବା ପଢିବା ସାମଗ୍ରୀ, ଯେପରିକି ଖବରକାଗଜ ସହଜରେ ପାଇପାରନ୍ତି ନାହିଁ। ତେଣୁ ଶିକ୍ଷକମାନେ ଶ୍ରେଣୀଗୃହରେ ଏକ ମୁଦ୍ରଣ-ସମୃଦ୍ଧ ପରିବେଶ ସୃଷ୍ଟି କରିବା ଆବଶ୍ୟକ, ଯେମିତିକି ଅନେକ ମୁଦ୍ରିତ ସାମଗ୍ରୀ ଅକ୍ଷର ଚାର୍ଟ, ଶବ୍ଦ ଚାର୍ଟ, ଛୋଟ କବିତା ଇତ୍ୟାଦି ଶ୍ରେଣୀଗୃହର କାନ୍ଥରେ ଲଗା ଯାଇଥାଏ। ପିଲାମାନଙ୍କ ଦ୍ୱାରା ବିଭିନ୍ନ ଶ୍ରେଣୀଗୃହ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷକମାନେ ଏହି ସାମଗ୍ରୀଗୁଡ଼ିକ ସହଜରେ ତିଆରି କରିପାରିବେ। ବିଦ୍ୟାଳୟରେ ସେମାନଙ୍କର ନିଜସ୍ୱ କାର୍ଯ୍ୟ ପ୍ରଦର୍ଶିତ ହୋଇଥିବାର ଦେଖି ପିଲାମାନେ ମଧ୍ୟ ଉତ୍ସାହିତ ହୁଅନ୍ତି।

ଜଣେ ଆଦର୍ଶ ଶିକ୍ଷକଙ୍କ ଭୂମିକା, ଶିକ୍ଷାର୍ଥୀମାନଙ୍କୁ କେବଳ ପାଠ୍ୟପୁସ୍ତକରେ ଥିବା ବିଷୟଗୁଡିକ ବୁଝେଇଦେବା ବା ପାଠ ଖସଡ଼ାରେ ଆଗକୁ ବଢିଯିବା ନୁହେଁ, ବରଂ ଆହରଣ କରାଯାଇଥିବା ଜ୍ଞାନକୁ ଦୈନନ୍ଦିନ ପରିସ୍ଥିତିରେ ପ୍ରୟୋଗ କରିବା ପାଇଁ ସେମାନଙ୍କୁ ଦକ୍ଷ ଓ ଆତ୍ମନିର୍ଭରଶୀଳ କରାଇବା। ଏଥିପାଇଁ ପ୍ରତ୍ୟେକ ଶିଶୁର ପ୍ରାକୃତିକ ସୃଜନଶୀଳତା ଏବଂ ଭିନ୍ନ ଭିନ୍ନ ଆବଶ୍ୟକତା ବିଷୟରେ ଏକ ସମ୍ବେଦନଶୀଳ ବୁଝାମଣା ରଖିବା ଆବଶ୍ୟକ ଅଟେ। ଏହି କୋମଳ ବୟସରେ ପିଲାମାନେ କେବଳ ସେମାନଙ୍କ ଶିକ୍ଷକମାନଙ୍କଠାରୁ ବିଷୟ ଜ୍ଞାନ ଆହରଣ କରନ୍ତି ନାହିଁ ବରଂ ସେମାନଙ୍କୁ ନିଜର ଆଦର୍ଶ ଭାବରେ ଦେଖନ୍ତି ଏବଂ ସେମାନଙ୍କଠାରୁ ଉଚିତ ଅନୁଚିତ ଆଚରଣ, ବ୍ୟବହାର ଅତି ସ୍ୱାଭାବିକ ଭାବରେ ଶିଖନ୍ତି। ଶିକ୍ଷକ ଉଭୟ ଶିକ୍ଷାଦାତା ଏବଂ ପରାମର୍ଶଦାତା ଅଟନ୍ତି; ଛାତ୍ରମାନଙ୍କୁ ବାଧାବିଘ୍ନ ଦୂର କରିବାରେ ସାହାଯ୍ୟ କରନ୍ତି ଏବଂ ଏକ ପରିବେଶ ସୃଷ୍ଟି କରନ୍ତି ଯେଉଁଠାରେ ପ୍ରତ୍ୟେକ ପିଲା ସେମାନଙ୍କ ପୃଷ୍ଠଭୂମି ନିର୍ବିଶେଷରେ ସଫଳ ହୋଇପାରିବେ।

ଛାତ୍ରମାନଙ୍କର ବିବିଧ ଶିକ୍ଷଣ ଆବଶ୍ୟକତା ପୂରଣ କରିବାକୁ ଶିକ୍ଷକମାନେ ଅଭିନବ ଶିଶୁ-କୈନ୍ଦ୍ରିକ ଶିକ୍ଷାଗତ କୌଶଳଗୁଡିକୁ ନିୟୋଜିତ କରିବା ଆବଶ୍ୟକ। ବିଶେଷକରି ଏହିପରି ପିଲାମାନେ ଯେଉଁମାନେ, ପାରମ୍ପାରିକ ଶ୍ରେଣୀଗୃହରେ ପ୍ରାୟତଃ ପଛୁଆ ରହିଯାଆନ୍ତି, ସେମାନେ ଶିକ୍ଷକଙ୍କ ପ୍ରୟାସର କେନ୍ଦ୍ରବିନ୍ଦୁ ହେବା ଉଚିତ୍। ପ୍ରତ୍ୟେକ ଶିଶୁ ନିଜ ଗତିରେ ଶିଖିବାର ସୁଯୋଗ ପାଇବା ଉଚିତ। ଜଣେ ଭଲ ଶିକ୍ଷକ ମଧ୍ୟ କ୍ରମାଗତ ଭାବରେ ମୂଲ୍ୟାଙ୍କନ କରିବାକୁ ପଡିବ କି ସମସ୍ତ ପିଲା ସମୟାନୁସାରେ ଶିକ୍ଷାଦାନରେ ବିଶେଷ ଉପକୃତ ହୋଇଛନ୍ତି କି ନାହିଁ। ଶିକ୍ଷକମାନେ ନିଶ୍ଚିତ କରିବା ଦରକାର ଯେ, ଅତିରିକ୍ତ ସହାୟତା ଆବଶ୍ୟକ କରୁଥିବା ଶିକ୍ଷାର୍ଥୀଙ୍କ ପ୍ରତି ବିଶେଷ ଧ୍ୟାନ ଦେବେ ଏବଂ ଚେଷ୍ଟା କରିବେ ଯେପରି କୌଣସି ଶିକ୍ଷାର୍ଥୀ ପଛରେ ରହିବେ ନାହିଁ।

ଏହି ପ୍ରକ୍ରିୟାରେ ସହାୟତା କରିବାକୁ ଛାତ୍ରମାନଙ୍କୁ କାର୍ଯ୍ୟ ପୁସ୍ତକ ଏବଂ ଶିକ୍ଷକମାନଙ୍କୁ ଶିକ୍ଷକ ସହାୟକ ପୁସ୍ତିକା, ଶିକ୍ଷଣ କାର୍ଯ୍ୟ ଯୋଜନା ଏବଂ ମାନ ନିର୍ଦ୍ଧାରଣ ରେଜିଷ୍ଟର ଯୋଗାଇ ଦିଆଯାଇଛି। ଏହି ଉପକରଣଗୁଡ଼ିକ ଶିକ୍ଷକମାନଙ୍କୁ ପ୍ରତ୍ୟେକ ଶିଶୁର ଶିକ୍ଷଣ ଆବଶ୍ୟକତା ବିଷୟରେ ଏକ ସାମଗ୍ରିକ ବୁଝାମଣା ସୃଷ୍ଟି କରିବାକୁ ସୁଯୋଗ ଦେଇଥାଏ, ଯାହା ସେମାନଙ୍କୁ ଶିକ୍ଷଣ ଫଳାଫଳକୁ ଉନ୍ନତ କରିବା ସହ ସେମାନଙ୍କର ଶିକ୍ଷାଦାନ ପ୍ରଣାଳୀକୁ ସଜାଡ଼ିବାରେ ସକ୍ଷମ କରିଥାଏ।

ଶିଶୁର ମୌଳିକ ଶିକ୍ଷଣ ପାଇଁ ଶିକ୍ଷକ ହେଉଛନ୍ତି ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସୂତ୍ରଧର। ସଠିକ୍ ଉତ୍ସ, ତାଲିମ ଏବଂ ମାନସିକତା ସହିତ ଶିକ୍ଷକମାନେ ହିଁ ସୁନିଶ୍ଚିତ କରିପାରିବେ ଯେ, ପ୍ରତ୍ୟେକ ପିଲା ପୃଷ୍ଠଭୂମି ନିର୍ବିଶେଷରେ ମୌଳିକ କୌଶଳ ହାସଲ କରିପାରିବେ। ଏହାଦ୍ୱାରା ସେମାନେ ଆଜୀବନ ଶିକ୍ଷା ଏବଂ ସଫଳତା ପାଇଁ ଆବଶ୍ୟକ କୌଶଳ ସହିତ ସୁସଜ୍ଜିତ ହୋଇ ଏକବିଂଶ ଶତାବ୍ଦୀର ବିଶ୍ୱରେ ଆତ୍ମବିଶ୍ୱାସ ସହିତ ପ୍ରବେଶ କରିପାରିବେ।

(ବି.ଦ୍ର- ଲେଖକ ଦ୍ୱୟ ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ (CSF) ଓ ରାଜ୍ୟ ସରକାର ଗୁଡ଼ିକ ସହ ମୌଳିକ ଶିକ୍ଷା ଉପରେ କାର୍ଯ୍ୟରତ। ଏହି ପ୍ରବନ୍ଧରେ ଲେଖକ ଦ୍ୱୟଙ୍କ ବିଚାର ଓ ବିଶ୍ଳେଷଣ ସଂପୂର୍ଣ୍ଣ ଭାବେ ସେମାନଙ୍କ ବ୍ୟକ୍ତିଗତ।)

OTV is now on Whatsapp

Join and get latest news update delivered to you via whatsapp

Join Now