• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଦାକୁ ଆସିଲା ତାଳି ପକା ଯୋଜନାର କରୁଣ ଚିତ୍ର । ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ । ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି ।

ମାଟ୍ରିକ ଡ୍ରପ୍ ଆଉଟ୍‌ରେ ଓଡିଶା ନମ୍ୱର ୱାନ୍ । ୨୦୨୧-୨୨ରେ ପାଠ ଛାଡିଛନ୍ତି ୪୯.୯ ପ୍ରତିଶତ ଦଶମ ଛାତ୍ରଛାତ୍ରୀ । ଲୋକସଭାର ଏକ ତାରକା ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇଲା ଭଳି । ରାଜ୍ୟରେ ୨୦୧୮-୧୯ରେ ଦଶମ ଶ୍ରେଣୀରେ ପଢୁଥିବା ୧୨.୮ ପ୍ରତିଶତ ପିଲା ପାଠ ଛାଡିଥିବା ବେଳେ ୨୦୧୯-୨୦ରେ ଏହା ୩୮.୩୫ ପ୍ରତିଶତକୁ ବଢିଥିଲା । ୨୦୨୦-୨୧ରେ ଡ୍ରପ୍ ଆଉଟ ପ୍ରତିଶତ ୩୯.୪ ଥିବା ବେଳେ ୨୦୨୧-୨୨ରେ ଦଶମରେ ପଢୁଥିବା ୪୯.୯ ପ୍ରତିଶତ ଅର୍ଥାତ ଅଧା ପିଲାଙ୍କ ପୋଥିରେ ଡୋରି ବନ୍ଧା ହୋଇଛି । ଯାହାକି ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ରକୁ ପଦାରେ ପକାଇଛି । ଏହାକୁ ନେଇ ତେଜିଛି ରାଜନୀତି ।

ରାଜ୍ୟ ସରକାର ପିଏମ୍‌ଶ୍ରୀ ଯୋଜନାକୁ ରାଜ୍ୟ ନକରିବା ନେଇ ବର୍ଷିଛି ବିଜେପି । କେନ୍ଦ୍ରୀୟ ଅନୁଦାନ ରାଜ୍ୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତା ବୋଲି ଦଳ କହିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି । କଂଗ୍ରେସ ବି ଶାସକ ଦଳକୁ ଟାର୍ଗେଟ କରିଛି । ତେବେ କେନ୍ଦ୍ରମନ୍ତ୍ରୀ ରଖିଥିବା ତଥ୍ୟକୁ ଗ୍ରହଣ କରିବା ସ୍ଥିତିରେ ନାହିଁ ବିଜେଡି ।

ଶାସକ ଦଳ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟକୁ ଗ୍ରହଣ ନକଲେ ମଧ୍ୟ ଗ୍ରାଉଣ୍ଡ ଜିରୋର ସ୍ଥିତି ସମାନ ଚିତ୍ର ବଖାଣୁଛି । ଏହେଲେ ଗଞ୍ଜାମ ଖଲିକୋଟର ଜିତୁ ପାହନ । ଘରର ଆର୍ଥିକ ସ୍ଥିତିଅତି ଦୁର୍ବଳ ଥିବାରୁ ମାଟ୍ରିକ ପରୀକ୍ଷା ନଦେଇ ପେଟ ପୋଷିବାକୁ ସୁରଟ ପଳାଇଛନ୍ତି ଜିତୁ । କେବଳ ଜିତୁ ନୁହନ୍ତି ତାଙ୍କ ଭଳି ଅନେକ ପିଲା ଆର୍ଥିକ ଅନଟନ ଓ ଅନ୍ୟାନ୍ୟ କାରଣକୁ ନେଇ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ସେପଟେ ବିହାରକୁ ଟପି ଡ୍ରପ୍ ଆଉଟ୍ ହାରରେ ଓଡିଶା ପ୍ରଥମ ସ୍ଥାନ ହାସଲ କରିଥିବାକୁ ନେଇ ଚିନ୍ତାରେ ଶିକ୍ଷାବିତ୍ ।

ସ୍ମାର୍ଟ ସ୍କୁଲ ଯୋଜନାରେ ସ୍କୁଲ କାନ୍ଥରେ ରଙ୍ଗ ମାରି ରାଜ୍ୟରେ ଶିକ୍ଷାର ବିକାଶ ହେଉଥିବା ସରକାର ଡିଣ୍ଡିମ ପିଟିବା ସହ ବାହାବା ସାଉଣ୍ଟିବାର୍ ବ୍ୟସ୍ତ । ଏଣେ କିନ୍ତୁ ମୂଳ ଉଇ ଚରିଗଲାଣି ଦେଖିବାକୁ କେହି ନାହିଁ ।

  • Reported by:
  • JAGDISH DAS , Silu Biswal