• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

୪୮ ଘଣ୍ଟା ପରେ ବି ସାମ୍ନାକୁ ଆସିପାରିନି ଗଞ୍ଜାମ ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ମୃତ୍ୟୁ ପଛର ରହସ୍ୟ। ଆଇଆଇସି କେମିତି ଓ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ୟା ଭିତରେ ଆଇଆଇସିଙ୍କ ପୋଲିସ ପତ୍ନୀ ଆଜି ନ୍ୟାୟ ଦାବି ସହ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ସେପଟେ ଆଇଆଇସିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ କ୍ୱାର୍ଟର୍ସରେ ଉପରିସ୍ଥ ଅଧିକାରୀ ଓ ସେହି ଥାନାର ପୂର୍ବତନ ଆଇଆଇସିଙ୍କ ଉପସ୍ଥିତି ଏବଂ କିଛି ପୁରଣା ମାମଲା ଓ ବିବାଦ କଥା ସାମ୍ନାକୁ ଆସିଥିବାରୁ ଏ ମୃତ୍ୟୁ ରହସ୍ୟ ଅଧିକ ଜଟିଳ ହେବାରେ ଲାଗିଛି।

ତେବେ IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ? ଚାପରେ ଥାଇ ଆତ୍ମହତ୍ୟା, ସର୍ଭିସ ରିଭଲଭରରୁ ଅକସ୍ମାତ ଗୁଳି ଫୁଟି ନା ଅନ୍ୟ କେଉଁ ଅନାଲୋଚିତ କାରଣ ପାଇଁ ମୃତ୍ୟୁ ଫାସରେ ପଡ଼ିଗଲେ ଥାନାଧିକାରୀ ଦେବ କୁମାର ଗମାଙ୍ଗ ଏଭଳି ପ୍ରଶ୍ନ ଉଙ୍କିମାରୁଛି। ଘଟଣାକୁ ୟା ଭିତରେ ୪୮ ଘଣ୍ଟା ବିତିଯାଇଥିଲେ ବି ମୃତ୍ୟୁ ପଛର କାରଣ ସାମ୍ନାକୁ ଆସିବା ବଦଳରେ ଦିନକୁ ଦିନ ଅଧିକ ରହସ୍ୟାବୃତ୍ତ ହେଉଛି।

ଏ ଭିତରେ IICଙ୍କ ପୋଲିସ ପତ୍ନୀ ଆଜି ଗଣମାଧ୍ୟମ ସାମ୍ନାକୁ ଆସି, ସ୍ୱାମୀଙ୍କ ମୃତ୍ୟୁ କେମିତି ହେଲା, ତାର ସଠିତ ତଦନ୍ତ ଦାବି କରିଛନ୍ତି। ଏପରିକି ପୋଲିସ ଡିପାର୍ଟମେଣ୍ଟରେ ଥାଇ ବି ଯଦି ତାଙ୍କୁ ନ୍ୟାୟ ନ ମିଳେ, ତେବେ ନ୍ୟାୟ କାହାକୁ ମିଳିବ ବୋଲି ପ୍ରଶ୍ନ କରିଛନ୍ତି। ତା’ ସହ ତାଙ୍କ ସ୍ୱାମୀ ଅଫିସ କାର୍ଯ୍ୟଭାର ଚାପରେ ଥିବା କଥା ବି ଉଠାଇଛନ୍ତି ପତ୍ନୀ। ହେଲେ ପାରିବାରିକ ଅଶାନ୍ତି କଥାକୁ ଖଣ୍ଡନ କରିଛନ୍ତି।

ସେପଟେ IICଙ୍କ ମୃତ୍ୟୁକୁ ନେଇ ଏକାଧିକ ପ୍ରଶ୍ନ ସାମ୍ନାକୁ ଆସୁଛି। କୁହାଯାଉଛି, ମୃତ୍ୟୁ ପୂର୍ବରୁ ଦେବ କୁମାରଙ୍କ କ୍ୱାର୍ଟର୍ସକୁ ଆସିଥିଲେ ଭଞ୍ଜନଗର SDPO ଓ ଭଞ୍ଜନଗର IIC । ଏମାନେ ସମସ୍ତେ ମିଳିମିଶି ଡାଇନିଂରେ ଖାଇଥିଲେ ବି ତା ପରେ ହଠାତ ଏଭଳି ଅଘଟଣ ଘଟିଲା କେମିତି?

ଦେବକୁମାରଙ୍କ କ୍ୱାର୍ଟରକୁ ଆସିଥିବା ଭଞ୍ଜନଗର IIC ପୂର୍ବରୁ ଗାଙ୍ଗପୁର ଥାନାଧିକାରୀ ଥିଲେ। ଶୁଣିବାକୁ ମିଳୁଛି ଯେ ଏକ ପୁରୁଣା ହତ୍ୟା ମାମଲାର ତଦନ୍ତ ଦିଗକୁ ନେଇ ଆଲୋଚନା ହୋଇଥିଲା। ଏହାକୁ ନେଇ ଏମାନଙ୍କ ଭିତରେ କିଛି ଉଚ୍ଚବାଚ୍ଚ ହୋଇନି ତ? ୟା ଭିତରେ ଗାଙ୍ଗପୁର ଥାନା ମାଲଖାନା ଚାର୍ଜ ହାଣ୍ଡ ଓଭର ବିବାଦ କଥା ବି ସାମ୍ନାକୁ ଆସୁଛି।

ତେବେ ଏସବୁ ସନ୍ଦେହ ଭିତରେ ଗତକାଲି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ରିଭଲଭର ଜବତ ସହ ଛାନଭିନ୍ କରିଥିବାରୁ ଏବେ ସର୍ଭିସ୍‌ ରିଭଲରଭରର ଫିଙ୍ଗର ପ୍ରିଣ୍ଟ୍, ପିସ୍ତଲ ସହ ଆଇଆଇସିଙ୍କ ପେଟରୁ ମିଳିଥିବା ଗୁଳିର ମେଳ ରିପୋର୍ଟ ଓ ପୋଷ୍ଟମୋର୍ଟମ୍ ରିପୋର୍ଟ ହିଁ ସବୁ ସତ ପଦାକୁ ଆଣିବା ଅନୁମାନ କରାଯାଉଛି।

ସେଦିନ ଘଟଣା ଘଟିଥିବା କ୍ୱାର୍ଟର୍ସ ପରିସରରେ ଏକ ସିସିଟିଭି କ୍ୟାମେରା ଥିବାରୁ ତାର ଫୁଟେଜ୍ ବି ତଦନ୍ତ ପରିସରକୁ ଆସିଲେ, ମୃତ୍ୟୁ ପଛର ରହସ୍ୟ ଫିଟିବା ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଆଜିଯାଏ ଗଞ୍ଜାମ ଏସ୍‌ପି ଏଯାଏଁ ଘଟଣାସ୍ଥଳକୁ ନଆସିବା, ଘଟଣା ପରଠୁ ଗାଙ୍ଗପୁର ଥାନାରେ ୨୪ ଘଣ୍ଟା ତାଲା ପଡ଼ି ରହିବା ମାମଲାକୁ ନେଇ ଆହୁରି ସନ୍ଦେହ ଓ କୁହେଳିକା ସୃଷ୍ଟି କରୁଛି।

(ରିପୋର୍ଟ : ଭଞ୍ଜନଗରରୁ ରାଜେଶ ପଣ୍ଡା, ଗୁଣପୁରରୁ ଇଙ୍ଗିତ ପଣ୍ଡା ଓ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା)