• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆମଦାନି ଶୁଳ୍କ ବଢ଼ିବା ପରେ ମହଙ୍ଗା ହେଲା ସୁନା ଦର । ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଏକାଥରକେ ୧୧ଶହ ୫୦ ଟଙ୍କା ବଢ଼ିଛି । ତେବେ ସୋମବାର ବଜାର ଖୋଲିବା ପରେ ବର୍ଦ୍ଧିତ ଦର ମୋଟ୍ ଉପରେ ଅଢ଼େଇ ହଜାରରୁ ଅଧିକ ମହଙ୍ଗା ହେବାର ସମ୍ଭାବନା ରହିଛି । ସେପଟେ ନିକଟରେ ଜିଏସ୍ଟି କାଉନ୍ସିଲ କରିଥିବା ସୁପାରିଶ ଅନୁଯାୟୀ, ହୋଟେଲ୍ ଭଡ଼ା, ବିଜୁଳି ଚାଳିତ ପାଣି ପମ୍ପ୍, କାଳି, ଏପରିକି ସଡ଼କ, ବ୍ରିଜ୍, ରେଳପଥ ନିର୍ମାଣ କାର୍ଯ୍ୟ ଉପରେ ଜିଏସ୍ଟି ବଢ଼ିବାର ଆଶଙ୍କା ରହିଛି । ଯାହାକି ଖାଉଟି ଓ ବ୍ୟବସାୟୀଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।

ସୁନାପ୍ରେମୀଙ୍କୁ ଝଟକା । ମହଙ୍ଗା ହେଲା ସୁନା । କେନ୍ଦ୍ର ସରକାର ସୁନା ଉପରେ ଆମଦାନି ଶୁଳ୍କ ଓ କୃଷି ସେସ୍ ଲାଗୁ କରିବା ପରେ ହଠାତ୍ ଉପରମୁହାଁ ହୋଇଛି ଦର । ବୈଦେଶିକ ଭଣ୍ଡାରରେ ରୋକ୍ ଲଗାଇ ଟଙ୍କା ମୂଲ୍ୟରେ ସୁଧାର ଆଣିବା ଲକ୍ଷ୍ୟରେ ଗତକାଲି କେନ୍ଦ୍ର ସରକାର ସୁନା ଉପରେ ଆମଦାନି ଶୁଳ୍କକୁ ତତ୍କାଳ ୭.୫ ପ୍ରତିଶତରୁ ୧୨.୫ ପ୍ରତିଶତକୁ ବଢ଼ାଇଥିଲେ । ଏହାସହ ସୁନା ଉପରେ ଲଦିଛନ୍ତି ୨.୫ ପ୍ରତିଶତର କୃଷି ଭିତ୍ତିଭୂମି ବିକାଶ ସେସ୍ ।

ଗହଣା ବ୍ୟବସାୟୀଙ୍କ କହିବା କଥା, ଏହି ଘୋଷଣା ପରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ- MCXରେ ୧୦ ଗ୍ରାମ ପିଛା ସୁନା ଦାମ ୧ ହଜାର ଟଙ୍କା ମହଙ୍ଗା ହୋଇ ୫୧ ହଜାର ୫୭୦ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୪୬ ହଜାର ୫୫୦ ଟଙ୍କାରୁ ବଢ଼ି ୪୭ ହଜାର ୭୦୦ ଟଙ୍କା ହୋଇଯାଇଛି । ତେବେ ଆମଦାନି ଶୁଳ୍କ ୫ ପ୍ରତିଶତ ବଢ଼ିଥିବାରୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖି ଅଢ଼େଇ ହଜାର ଟଙ୍କା ବଢ଼ିବ । ସୋମବାର କମୋଡିଟି ଏକ୍ସଚେଞ୍ଜ ଖୋଲିବା ପରେ ବାସ୍ତବ ଦରବୃଦ୍ଧି ଜଣାପଡ଼ିବ । 

 

ଏପଟେ ନିକଟରେ ଶେଷ ହୋଇଥିବା ୪୭ତମ ବୈଠକରେ ବହୁ ସାମଗ୍ରୀରେ ଜିଏସ୍ଟି ହାର ବଢ଼ାଇବାକୁ ସୁପାରିସ କରିଛି ଜିଏସ୍ଟି ପରିଷଦ । ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା କାଳି, ବିଜୁଳି ଚାଳିତ ପମ୍ପ, ଛୁରୀ ଉପରେ ଜିଏସ୍ଟି ପରିମାଣ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବଢ଼ାଇବାକୁ ସୁପାରିସ ହୋଇଛି । ଅଟା ଚକି, ଗ୍ରାଇଣ୍ଡର ଉପରେ ଜିଏସ୍ଟିକୁ ୫%ରୁ ସିଧା ୧୩ ପ୍ରତିଶତ ବଢ଼ାଇ ୧୮ ପ୍ରତିଶତ କରିବା ଲାଗି ପରିଷଦ ସୁପାରିସ କରାଯାଇଛି । ଏପରିକି ସଡ଼କ,  ବ୍ରିଜ୍, ରେଳପଥ ନିର୍ମାଣ କାଯର୍ୟ ଉପରେ ଜିଏସ୍ଟିକୁ ୧୨%ରୁ ୧୮% କରିବା ଲାଗି ନିଷ୍ପତ୍ତି ନେଇଛି କାଉନ୍ସିଲ ।

ସେହିପରି ପୂର୍ବରୁ ଦୈନିକ ୧୦୦୦ ଟଙ୍କାରୁ କମ୍ ଭଡ଼ା ଥିବା ହୋଟେଲ ରୁମ୍‌କୁ ଶୂନ ପ୍ରତିଶତ ଜିଏସ୍ଟି ସ୍ଲାବ୍‌ରେ ରଖାଯାଇଥିବାବେଳେ ଏବେ ଏଗୁଡ଼ିକରେ ୧୨ ପ୍ରତିଶତ ଟିକସ ଲାଗିବ । ସେହିପରି ହସ୍ପିଟାଲ୍‌ ଗୁଡ଼ିକର ଦୈନିକ ରୁମ୍ ଚାର୍ଜ ୫ ହଜାର ଟଙ୍କାରୁ ଅଧିକ ହୋଇଥିଲେ ସେଥିରୁ ୫ ପ୍ରତିଶତ ଜିଏସ୍ଟି ଲାଗୁ ହେବ । ତେବେ ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା, ଜିଏସ୍ଟି ବୃଦ୍ଧି ସହ ସରକାର ଖାଉଟିଙ୍କ କ୍ରୟ କ୍ଷମତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେବାର ସମୟ ଆସିଛି ।

ଏସବୁ ଭିତରେ ଜୁନ୍ ମାସରେ ଦେଶର ଜିଏସ୍ଟି ସଂଗ୍ରହ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ଟପିଛି । ଏମିତିକି ଏହି ମାସରେ ଓଡ଼ିଶାରୁ ୩ ହଜାର ୯୬୫ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି । ଯାହାକି ଗତବର୍ଷ ଜୁନ୍‌ରେ ଆଦାୟ ହୋଇଥିବା ୩ ହଜାର କୋଟି ଟଙ୍କା ତୁଳନାରେ ପ୍ରାୟ ୩୨ ପ୍ରତିଶତ ଅଧିକ ।

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ