• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା ମନରୁ ଲିଭିନି, ଏବେ ଶ୍ରୀଗୁଣ୍ଡିଚା ରୋଷଘରୁ ଆସିଛି ଅନୁରୂପ ଅଭିଯୋଗ । ଶ୍ରୀଜୀଉ ଶରଧାବାଲିରେ ରଥାରୁଢ଼ ଥିବାବେଳେ, ଶ୍ରୀଗୁଣ୍ଡିଚା ରୋଷଘରେ ପଶି କେହି ୨୦ରୁ ଅଧିକ ଚୁଲି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ପୁଣି କିଏ ଏଭଳି କାଣ୍ଡ କରିବାର ଦୁଃସାହସ କଲା ତାକୁ ନେଇ ଉଦ୍‌ବେଗ ସୃଷ୍ଟି ହୋଇଥିଲା ବେଳେ ଏହା ପଛରେ ସୁଆର ସେବାୟତଙ୍କ ବିବାଦ ସାମ୍ନାକୁ ଆସିଛି । ଅପରପକ୍ଷେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କିନ୍ତୁ ଚୁଲିଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଶରଧାବାଲିରେ ରଥାରୁଢ଼ ତିନିଠାକୁର ଜନ୍ମବେଦୀକୁ ଯିବା ପୂର୍ବରୁ ଆଜି ଶ୍ରୀଗୁଣ୍ଡିଚା ଘରୁ ଆସିଥିବା ଏମିତି ସାଂଘାତିକ ଅଭିଯୋଗକୁ ନେଇ ପୁଣି ହଟଚମଟ । କିଛି ସୁଆର ସେବାୟତଙ୍କ କହିବା ଅନୁଯାୟୀ, ଆଡ଼ପ ଅବଢ଼ା ପାଇଁ ପ୍ରସ୍ତୁତ ଥିବା ୨୦ରୁ ଅଧିକ ଚୁଲିକୁ ଭଙ୍ଗାଯାଇଛି । ସବୁ ଚୁଲିର ଝିଙ୍କା ବା ଶିକାସବୁକୁ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି । ହେଲେ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଶ୍ରୀଗୁଣ୍ଡିଚାର ରୋଷଘରେ ପଶି କିଏ ଓ କାହିଁକି ଏଭଳି କାମ କରିବାକୁ ସକ୍ଷମ ହେଲା । ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସୁଆର ସେବାୟତ ଟୁଲୁ ମହାସୁଆରଙ୍କ ଅଭିଯୋଗ, କେହି ବାହାର ଲୋକ ନୁହେଁ, କୌଣସି ସେବାୟତ ହିଁ ଏଭଳି କାମ କରିଥାଇ ପାରନ୍ତି । ତେଣୁ ପ୍ରକୃତରେ କିଏ ଏଭଳି କାଣ୍ଡ କରିଛି ତାର ତଦନ୍ତ କରି ଦୁର୍ବୃତ୍ତକୁ ଧରିବାକୁ ଦାବି ହୋଇଛି ।

ଅପରପକ୍ଷେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କିନ୍ତୁ ଚୁଲି ଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କୌଣସି ଚୁଲି ଭଙ୍ଗାଯାଇ ନାହିଁ । ବ୍ୟକ୍ତିଗତ ବିବାଦରୁ ଏଭଳି ଅଭିଯୋଗ ଆସିଥାଇପାରେ । କିନ୍ତୁ ଆସନ୍ତାକାଲି ଆଡ଼ପ ଅଭଡ଼ା ପ୍ରସ୍ତୁତିରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

ପୂର୍ବରୁ ଗତ ଏପ୍ରିଲ ୨ ତାରିଖ ରାତିରେ ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଭାଙ୍ଗି ରୋଷଘରେ ପ୍ରାୟ ୪୦ଟି ଚୁଲିଭଙ୍ଗା ଯିବା ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣାର ୩ ଦିନ ପରେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ଚୁଲିଭଙ୍ଗା ଦୁର୍ବୃତ୍ତକୁ ଧରିଥିଲା ପୋଲିସ୍ । ଆଉ ଏହାପରେ ଏବେ ଶ୍ରୀଗୁଣ୍ଡିଚା ରୋଷଘରୁ ଚୁଲିଭଙ୍ଗା ଅଭିଯୋଗ ଚର୍ଚ୍ଚା ସୃଷ୍ଟି କରିଛି ।