Advertisment

ଲଙ୍କାପତି ରାବଣ ବି ପ୍ରଜାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନ ଥିଲା

– ଓମ୍‌ପ୍ରକାଶ ସାହୁ ଲଙ୍କାପତି ରାବଣ ପ୍ରଭୁ ରାମଚନ୍ଦ୍ରଙ୍କ ଶରାଘାତରେ ଭୂମିରେ ପଡ଼ି ଛଟପଟ ହେଉଥିଲା। ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କହିଲେ, ‘ଜଣେ ମହାଜ୍ଞାନୀଙ୍କର ମହାପ୍ରୟାଣ ହେବାକୁ ଯାଉଛି। ଯଦି କିଛି ରାଜଧର୍ମ ଶିଖିବାର ଅଛି ତେବେ ତାଙ୍କ ପାଖକୁ ଯାଅ ଓ ସେ କ’ଣ କହୁଛନ୍ତି ଶୁଣ।’ ଲକ୍ଷ୍ମଣ ବଡ଼ଭାଇଙ୍କ ଆଦେଶ ପାଳନ କରି ରାବଣ ପାଖକୁ ଗଲେ। ଜୀବନର ଶେଷ ସମୟରେ ରାବଣ ମନେ ମନେ ଲକ୍ଷ୍ମଣଙ୍କ […]

author-image
Otv Khabar Bureau
ଲଙ୍କାପତି ରାବଣ ବି ପ୍ରଜାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନ ଥିଲା

ravana

– ଓମ୍‌ପ୍ରକାଶ ସାହୁ

ଲଙ୍କାପତି ରାବଣ ପ୍ରଭୁ ରାମଚନ୍ଦ୍ରଙ୍କ ଶରାଘାତରେ ଭୂମିରେ ପଡ଼ି ଛଟପଟ ହେଉଥିଲା। ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କହିଲେ, ‘ଜଣେ ମହାଜ୍ଞାନୀଙ୍କର ମହାପ୍ରୟାଣ ହେବାକୁ ଯାଉଛି। ଯଦି କିଛି ରାଜଧର୍ମ ଶିଖିବାର ଅଛି ତେବେ ତାଙ୍କ ପାଖକୁ ଯାଅ ଓ ସେ କ’ଣ କହୁଛନ୍ତି ଶୁଣ।’

Advertisment

ଲକ୍ଷ୍ମଣ ବଡ଼ଭାଇଙ୍କ ଆଦେଶ ପାଳନ କରି ରାବଣ ପାଖକୁ ଗଲେ।

ଜୀବନର ଶେଷ ସମୟରେ ରାବଣ ମନେ ମନେ ଲକ୍ଷ୍ମଣଙ୍କ ଭଳି ଆଚରଣସିଦ୍ଧ ଲୋକଙ୍କୁ ଖୋଜୁଥିଲା। ରାବଣ ଓ ଲକ୍ଷ୍ମଣଙ୍କ ଭିତରେ ଫରକ ହେଉଛି ରାବଣ ଯୋଦ୍ଧା ଥିଲେ କିନ୍ତୁ ଆଚରଣସିଦ୍ଧ ନ ଥିଲେ। ଅନ୍ୟପକ୍ଷରେ ଲକ୍ଷ୍ମଣ ଥିଲେ ଯୋଦ୍ଧା ଓ ଆଚରଣସିଦ୍ଧ। ରାବଣ କହିଲା, ‘ମୁଁ ଯେତେବେଳେ ଯାହା ଚାହିଁଛି ପାଇଛି, କିନ୍ତୁ ପ୍ରଜାମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ତିନିଟି କଥା ପୂରଣ କରିପାରିଲି ନାହିଁ। ସେଥିମଧ୍ୟରୁ ଗୋଟିଏ ହେଉଛି ଲଙ୍କାନଗରୀର ଚାରିପାଖକୁ ଲାଗି ରହିଥିବା ସମୁଦ୍ରପାଣିକୁ ମିଠା କରିବା। ଦ୍ୱିତୀୟଟି ହେଉଛି ଯେଉଁମାନେ ପୃଥିବୀରେ ରହି ନର୍କଯନ୍ତ୍ରଣା ଭୋଗୁଛନ୍ତି ସେମାନଙ୍କୁ ସ୍ୱର୍ଗସୁଖ ଦେବା ଓ ତୃତୀୟଟି ହେଉଛି ଲଙ୍କାପୁରରୁ ସ୍ୱର୍ଗପୁର ପର୍ଯ୍ୟନ୍ତ ନିଶୁଣି ପକାଇବା।

ରାବଣର କଥାଗୁଡ଼ିକ ଲକ୍ଷ୍ମଣ ବଡ଼ ଭାଇ ରାମଚନ୍ଦ୍ରଙ୍କୁ କହିଲେ। ରାମଚନ୍ଦ୍ର ଶୁଣି ହସିଲେ ଆଉ କହିଲେ, “ଶେଷ ସମୟରେ ଯାହା କୁହାଯାଏ ତାହା ପଶ୍ଚାତାପ। ରାବଣ ଯଦି ଭଲ କାମ କରିବାକୁ ଚାହୁଁଥିଲା ଆଗୁଆ କଲା ନାହିଁ କାହିଁକି ?”

Advertisment

ରାମଚନ୍ଦ୍ର କହିଲେ, “ରାବଣ ଭଲ କାମଗୁଡ଼ିକୁ ଆଜି କରିବି କାଲି କରିବି କହି ଖରାପ କାମଗୁଡ଼ିକ କରିଚାଲିଲା। ତେଣୁ ତାର ଆୟୁଷହାନି ଘଟିଲା ଆଉ କର୍ମଦୋଷରୁ ଆଜି ତାର ଏ ଅବସ୍ଥା।” ସେ ଭଲ କାମଗୁଡ଼ିକୁ ଆଗେ କରିଥିଲେ ହୁଏତ ଏତେ ଶୀଘ୍ର ମରି ନ ଥା’ନ୍ତା।

ଏହି ଗଳ୍ପର ସାରମର୍ମ ହେଉଛି…….

କର୍ମଦୋଷରୁ ମଣିଷ ନିଜର ଆୟୁଷହାନି କରିଥାଏ। ରାବଣ ରାମଙ୍କ ବାଣରେ ମରିବାରୁ ତାଙ୍କର ମୋକ୍ଷପ୍ରାପ୍ତି ହେଲା ଏହା ସତ୍ୟ। କିନ୍ତୁ କୁକର୍ମ ପାଇଁ ତାକୁ ଶୀଘ୍ର ମରିବାକୁ ପଡ଼ିଲା। ରାବଣ ଉପରେ ଦେବ, ଦାନବ, ମାନବ ଏମିତି ଶହ ଶହ ଅଭିଶାପରେ ଅଭିଶପ୍ତ ହୋଇରହିଥିଲା। ରାବଣ ଥିଲା ମହାଜ୍ଞାନୀ, ମହାପଣ୍ଡିତ, ମହାଶାସ୍ତ୍ରୀ। ସେ ଥିଲା ପ୍ରଜାବତ୍ସଳ।  ରାବଣର ରାଜତ୍ୱକାଳରେ ଲଙ୍କା ଥିଲା ସୁବର୍ଣ୍ଣନଗରୀ। ଏତେ ସବୁ ଗୁଣ ଥାଇ ମଧ୍ୟ ତାଙ୍କର ଅପମୃତ୍ୟୁ ଘଟିଥିଲା। ରାବଣର ଗର୍ବ, ଅହଙ୍କାର ଆଉ ଦୌରାତ୍ମ୍ୟ ଏତେ ବଢ଼ିଯାଇଥିଲା ଯେ ସ୍ୱୟଂ ଭଗବାନ ତାକୁ ମାରିବାକୁ ଧରାପୃଷ୍ଠରେ ଜନ୍ମ ନେଇଥିଲେ। ଜ୍ଞାନ ଓ ପାଣ୍ଡିତ୍ୟର ଅହଂକାର ରାବଣକୁ ଅନ୍ଧାର ଭିତରକୁ ଠେଲି ଦେଇଥିଲା। ସେଥିପାଇଁ କୁହାଯାଏ ‘ଅତିଗର୍ବେ ହତ ଲଙ୍କା।’

ଅର୍ଥାତ୍ ରାବଣ ଏକ ଅମାନବୀୟ ଗୁଣ ଓ ଚରିତ୍ରର ଅଧିକାରୀ। ରାବଣ ଅହଙ୍କାରୀ ଥିଲା। ତାଙ୍କ କଥା ଓ କାମରେ ସନ୍ତୁଳନ ନ ଥିଲା। ସେ ବଡ଼ ଅଳସୁଆ ମଧ୍ୟ ଥିଲା।

ଆଜିକାଲି ଅପମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତାହାର କାରଣ ହେଉଛି କର୍ମଦୋଷରୁ ଆୟୁଷହାନି। ମଣିଷ ନାନା କୁକର୍ମ କରି ନିଜର ଆୟୁଷ ହାନି କରୁଛି।

ରାମରାଜ୍ୟ ଓ ରାବଣରାଜ୍ୟ ଭିତରେ ଫରକ୍‌ ହେଉଛି ରାବଣ ରକ୍ତପାତ କରି ସାମ୍ରାଜ୍ୟ ବଢ଼ାଇବାକୁ ଚାହୁଁଥିଲେ। କିନ୍ତୁ ରାମଚନ୍ଦ୍ର ସମସ୍ତଙ୍କର ମଙ୍ଗଳ କରିବା ପାଇଁ ଚାହୁଁଥିଲେ।

ସାରା ବିଶ୍ୱବାସୀଙ୍କ ମଙ୍ଗଳ ଚିନ୍ତା କରିବା ଓ ଶାନ୍ତି ସ୍ଥାପନ ପଥରେ ଅଗ୍ରସର ହେବା ଅସଲ ମଣିଷପଣିଆ।

Advertisment
Advertisment