ଆପଣ ଜାଣନ୍ତି କି, ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା ଏକ ଔଷଧୀୟ ଗୁଳ୍ମ ଅମୃତ ଭଳି କାମ କରେ। ଏହା ମଣିଷକୁ ସାରା ଜୀବନ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ। ଏହି ଔଷଧ ଆମ ହାତ ପାହାନ୍ତାରେ ରହିଛି, କିନ୍ତୁ ଆମେ ଏହାକୁ ବ୍ୟବହାର କରୁନୁ। ଏହି ମହୌଷଧି ଯେଉଁଛି ବ୍ରାହ୍ମୀ I ବ୍ରାହ୍ମୀ ଦୁଇ ପ୍ରକାରର । ତେବେ ଏସିଆ ମହାଦେଶରେ ଏହି ( ଫଟୋରେ ଦେଖାଯାଉଥିବା) ଗୁଳ୍ମର ବହୁଳ ଭାବେ ବ୍ୟବହାର କରାଯାଏ I ଭାରତ ସମେତ ଚୀନ, ଇଣ୍ଡୋନେସିଆ ଶ୍ରୀଲଙ୍କାରେ ଏହି ଗୁଳ୍ମର ଲୋକପ୍ରିୟତା ବହୁତ I
ବ୍ରାହ୍ମୀ ବିଶେଷ କରି ସନ୍ତସନ୍ତିଆ ସ୍ଥାନରେ ହୁଏ। ସେଥିପାଇଁ ଏହାକୁ ଜଳବ୍ରାହ୍ମୀ କୁହାଯାଏ । ଓଡ଼ିଶାରେ ଏହା ଥାଲକୁଡ଼ି ନାଁରେ ପରିଚିତ । ତେବେ ଏହା ଦେଖିବାକୁ ଘୋଡାର ପାଦ ଚିହ୍ନ ଭଳି ହୋଇଥିବାରୁ କେହି କେହି ଏହାକୁ ଘୋଡ଼ାଟାପୁ ପତ୍ର ବୋଲି କୁହନ୍ତି । ସମାଜ ସଂସ୍କାରକ ତଥା ଧର୍ମ ସଂସ୍କାରକ ଠାକୁର ଅନୁକୁଳଚନ୍ଦ୍ର ତାଙ୍କ ଅନୁଗାମୀମାନଙ୍କୁ ଥାଲକୁଡ଼ି ପତ୍ର ପ୍ରତିଦିନ ସେବନ କରିବାକୁ ପରାମର୍ଶ ଦେଇଛନ୍ତି I ଏହା ମଣିଷକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ ।
ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ । ତେବେ ଗର୍ଭବତୀ ମହିଳାଙ୍କୁ ଖାଇବକୁ ମନା କରାଯାଇଛି। ପ୍ରତିଦିନ ଏହି ପତ୍ରର ରସ ଦୁଇ ଚାମଚ ପର୍ଯ୍ୟନ୍ତ ଖାଇପାରିବେ । ପ୍ରତିଦିନ ୨ରୁ ୪ ଗ୍ରାମ୍ ପର୍ଯ୍ୟନ୍ତ ପତ୍ର ଖାଲିପେଟରେ ଖିଆଯାଇପାରେ। କୌଣସି ନିର୍ଦ୍ଦିଷ୍ଟ ରୋଗ ଥିଲେ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇପାରେ। ଏହି ଔଷଧ କ୍ୟାପସୁଲ ଆକାରରେ ମଧ୍ୟ ମିଳୁଛି ।
ବ୍ରାହ୍ମୀର ଉପକାରିତା
ଶରୀର ନିରୋଗ ରୁହେ
ବ୍ରାହ୍ମୀ ସେବନ ଦ୍ୱାରା ଶରୀର ସୁସ୍ଥ ରୁହେ ଓ ମଣିଷ ଦୀର୍ଘାୟୁ ହୁଏ I ମଣିଷର ମନ ବା ମୁଡ ଉପରେ ପ୍ରଭାବ ପକାଉ ଥିବାରୁ ମନ ପ୍ରଫୁଲ୍ଲ ରହିଥାଏ। ଚୀନରେ ଏହାକୁ ଫାଉଣ୍ଟେନ ଅଫ ୟୁଥ କୁହାଯାଏ I ବିଶ୍ୱର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ଲୋକ ଲି ଚିଂ ଯୁଏନ ଏହାକୁ ଦୈନନ୍ଦିନ ସେବନ କରୁଥିବା ପ୍ରମାଣ ରହିଛି । ଲି ଚିଂ ପାଖାପାଖି ଦୁଇ ଶହ ବର୍ଷ ବଞ୍ଚିଥିଲେ I ଲି ଚିଂ ଚୀନର ଜଣେ ଆୟୁର୍ବେଦ ଔଷଧ ସଂଗ୍ରାହକ ତଥା ମାର୍ଶାଲ ଆର୍ଟ ମାଷ୍ଟର ଭାବେ ପରିଚିତ ଥିଲେ।
ସ୍ମରଣ ଶକ୍ତି ବୃଦ୍ଧି କରେ
ଏହି ଔଷଧୀୟ ଗୁଳ୍ମ ଉପରେ ପୂର୍ବରୁ ବହୁ ଗବେଷଣା ହୋଇଛି। ଏହା ଆତ୍ମବିଶ୍ୱାସ ଓ ବୁଦ୍ଧି ବଢାଏ, ସ୍ମରଣ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ। ପ୍ରତିଦିନ ସେବନ କଲେ ମଣିଷ ବିଚକ୍ଷଣ ପ୍ରତିଭାଧାରୀ ହୁଏ I ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଏହାକୁ ସେବନ କରିବା ଉଚିତ I ଆୟୁର୍ବେଦ ଗ୍ରନ୍ଥ ସୁଶ୍ରୁତ ସଂହିତା ଏହାକୁ ମେଧାବର୍ଦ୍ଧକ ଔଷଧର ମାନ୍ୟତା ଦେଇଛି । ଏହା ଏକ ମେଧାବର୍ଧକ ଟନିକ I ଏଥିରୁ ତିଆରି ମେଧାବର୍ଦ୍ଧକ ଔଷଧ ହଜାର ହଜାର ଟଙ୍କା ଦରରେ ଦେଶ ବିଦେଶରେ ବିକ୍ରି ହେଉଛି।
ଅବସାଦ ନାଶକ
ଏହା ଅବସାଦନାଶକ ଭାବେ ମଧ୍ୟ କାର୍ଯ୍ୟ କରେ। ମସ୍ତିଷ୍କ ଯେତେବେଳେ କ୍ଲାନ୍ତ ଅନୁଭବ କରେ ସେତେବେଳେ ଏଥିରେ ଥିବା ଘଟକ ତତ୍ତ୍ୱ ସ୍ନାୟୁକୋଷକୁ ପୋଷଣ ଯୋଗାଇଥାଏ। ଥାଲକୁଡ଼ି ସେବନ ଦ୍ୱାରା ଭଲ ନିଦ ହୁଏ, ମାତ୍ର ଏହା ଦ୍ୱାରା କୌଣସି ଅବାଂଛିତ ପ୍ରଭାବ ଶରୀର ଉପରେ ପଡେ ନାହିଁ ।
ଇଛାଶକ୍ତି ବୃଦ୍ଧି ପାଏ
ଥାଲକୁଡ଼ିରେ ଥିବା ଔଷଧୀୟ ଗୁଣ ଯୋଗୁ ମଣିଷର ମସ୍ତିଷ୍କରେ ଥିବା ସ୍ନାୟୁତନ୍ତୁ ଗୁଡ଼ିକ ବିକଶିତ ହୁଏ ଯଦ୍ଦାରା ଆମର ଶିଖିବାର କ୍ଷମତା ବଢ଼ିଯାଏ । ଆମ ଶରୀରରେ ଥିବା ପିନିଏଲ ଅନ୍ତଃସ୍ରାବୀ ଗ୍ରନ୍ଥି ଉପରେ ଏହା ପ୍ରଭାବ ପକାଇ ମଣିଷର ମାନସିକ ଦକ୍ଷତା ବଢ଼ାଇ ଦିଏ ।
ରକ୍ତଦୋଷ ନିବାରଣ କରେ
ଏହା ଏକ ଆୟୁର୍ବେଦିକ ରସାୟନ। ଏହା ଶରୀରର ରକ୍ତଦୋଷ ମଧ୍ୟ ନିବାରଣ କରେ। ପ୍ରତିଦିନ ଚାରି ପାଂଚଟି ପତ୍ର ଖାଲିପେଟରେ ପାଣି ସହ ଖାଇଲେ ରକ୍ତ ପରିଷ୍କାର ରହେ I
ଶିରାକୁ ଶକ୍ତ କରେ
ଥାଲକୁଡ଼ି ପତ୍ରର ରସ ଦୁର୍ବଳ ଶିରାକୁ ସୁସ୍ଥ କରିଥାଏ I ଫଳରେ ଶିରାରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ I
କିଡନୀ ସୁସ୍ଥ ରହେ
ଏହି ପତ୍ରର ରସ ସେବନ କଲେ ଶରୀରରୁ ଅଦରକାରୀ ତତ୍ତ୍ୱ ମୂତ୍ର ଆକାରରେ ବାହାରି ଯାଏ I ଫଳରେ ସାରା ଜୀବନ କିଡନୀ ସୁସ୍ଥ ରହେ ଓ ମୂତ୍ର ଜନିତ ରୋଗ ଆଦୌ ହୁଏ ନାହିଁ I
ମୋଟାମୋଟି ଭାବେ କହିବାକୁ ଗଲେ ଏହା ଏକ ସର୍ବୌଷଧୀ । ଯଦି ଏହା କେଉଁଠି ନ ମିଳେ ତେବେ ନର୍ସରୀରୁ ସଂଗ୍ରହ କରି ବାଡ଼ି ବଗିଚାରେ ଲଗାଇବା ଦରକାର । ରୋଗ ହେଲେ ଔଷଧ ଖାଇବା ଅପେକ୍ଷା ରୋଗଠୁ ଦୂରେଇ ରହିବା ଭଲ । ରୋଗଠୁ ଦୂରେଇ ରହିବାକୁ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢାଇବା ଦରକାର I ସେଥିପାଇଁ କୁହାଯାଏ ‘ପ୍ରିଭେନସନ୍ ଇଜ୍ ବେଟର ଦ୍ୟାନ୍ କ୍ୟୋର’ ।