• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଘୁଚାପ ହେବା ନିଶ୍ଚିତ । କିନ୍ତୁ ବାତ୍ୟା ହେବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍ କେ. ଜେନାମଣି । ଏହା ଘନୀଭୂତ ହୋଇ ୬ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବ । ଲଘୁଚାପ ହେବା ପରେ ଏହା କେତେ ଘନୀଭୂତ ହେବ, ଏବେଠୁ କହି ହେବନି । ବାତ୍ୟା ସଂପର୍କରେ ମଧ୍ୟ ଚିତ୍ର ଅସ୍ପଷ୍ଟ ରହିଛି । ଯଦି ବାତ୍ୟା ହେବ, ଏହାର ତୀବ୍ରତା କେତେ ରହିବ, କେଉଁଠି ଲ୍ୟାଣ୍ଡଫଲ୍ କରିବ, ଏବେଠୁ କହିବା ମୁସ୍କିଲ । ତେବେ ଜେନାମଣି ଏକଥା ବି କହିଛନ୍ତି, ବିଭିନ୍ନ ମଡେଲ ଅନୁସାରେ ବାତ୍ୟା ସମ୍ଭାବନା ରହୁଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଗତକାଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଇଥିବା ସୂଚନା ଅନୁସାରେ, ୪-୫ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୬ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଲଘୁଚାପ ଘନୀଭୂତ ହୋଇ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ଏବଂ ସ୍ଥିତି ଅନୁକୂଳ ରହିଲେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ୧୦ ତାରିଖ ବେଳକୁ ଏହା ଓଡିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିପାରେ । ବାତ୍ୟା ଯଦି ଓଡ଼ିଶା ଉପକୂଳ ମୁହାଁ ହୁଏ ତେବେ କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ଏହାର ପ୍ରଭାବ ପଡିପାରେ ।

ଏପଟେ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ କ୍ରମାଗତ ସାମୁଦ୍ରିକ ବାୟୁ ପ୍ରବେଶ କରୁଥିବାରୁ ସକ୍ରିୟ ହୋଇଛି କାଳବୈଶାଖୀ । ଖଡିଆଳରେ କାଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବର୍ଷା ହୋଇଛି । ପବନ ଯୋଗୁଁ କିଛି ସ୍ଥାନରେ ଗଛ ଭାଙ୍ଗିଯାଇଛି । ଉପକୂଳ ଓଡ଼ିଶାରେ ବି ବଦଳିଛି ପାଗର ମିଜାଜ୍ । କଟକ-ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଧିକାଂଶ ଜିଲ୍ଲାରେ ମେଘାଛନ୍ନ ରହିଛି ଆକାଶ । କିଛି ସ୍ଥାନରେ ଝିପ୍ ଝିପ୍ ବର୍ଷା ବି ହୋଇଛି । ଫଳରେ ଗଲା କିଛି ଦିନ ଧରି ଲାଗିରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।