Advertisment

ଶ୍ରାବଣରେ ଜମି ଫାଟି ଆଁ,ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଶ୍ରାବଣ ଅଧାରେ ପ୍ରାୟ ୪୦ % ଜମିରେ ଆରମ୍ଭ ହୋଇନି ଧାନଚାଷ । ସ୍ୱଳ୍ପ ମିଆଦୀ ଧାନ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟ ସରକାର କହିଲେ, ଏଯାଏଁ ଆସିନି ମରୁଡ଼ି ସ୍ଥିତି । ସ୍ଥିତି ଉପରେ ନଜର ରଖିଛୁ, ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

rain deficit

ଧାରା ଶ୍ରାବଣରେ ମୁଣ୍ଡରେ ହାତ ଦେଇ ବସିଛି ଚଷାପୁଅ। ମାଟି ଫାଟି ଆଁ କଲାଣି। ଧାନ ବିଲରେ ଗଜା ମରୁଡ଼ି ସ୍ଥିତି। ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ପାଖାପାଖି ୪୦ ପ୍ରତିଶତ ଜମିରେ ଏଯାଏଁ ଆରମ୍ଭ ହୋଇପାରିନି ଧାନ ଚାଷ। ଯେଉଁଠି ବି ତଳି ଉଠିଛି ହଳଦିଆ ପଡ଼ିଲାଣି । ବର୍ଷା ଟିକେ ପାଇଁ ବିଲ ହିଡ଼ରେ ଆକାଶର ଭସା ବାଦଲକୁ ଅନେଇ ରହିଛି ଚାଷୀ ବାପୁଡ଼ା। କ’ଣ ହେବ ଆଗକୁ, କିଛି କୂଳ କିନାରା ପାଉନି । ଏମିତି ସ୍ଥିତିରେ ସ୍ୱଳ୍ପମିଆଦୀ ଧାନ ଚାଷ ଲାଗି ପରାମର୍ଶ ଦେଲେଣି କୃଷି ବିଶେଷଜ୍ଞ। ହେଲେ ସରକାର କହୁଛନ୍ତି, ଏବେ ବି ମରୁଡ଼ି ସ୍ଥିତି ଆସିନି। ଉପଯୁକ୍ତ ସମୟରେ ପଦକ୍ଷେପ ନେବେ ସରକାର।…

Advertisment

ସମ୍ବଲପୁର ଜମନକିରା ବ୍ଲକ ଭୋଜପୁର ଅଞ୍ଚଳରେ ୧୫ ଦିନ ହେଲା ବର୍ଷାର ଦେଖା ନାହିଁ। ପାଣି ଅଭାବରୁ ଗଜା ଗଛ ସବୁ ହଳଦିଆ ହୋଇ ମରିବାକୁ ବସିଲାଣି। ସୁନ୍ଦରଗଡ କୋଇଡ଼ା ବ୍ଲକରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଛି । ନିଅଣ୍ଟିଆ ବର୍ଷା ଯୋଗୁ କେଉଁଠି ଚାଷ ଜମି ପଡ଼ିଆ ପଡ଼ିଛି ତ’ ଆଉ କେଉଁଠି ଗଜା ମରୁଡ଼ି ସ୍ଥିତି। ପ୍ରଥମ ବର୍ଷା ପରେ ଋଣ କରି ବିଲରେ ବୁଣିଥିବା ବିହନ ନଷ୍ଟ ହୋଇଯାଇଥିବାରୁ ଆସନ୍ନ ମରୁଡ଼ି ଚିନ୍ତାରେ ବ୍ଲକର ୧୫ ପଞ୍ଚାୟତର ଚାଷୀକୂଳ। କେବଳ ଏ ଦୁଇ ଅଂଚଳ ନୁହେଁ, ବରଗଡ଼ରୁ ନୂଆପଡ଼ା ଯାଏଁ ସବୁଠି ଚାଷର ବିକଳ ଚିତ୍ର।

ଓୟୁଏଟି କୃଷି ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ଜୁନ ପହିଲାରୁ ଜୁଲାଇ ୧୦ ତାରିଖ ସୁଦ୍ଧା ରାଜ୍ୟରେ ୨୨୧ ମିଲିଲିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୩୨.୨ ପ୍ରତିଶତ କମ୍ । ଦେବଗଡ଼ରାୟଗଡ଼ା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୨୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୮ଟି ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ହୋଇଛି ୫୦ ପ୍ରତିଶତରୁ କମ୍ ବର୍ଷା କଳାହାଣ୍ଡିରେ ୬୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୂରଭଂଜରେ ୫୬ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୫ ପ୍ରତିଶତ, ନବରଙ୍ଗପୁରପୁରୀ ରେ ୫୪ ପ୍ରତିଶତ କମ୍ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିବାରୁ ଚାଷୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

Advertisment

କୃଷି ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହେବା କଥା । ହେଲେ ହୋଇଛି ମାତ୍ର ୬ ଲକ୍ଷ ୨୫ ହଜାର ହେକ୍ଟର ଜମିରେ। ସେହିଭଳି ଏ ସମୟ ସୁଦ୍ଧା ଯେଉଁଠି ୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା, ସେଠି ମାତ୍ର ୬୦% ବା ୩ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଆରମ୍ଭ ହୋଇପାରିଛି । ମୌସୁମୀ ବିଳମ୍ବ ଥିବାରୁ ରାଜ୍ୟରେ ନିଅଣ୍ଟିଆ ବର୍ଷା ଥିବା କଥାକୁ କୃଷି ନିର୍ଦ୍ଦେଶକ ସ୍ୱୀକାର କରିଥିଲେ ମଧ୍ୟ ବର୍ତ୍ତମାନ ସମୟରେ ସ୍ଥିତି ଚିନ୍ତାଜନକ ନଥିବା କହିଛନ୍ତି।

ସେପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଏବେ ରାଜ୍ୟରେ ମରୁଡ଼ି ଭଳି ସ୍ଥିତି ଆସିନି। ସରକାର ଚାଷ ସ୍ଥିତି ଉପରେ ନଜର ରଖିଛନ୍ତି। ଆବଶ୍ୟକତା ଅନୁସାରେ ଉଚିତ ସମୟରେ ପଦକ୍ଷେପ ନିଆଯିବ।

Rain Deficit In Odisha
Advertisment
Advertisment