• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘର କରିଥିଲେ ପଥର ପଡ଼ିଲେ ସହି । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ସାଧାରଣ କଥା । ଦାମ୍ପତ୍ୟ ଜୀବନକୁ ଠିକ୍‌ ଭାବେ ନିଭାଇବା ତଥା ସମ୍ପର୍କରେ ଆକର୍ଷଣ ଓ ମଧୁରତା ବଜାୟ ରଖିବା ଦାୟିତ୍ୱ ଖୋଦ୍‌ ସ୍ୱାମୀସ୍ତ୍ରୀଙ୍କ ହାତରେ ଥାଏ । ହେଲେ କିଛି ବର୍ଷର ବୈବାହିକ ଜୀବନ ପରେ ସମ୍ପର୍କରେ ତିକ୍ତତା ଆସିବା ଆରମ୍ଭ ହୋଇଯାଏ । ଏପରିକି ଘର କଳି ପାଇଁ ବେଳେ ବେଳେ ଥାନାକୁ ଯାଏ ସ୍ୱାମୀସ୍ତ୍ରୀଙ୍କ ମାମଲା । ହେଲେ ସ୍ୱାମୀଙ୍କୁ ବାରମ୍ବାର ଜେଲ୍‌ ପଠାଇ ବାରମ୍ବାର ବେଲ୍‌ରେ ଆଣିବା ସାଧାରଣ କଥା ନୁହେଁ । ଗୁଜରାଟର ମହେସାଣାରେ ଏଭଳି ଏକ ଘଟଣା ଘଟିଛି । ଘରୋଇ ହିଂସା ଯୋଗୁଁ ୧୦ ବର୍ଷରୁ କମ୍‌ ସମୟ ମଧ୍ୟରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ୭ ଥର ଗିରଫ କରାଇ ଜାମିନରେ ମୁକୁଳାଇଥିବା ସୂଚନା ମିଳିଛି ।

ମହେସାଣା ଜିଲ୍ଲାର କଡ଼ୀ ନଗରୀରେ ରୁହନ୍ତି ପ୍ରେମଚନ୍ଦ ମାଲି ଓ ତାଙ୍କ ସ୍ତ୍ରୀ ସୋନୁ । ପ୍ରେମଚନ୍ଦ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । ୨୦୦୧ରେ ଉଭୟଙ୍କ ବିବାହ ହୋଇଥିଲା । ବେଶ୍‌ କିଛି ଦିନ ହସଖୁସିରେ କଟିଥିଲା ସ୍ୱାମୀସ୍ତ୍ରୀଙ୍କ ଜୀବନ । ହେଲେ ବିବାହର କିଛି ବର୍ଷ ପରେ ତଥା ୨୦୧୪ରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।

ସ୍ୱାମୀ ମାଡ଼ ମାରୁଥିବା କହି ସ୍ତ୍ରୀ ସୋନୁ ୨୦୧୫ ମସିହାରେ ପ୍ରଥମେ ପ୍ରେମଚନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଭରଣ ପୋଷଣ ପାଇଁ ସ୍ତ୍ରୀ’ଙ୍କୁ ମାସକୁ ୨୦୦୦ ଟଙ୍କା ଦେବା ପାଇଁ ପ୍ରେମ୍‌ଚନ୍ଦଙ୍କୁ ଆଦେଶ ଦେଇଥିଲେ । ହେଲେ ଭରଣପୋଷଣ ବାବଦ ଅର୍ଥ ଦେଇ ନପାରୁଥିବାରୁ ଗିରଫ ହୋଇଥିଲେ । ୫ ମାସ ଜେଲ୍‌ରେ ରହିବା ପରେ ତାଙ୍କର ନିଜର ବୋଲି କେହି ନଥିବାରୁ ସ୍ତ୍ରୀ ସୋନୁ ଆସି ତାଙ୍କ ପାଇଁ ଜାମିନ ବ୍ୟବସ୍ଥା କରିଥିଲେ ।

ସେପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରେମଚନ୍ଦ ଟଙ୍କା ଯୋଗାଡ଼ କରି ପାରୁନଥିଲେ କି ସ୍ତ୍ରୀକୁ ଦେଇପାରୁ ନଥିଲେ । ଫଳରେ ତାଙ୍କ ନାଁରେ ଥରକୁ ଥର ଜାମିନବିହୀନ ଗିରଫ ପରୱାନା ଜାରି ହେଉଥିଲା ।

ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ୨୦୧୬ରୁ ୧୮ ମସିହା ମଧ୍ୟରେ ସୋନୁ ପ୍ରତି ବର୍ଷ ଗିରଫ ହେଉଥିଲେ । ଆଉ ତାଙ୍କୁ ପ୍ରତିଥର ସୋନୁ ହିଁ ଜାମିନରେ ଆଣୁଥିଲେ । ପରେ ୨୦୧୯ ମସିହାରୁ ୨୦୨୦ ମସିହା ମଧ୍ୟରେ ସ୍ତ୍ରୀକୁ ମାସିକ ଭରଣପୋଷଣ ବାବଦ ଖର୍ଚ୍ଚ ନ ଦେଇପାରିବାରୁ ତାଙ୍କୁ ଆଉ ୨ ଥର ଗିରଫ ହେବାକୁ ପଡ଼ିଥିଲା । ପୁଣି ସୋନୁ ଜାମିନ ବ୍ୟବସ୍ଥା କରି ଜୁଲାଇରେ ପ୍ରେମଚନ୍ଦଙ୍କୁ ମୁକୁଳାଇଥିଲେ । ଏହି ଘଟଣା ପରେ ଉଭୟେ ଘରକୁ ଫେରି ଏକାଠି ରହିବା ଆରମ୍ଭ କରିଥିଲେ ।

ମାତ୍ର ଶେଷ ଥର ପ୍ରେମଚାନ୍ଦଙ୍କ ୱାଲେଟ ଓ ଫୋନ୍‌ ହଜି ଯାଇଥିବାରୁ ସେଥି ପାଇଁ ସେ ସ୍ତ୍ରୀ ସୋନୁଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହାପରେ ପ୍ରେମଚନ୍ଦ ଘରୁ ବାହାରି ଯାଇ ନିଜ ସ୍ତ୍ରୀ ଓ ପିଲାଙ୍କ ନାଁ କେସ୍‌ କରିଛନ୍ତି । ଗତ ୭ ତାରିଖରେ ସେ ଉଭୟ ମା’ ପୁଅଙ୍କ ନାଁରେ କେସ୍‌ କରିଛନ୍ତି ।