• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନ୍ମମୃତ୍ୟୁ ସବୁ ଭଗବାନ୍‌ଙ୍କ ହାତରେ । ଜନ୍ମ ଏକ ସୁଖଦ ମହୋତ୍ସବ କହିଲେ ଚଳେ । ତେବେ ପାକିସ୍ତାନର ଏକ ପରିବାର ଏବେ ଜନ୍ମଦିନ ପାଇଁ ଚର୍ଚ୍ଚାର ପରିଧିକୁ ଆସିଛି । ପରିବାରର ସମସ୍ତ ସଦସ୍ୟ ଗୋଟିଏ ଦିନରେ ଜନ୍ମ ହୋଇ ୱାଲ୍ଡ ରେକର୍ଡ କରିଛନ୍ତି । ପାକିସ୍ତାନର ଲରକାନାରେ ରହୁଥିବା ଏକ ପରିବାରର ନାମରେ ନିଆରା ବିଶ୍ୱ ରେକର୍ଡ ହୋଇଛି । ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ତାଙ୍କର କାହାଣୀ ସେୟାର କରାଯାଇଛି । ୯ ଜଣ ସଦସ୍ୟଙ୍କ ଏହି ପରିବାରରେ ଗୋଟିଏ ଜିନିଷ ସାଧାରଣ, ସମସ୍ତଙ୍କର ଜନ୍ମଦିନ ଗୋଟିଏ ଦିନରେ । ପରିବାରର ସମସ୍ତ ସଦସ୍ୟ ୧ ଅଗଷ୍ଟରେ ଜନ୍ମ ହୋଇଛନ୍ତି । ଆଉ ସେହି ଦିନ ବାପାମା’, ପିଲା ସମସ୍ତେ ଖୁବ୍‌ ଧୁମଧାମରେ ଜନ୍ମଦିନ ପାଳନ କରନ୍ତି ।

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁସାରେ, ଏହି ପରିବାରରେ ଆମୀର ଅଲି, ତାଙ୍କ ପତ୍ନୀ ଖୁଦେଜା ଏବଂ ସେମାନଙ୍କର ସାତ ସନ୍ତାନ ଅଛନ୍ତି । ୭ ପିଲାଙ୍କ ମଧ୍ୟରେ ସସୁଇ-ସପନା ଯାଆଁଳା । ସେହିପରି ଆମିର-ଅମ୍ବର, ଅମ୍ମାର-ଅହମାର ଯାଆଁଳା ପୁତ୍ର । ଏହା ବ୍ୟତୀତ ସେମାନଙ୍କର ସିନ୍ଧୁ ନାମକ ଆଉ ଏକ ଝିଅ ଅଛନ୍ତି । ସମସ୍ତଙ୍କ ବୟସ ୧୯ରୁ ୩୦ ମଧ୍ୟରେ ।

କୌତୁହଳର ବିଷୟ ହେଉଛି ସାତ ପିଲାଙ୍କ ସହିତ ସେମାନଙ୍କ ବାପାମା’ଙ୍କ ଜନ୍ମଦିନ ଅଗଷ୍ଟ ୧ରେ ପଡେ । ସେମାନେ ସମସ୍ତେ ବିଭିନ୍ନ ବର୍ଷରେ ଜନ୍ମ ହୋଇଥିଲେ ସୁଦ୍ଧା ମାସ ଏବଂ ତାରିଖ ସମାନ, ଯାହା ଏକ ବିରଳ ରେକର୍ଡ । କୌଣସି ପରିବାରରେ ଏତେ ସଂଖ୍ୟକ ସଦସ୍ୟଙ୍କ ଜନ୍ମଦିନ ଏକ ଦିନରେ ପଡ଼େ ନାହିଁ । ଏହି ରେକର୍ଡ ପୂର୍ବରୁ କମିନ୍ସ ପରିବାର(ୟୁଏସ୍‌)ର ପାଞ୍ଚ ପିଲାଙ୍କ ନାମରେ ଥିଲା, ସେମାନଙ୍କ ଜନ୍ମ ଫେବୃଆରୀ ୧୯୫୨ ରୁ ୧୯୬୬ ମଧ୍ୟରେ ଫେବୃଆରୀ ୨୦ ହୋଇଥିଲା ।

ସେପଟେ ନିଜ ନାମରେ ରେକର୍ଡ କରିଥିବା ଆମିର ଏବଂ ଖୁଦେଜାଙ୍କ ପାଇଁ ଏହି ତାରିଖ ଆହୁରି ଗୁରୁତ୍ୱ ବହନ କରେ, କାରଣ ଅଗଷ୍ଟ ୧ରେ ସେମାନଙ୍କର ବିବାହ ବାର୍ଷିକୀ ମଧ୍ୟ ପଡ଼େ । ବଡ ଝିଅ ଜନ୍ମ ହେବାର ଠିକ୍‌ ଗୋଟିଏ ବର୍ଷ ପୂର୍ବରୁ ସେମାନେ ୧୯୯୧ରେ ଉଭୟଙ୍କର ଜନ୍ମଦିନରେ ବିବାହ କରିଥିଲେ ଆମିର ଏବଂ ଖୁଦେଜା ।

ସିନ୍ଧୁ ଆମିର ଏବଂ ଖୁଦେଜାଙ୍କର ସବୁଠାରୁ ବଡ଼ ଝିଅ, ସେ ୧ ଅଗଷ୍ଟ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ଝିଅ ଜନ୍ମ ହେବା ପରେ ଏହି ଦମ୍ପତି ଆଶ୍ଚର୍ଯ୍ୟ ଏବଂ ଆନନ୍ଦିତ ହୋଇ ପଡ଼ିଥିଲେ। ଏହା ପରେ ଖୁଡେଜାଙ୍କର ସମସ୍ତ ସନ୍ତାନ ୧ ଅଗଷ୍ଟରେ ଜନ୍ମ ହୋଇଥିଲେ । ତେବେ ଏପରି ବିରଳ ଘଟଣାକୁ ଭଗବାନଙ୍କ ଉପହାର ବୋଲି କୁହନ୍ତି ଦମ୍ପତି ।