Advertisment

୩୨ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌, ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା !

ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବାତ୍ୟା ‘ଜୱାଦ’ ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Heavy Rainfall Alert

Heavy Rainfall Alert

ଭୁବନେଶ୍ୱର: ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳରେ ବାତ୍ୟା ‘ଜୱାଦ’ ପହଞ୍ଚିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Advertisment

ବାତ୍ୟା ‘ଜୱାଦ’ ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି। ବାତ୍ୟା ଗୋପାଳପୁରଠାରୁ ୬୭୦ ଓ ପାରାଦୀପଠୁ ୭୬୦ କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଛି। ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। 

Advertisment

ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତି ହୋଇଛି। ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍‌ କରିଛି ପ୍ରଶାସନ। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।  ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି। ନିରବିଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଟିମ୍‌ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।  ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। 

ଆସନ୍ନ ପ୍ରସବାମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ। ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଯତ୍ନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ, କଚ୍ଚା ଘରୁ ଲୋକମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅମଳ ଶସ୍ୟକୁ କ୍ଷେତରୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ କୃଷକ ବନ୍ଧୁମାନଙ୍କୁ ପରାମର୍ଶ ଦିଆଯାଇଛି। 

ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳରେ ଆଲର୍ଟ ଜାରି ରଖାଯାଇଛି। ଚିଲିକାରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ସକାଳେ ବାତ୍ୟା ଉପକୂଳ ନିକଟକୁ ଆସୁଥିବାରୁ ମାଛ ମାରିବାକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। 

ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଭସା ପୋଲ ସେବା ବନ୍ଦ ରଖିବାକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ୩ ଦିନ ଅର୍ଥାତ ୬ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଏହି ସେବା ବନ୍ଦ ରହିବ। ଭସା ପୋଲ ବନ୍ଦ ଥିବାରୁ ଲୋକେ  ଡଙ୍ଗାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। 

ସେପଟେ ବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଦାୟିତ୍ୱରେ ଥିବା ଅଗ୍ନିଶମ ଅଧିକାରୀମାନଙ୍କ ସହ ଯୋଗାଯୋଗ ରଖାଯାଇଛି। ଏପର୍ଯ୍ୟନ୍ତ ୧୨୫ଟି ରେସ୍କ୍ୟୁ ଟିମ୍‌କୁ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ମୁତୟନ କରାଯାଇଛି। କଟକ ନରାଜରେ ୪୭ଟି ରେସ୍କ୍ୟୁ ଟିମ୍‌କୁ ମହଜୁଦ୍ ରଖାଯାଇଛି। ଏହାସହିତ ଅଗ୍ନିଶମ ବିଭାଗର ତ୍ୱରିତ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। 

Cyclone Threat To Odisha Cyclone Warning Heavy Rainfall Alert Cyclone Jawad Cyclone Jawad Alert
Advertisment
Advertisment