• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେବ ଦୀପାବଳି ପାଇଁ ପୁରୀରେ ବ୍ୟାପକ ଆୟୋଜନ । ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପରମ୍ପରା ରହିଛି । ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ୧ ଲକ୍ଷ ଦୀପ ଜଳାଯିବ । ସାରା ବିଶ୍ୱରେ କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏଭଳି ଦୀପଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ୪ ଓ ୫ ତାରିଖ ଦୁଇ ଦିନ ଧରି ଗୁଣ୍ଡିଚା ମନ୍ଦିରସ୍ଥିତ ନୃସିଂହ ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଦୀପ ଦାନ କରାଯିବ ।

ତେବେ ଏହି ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି । ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ ହାତ, ଶ୍ରୀବଳଭଦ୍ର ୧୪ ହାତ ଓ ଦେବୀ ଶୁଭଦ୍ରା ୧୨ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି । ଶ୍ରାଦ୍ଧ ବେଶରେ ଠାକୁର ମାନେ ତଡଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାର ରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଆଜି ଅର୍ଥାତ ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ।

ତେବେ ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି ।ଏଥିସହ ଆଜି ମହାଦୀପ ମଧ୍ୟ ପ୍ରଜ୍ୱଳିତ ହୋଇଥାଏ । ତେଣୁ ଏହାକୁ 'ଦେବ ଦୀପାବଳି' କୁହାଯାଏ ।