• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ପରଲୋକଗତ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ରାଜନୈତିକ ଜୀବନ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ । ସେ କେବେ କ୍ଷମତା ସହ ସାଲିସ୍ କରୁନଥିଲେ । ଦଳରେ ଥାଇ ସ୍ୱାଧୀନ ଭାବେ ମତବ୍ୟକ୍ତ କରୁଥିଲେ । ଜଣେ ରାଜନେତା ହିସାବରେ ପୂର୍ବତନ ସାଂସଦ ତ୍ରିଲୋଚନ ଓଡିଶାବାସୀଙ୍କ ମନରେ ସବୁବେଳେ ରହିବେ । ଏକ ଘରୋଇ ହସ୍ପିଟାଲରେ ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ତ୍ରିଲୋଚନ କାନୁନଗୋ ଥିଲେ ଜଣେ ସ୍ପଷ୍ଟବାଦୀ ଓ ସ୍ୱାଧୀନଚେତା ରାଜନୀତିଜ୍ଞ ।

କଂଗ୍ରେସ ଦଳ ସହ ଜଡିତ ଥାଇ ବି ୧୯୬୪ ମସିହାରେ ସେ କଂଗ୍ରେସ ସରକାର ବିରୋଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୬୫ ମସିହାରେ ସେ ରେଭେନସା କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ । ୧୯୬୭ ମସିହାରେ ସେ କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ପରେ ୧୯୭୧ ମସିହାରେ ସେ ଗୋବିନ୍ଦପୁର ଆସନରୁ ନିର୍ବାଚନ ଲଢି ଜିତିଥିଲେ । ସେହି ବର୍ଷ ସେ ସାରା ରାଜ୍ୟରେ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତି ରେକର୍ଡ ସୃଷ୍ଟି କରିଥିଲେ ।

୧୯୭୪ ମସିହା ବିଧାନସଭା ନିର୍ବାଚନରେ ସେ କଟକ ସଦର ଆସନରୁ କଂଗ୍ରେସ ଟିକେଟରେ ଜିତିଥିଲେ । କିନ୍ତୁ ୧୯୭୭ ମସିହାରେ ସେ କଂଗ୍ରେସ ଦଳରେ ଥାଇ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସ୍ୱର ଉତ୍ତୋଳନ କରି ଜେଲ୍ ଯାଇଥିଲେ । ଜେଲରୁ ଫେରିବା ପରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ୧୯୭୯ ମସିହାରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ କଟକ ମ୍ୟୁନିସପାଲିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେହି ସମୟରେ କଟକ ସହରରେ ମଶା ବଂଶ ଲୋପ କରିବା କାର୍ଯ୍ୟକ୍ରମ ହାତକୁ ନେଇ ସେ ବେଶ୍ ଚର୍ଚ୍ଚିତ ଓ ଲୋକପ୍ରିୟ ହୋଇପାରିଥିଲେ ।

୧୯୮୦ ମସିହା ଲୋକସଭା ନିର୍ବାଚନରେ ସେ ଲୋକଦଳ ସମର୍ଥନରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢି ହାରିଯାଇଥିଲେ । ୧୯୮୫ ମସିହା ବିଧାନସଭା ନିର୍ବାଚନରେ ସେ ଗୋବିନ୍ଦପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ସେ ଭି ପି ସିଂହଙ୍କ ନେତୃତ୍ୱାଧୀନ ଜନମୋର୍ଚ୍ଚାରେ ଯୋଗ ଦେଇଥିଲେ । ୧୯୯୦ ମସିହାରେ ଗୋବିନ୍ଦପୁର ଆସନରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ୧୯୯୧ ମସିହାରେ ସେ କଟକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭାବେ ପୁନର୍ବାର ନିର୍ବାଚିତ ହୋଇଥିଲେ । ସେହି ସମୟରେ ବିଜୁ ପଟ୍ଟନାୟଙ୍କ ଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ।

କଟକରେ ମଦମୃତ୍ୟୁ ଘଟଣା ଘଟିବା ପରେ ତ୍ରିଲୋଚନ କାନୁନଗୋ ନିଶାମୁକ୍ତି ଆନ୍ଦୋଳନ କରି ଆମରଣ ଅନଶନ କରିଥିଲେ । ସେତେବେଳେ ବିଜୁବାବୁ ନିଜେ ଅନଶନ ସ୍ଥଳକୁ ଯାଇ ଫଳରସ ପିଆଇ ତାଙ୍କୁ ଅନଶନରୁ ଉଠାଇଥିଲେ । ପରେ ପରେ ସରକାରୀ ସ୍ତରରେ ଦେଶୀମଦ ବିକ୍ରି ନେଇ ନିଷ୍ପତ୍ତି ବଦଳାଇବାକୁ ସରକାର ବାଧ୍ୟ ହୋଇଥିଲେ ।

ବିଜେଡି ଗଠନ ହେବା ପରେ ସେ ବିଜେଡି ସହ ରହିଥିଲେ । ୧୯୯୯ ମସିହାରେ ସେ ଜଗତସିଂହପୁରରୁ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ଯେଉଁ ଦଳରେ ଯେତେବେଳେ ଥାଆନ୍ତୁ ନା କାହିଁକି ସ୍ୱାଧୀନଭାବେ ମତ ଦେବାକୁ କେବେ ବି କୁଣ୍ଠାବୋଧ କରୁନଥିଲେ । ୨୦୦୪ ପର୍ଯ୍ୟନ୍ତ ସେ ସାଂସଦ ଥିଲେ ।

ସେ ବିଭିନ୍ନ ପଦପଦବୀରେ ଥିଲେ ବି ସବୁବେଳେ ବହି ପଢିବାକୁ ଭଲ ପାଉଥିଲେ । ସେ ରେଭେନସାରୁ ଗଣିତରେ ପିଜି କରିଥିବାବେଳେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି କରିଥିଲେ । ସେ ଜଣେ ଅର୍ଥନୀତିଜ୍ଞ ଭାବେ ବେଶ୍ ନାଁ କମାଇଥିଲେ । ସେ କ୍ଷମତା ପାଇଁ ସାଲିସ୍ ନକରି ସ୍ୱାଧୀନ ଭାବେ ମତପୋଷଣ କରୁଥିଲେ । ତାଙ୍କ ଜୀବନର ଯାତ୍ରା ଏକ ଅଙ୍କାବଙ୍କା ନଈ ପରି । ତାଙ୍କର ଅବଦାନ ଓଡିଶା ଇତିହାସରେ ସ୍ମରଣୀୟ ହୋଇ ରହିବ ।