• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚାୟତ ଇଲେକ୍ସନ୍‌ରେ ଡିଜିଟାଲ କ୍ୟାମ୍ପେନ୍‌କୁ ଧୋକ୍କା ଦେଇଛି ନେଟ୍‌ୱାର୍କ । କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍‌ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍‌କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ସତ । ହେଲେ କଳାହାଣ୍ଡିରୁ କନ୍ଧମାଳ, ମାଲକାନଗିରିରୁ ମୟୁରଭଞ୍ଜ ବହୁ ସ୍ଥାନରେ ମୋବାଇଲ୍ ନେଟ୍‌ୱାର୍କ ନଥିବାରୁ ଡିଜିଟାଲ୍ କ୍ୟାମ୍ପେନ୍ ହୋଇପାରୁନି । ଫଳରେ ହାତଗଣତି ଲୋକଙ୍କୁ ଧରି ପ୍ରଚାର କରୁଥିବା ନେତା, ଭୋଟରଙ୍କ ପାଖରେ ପହଞ୍ଚିନପାରି ଅକଳରେ ପଡ଼ିଯାଇଛନ୍ତି । 

ପ୍ରଚାର ମଇଦାନରେ ନେତା । ଗାଁକୁ ଗାଁ ବୁଲି, ଘରକୁ ଘର ଯାଇ ଭୋଟ୍ ଭିକ୍ଷା କାରୁଛନ୍ତି । ହେଲେ ଯେଉଁ ଗାଁକୁ ବି ନେତା ଯାଉଛନ୍ତି ସେଇଠି କେବଳ ଗୋଟିଏ ଚର୍ଚ୍ଚା ମୋବାଇଲ୍ ନେଟ୍‌ୱାର୍କ । ତେବେ ଏବେ ନେତାଙ୍କୁ ଘାରିଛି ନେଟୱାର୍କ ଚିନ୍ତା । ଫସର ଫାଟିଛି ଡିଜିଟାଲ୍ କ୍ୟାମ୍ପେନ୍ । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡ଼ଖମଣ ଇଲାକାରେ ଯାହାକୁ ଯେତେବେଳେ ବି କଲ୍ କରିବେ କେବଳ ଶୁଣିବାକୁ ମିଳିବ ନେଟ୍‌ୱାର୍କ ନାହିଁ । ଫଳରେ ଜନତା ନିରାଶ, ନେତା ହତାସ ।

ସେହିଭଳି ବଣପାହାଡ଼ ଘେରା ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳରେ ବି ସମାନ ପରିସ୍ଥିତି । ମୋବାଇଲ୍ ଧରି ନେଟ୍‌ୱାର୍କ ପାଇଁ ଅନେକ ହୀନସ୍ତା ହେଉଛନ୍ତି ଯୁବପୀଢ଼ି । ଟାୱାର ପାଇଁ କେତେ ଗୁହାରି ବି କରିଛନ୍ତି, ସରକାରଠୁ ପ୍ରଶାସନ ଯାଏଁ । ହେଲେ କେହି ଶୁଣିନଥିଲେ । ଏବେ ନିର୍ବାଚନ ବେଳକୁ ନେତାଙ୍କୁ ଘାରିଛି ନେଟ୍‌ୱାର୍କ ଚିନ୍ତା ।

ଆପଣଙ୍କର ମନେଥିବ, କଳାହାଣ୍ଡିର ଏକ ଦୃଶ୍ୟ । ପଞ୍ଚାୟତ ନିର୍ବାଚନ ତାରିଖ ପୂର୍ବରୁ ପ୍ରତିଶ୍ରୁତି ମୁତାବକ ମୋବାଇଲ୍ ଟାୱାର୍ ବସାଇନପାରିବାରୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ହଟହଟା ହେବାକୁ ପଡ଼ିଥିଲା । ଯେସାକୁ ତେସା ନୀତି ନ୍ୟାୟରେ ବନ୍ଧପାରିର ଲୋକେ ମୋବାଇଲ୍ ଟାୱାର୍ର ପ୍ରତିକୃତି ତିଆରି କରି ଲୋକାର୍ପଣ ପାଇଁ ଡକାଇଥିଲେ ବିଧାୟକଙ୍କୁ । କିନ୍ତୁ ବିଧାୟକ ଆସି ଦେଖିଲାବେଳକୁ ତାହା ଥିଲା କେଇଟା ବାଉଁଶ ଖଣ୍ଡ । ହେଲେ ଦୁର୍ଭାଗ୍ୟର କଥା ଆଜି ଯାଏଁ ମୋବାଇଲ୍ ଟାୱାରଟିଏ ପ୍ରତିଷ୍ଠା ହୋଇନପାରିବାରୁ ୩ ଶହରୁ ଅଧିକ ଗାଁରେ ହୋଇପାରୁନି ଡିଜିଟାଲ୍ ପ୍ରଚାର ।

ସମାନ ଅଭିଯୋଗ ଆଣି ଭୋଟବର୍ଜନ ନିଷ୍ପତ୍ତିରେ ଅଟଳ ଅଛନ୍ତି ଦେବଗଡ଼ ତିଲେଇବଣି ବ୍ଲକର ୫ଟି ପଞ୍ଚାୟତର ଲୋକେ । ମୋବାଇଲ୍ ନେଟ୍‌ୱାର୍କ ନଥିବାରୁ ଏହି ୫ ପଞ୍ଚାୟତରୁ କେହି ବି ନାମାଙ୍କନ ଦାଖଲ କରିନାହାଁନ୍ତି । ଏପରିକି କାଲିଠୁ ହେବାକୁ ଥିବା ସାନି ନାମାଙ୍କନ ପ୍ରକ୍ରିୟାରେ ସାମିଲ ହେବେନି ବୋଲି ବି ଚେତାବନୀ ଶୁଣାଇଛନ୍ତି । ଫଳରେ ଚିନ୍ତାରେ ଥିବା ଜିଲ୍ଲା ପ୍ରଶାସନ କହିଛି, ଲୋକଙ୍କୁ ବୁଝାସୁଝା କରାଯାଉଛି । ପ୍ରତିଶ୍ରୁତି ମୁତାବକ ଖୁବଶୀଘ୍ର ନେଟ୍‌ୱାର୍କର ସମାଧାନ ହେବ ।

ସରକାରୀ ତଥ୍ୟ କହୁଛି, ଟେଲିସେବା ଦୃଷ୍ଟିରୁ କନ୍ଧମାଳ ସବୁଠୁ ଅପହଞ୍ଚ । ଏଠାରେ ୧୦୯୪ଟି ଗାଁରେ ନାହିଁ ନେଟ୍‌ୱାର୍କ । ସେହିପରି ରାୟଗଡ଼ାରେ ୯୬୬, କୋରାପୁଟରେ ୫୨୦, କଳାହାଣ୍ଡିରେ ୫୧୬, ମାଲକାନଗିରି ଜିଲ୍ଲାର ୩୦୬ଟି ଗାଁରେ ମୋବାଇଲ୍ ନେଟ୍‌ୱାର୍କ ନାହିଁ । ଗଣଶିକ୍ଷା ବିଭାଗ ବି କହିଥିଲା ମାତ୍ର ୩୪ ପ୍ରତିଶତ ପିଲା ଅନଲାଇନ୍ କ୍ଲାସ କରିପାରୁଛନ୍ତି । ଏଭଳି ସ୍ଥିତିରେ ଡିଜିଟାଲ୍ କ୍ୟାମ୍ପେନ୍ ଧର୍ମକୁ ଆଖିଠାର ସାଜିଛି ।