Advertisment

ରାଜ୍ୟରେ ଖୋଲିବ କି ସ୍କୁଲ୍?

ଦେଖାଦେଇଛି ସ୍କୁଲ୍‌ ଖୋଲିବାର ସମ୍ଭାବନା। ଏନେଇ କେନ୍ଦ୍ର ସରକାର ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରିକରିବା ସମ୍ଭାବନା ରହିଛି। ତେବେ କେନ୍ଦ୍ରର ଆଡ୍ଭାଇଜରି ଆସିଲେ ମଧ୍ୟ ସ୍କୁଲ୍ ଖୋଲିବେ କି ନାହିଁ ରାଜ୍ୟ ସରକାରମାନେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ନିଜସ୍ୱ ନିଷ୍ପତ୍ତି ନେଇପାରିବେ।

author-image
Pramod Behera
undefined

Will open school in Odisha

ଭୁବନେଶ୍ୱର : କୋଭିଡ୍ କଟକଣା ଭିତରେ ସ୍କୁଲ୍ ଖୋଲିବା ନେଇ ଦେଖାଦେଇଛି ସମ୍ଭାବନା। ଏନେଇ କେନ୍ଦ୍ର ସରକାର ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରିକରିବା ସମ୍ଭାବନା ରହିଛି। ତେବେ କିଭଳି ସ୍କୁଲ୍‌ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ୍ ମାଣ୍ଡଭୀୟ ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌କୁ କହିଥିବା ସୂଚନା ମିଳିଛି । ତେବେ ସ୍କୁଲ୍‌ ଖୋଲିବେ କି ନାହିଁ ରାଜ୍ୟମାନେ ନିଜସ୍ୱ ନିଷ୍ପତ୍ତି ନେଇପାରିବେ। ଅନ୍ୟପକ୍ଷରେ ଓଡ଼ିଶାରେ କୋଭିଡ୍ ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ସ୍କୁଲ୍‌ ଖୋଲାଯିବା ସପକ୍ଷରେ ନାହାନ୍ତି ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିକ୍ଷାବିତ୍।

Advertisment

ଏ ଭିତରେ କୋଭିଡ୍ ସଂକ୍ରମଣକୁ ନେଇ ସ୍କୁଲ୍‌ ବାରମ୍ବାର ବନ୍ଦ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଠିଆ ହୋଇଛି ପ୍ରଶ୍ନ। ତେବେ କୋଭିଡ୍‌ର ତୃତୀୟ ସଂକ୍ରମଣ ସେତେଟା ମାରାତ୍ମକ ହେଉ ନଥିବାରୁ ଯେତେଶୀଘ୍ର ସମ୍ଭବ ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌ର ମତାମତ ମାଗିଛନ୍ତି। ମତାମତ ମିଳିବା ପରେ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯିବା ସମ୍ଭାବନା ରହିଛି।

କୋଭିଡ୍‌ର ତୃତୀୟ ଲହର ସବୁ ବୟସ ବର୍ଗର ଛାତ୍ରଛାତ୍ରୀଙ୍କୁ ସଂକ୍ରମିତ କରିଛି। ତେବେ ସଂକ୍ରମଣ ସେତେଟା ଗୁରୁତର ହେଉ ନଥିବା ବେଳେ ମୃତ୍ୟୁ ସଂଖ୍ୟା ବି ଅତି ନଗଣ୍ୟ ରହିଛି। ତେଣୁ ସ୍କୁଲ୍‌ ଖୋଲିବାର ସମୟ ଆସିଥିବା କେନ୍ଦ୍ର ଅନୁଭବ କରୁଛି। ତେବେ ଓମିକ୍ରନ ସଂକ୍ରମଣ ହାର ଅଧିକ ରହୁଥିବାରୁ ଓଡ଼ିଶାରେ ସ୍କୁଲ୍‌ ଖୋଲିବାରେ ବିଳମ୍ବ ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

Advertisment

ଦୁଇ ବର୍ଷରୁ ଅଧିକ ସମୟ ଧରି ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଥିବାରୁ ସ୍କୁଲ୍‌ ଖୋଲାଯିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଅଭିଭାବକ। ମେଳା ମହୋତ୍ସବ, ନିର୍ବାଚନ ସବୁ ଚାଲିଥିବା ବେଳେ କୋଭିଡ୍ ଗାଇଡ୍‌ଲାଇନ୍ ଭିତରେ ସ୍କୁଲ ଖୋଲିବାରେ ଅସୁବିଧା କେଉଁଠି ବୋଲି କିଛି ଅଭିଭାବକ ପ୍ରଶ୍ନ କରିଛନ୍ତି।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, କୋଭିଡ୍ ସଂକ୍ରମଣ ଶୀର୍ଷ ଛୁଇଁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଯାଇନି। ତେଣୁ ସ୍ଥିତି ସ୍ୱାଭାବିକ ହେଲେ ହିଁ ସ୍କୁଲ୍‌ ଖୋଲାଯିବା ଉଚିତ। ସେହିପରି ଏବେ ଘରେ ଘରେ କରୋନା ରହିଛି। ତେଣୁ ସ୍କୁଲ୍‌ ଖୋଲାଯିବାର ସମୟ ଆସିନି ବୋଲି ମତ ଦେଇଛନ୍ତି ଶିକ୍ଷାବିତ୍।

ତେବେ କେନ୍ଦ୍ରର ଆଡ୍‌ଭାଇଜରି ଆସିଲେ ମଧ୍ୟ ସ୍କୁଲ୍‌ ଖୋଲିବେ କି ନାହିଁ ରାଜ୍ୟ ସରକାରମାନେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ନିଜସ୍ୱ ନିଷ୍ପତ୍ତି ନେଇପାରିବେ। ଏନେଇ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ରହିବ ବୋଲି ସୂଚନା ମିଳିଛି।

Odisha News
Advertisment
Advertisment