ପଶ୍ଚିମ ଓଡ଼ିଶାର ଅନ୍ୟତମ ପଲିଟିକାଲ୍ ହଟସ୍ପଟ୍ ହେଉଛି ସମ୍ବଲପୁର। ସମ୍ବଲପୁର ଜିଲ୍ଲା ପରିଷଦରେ ଏବେ ବିଜେପିର ଦବଦବା ରହିଛି। ଗତ ନିର୍ବାଚନରେ ଏଠି ବିଜେଡି ହାତରୁ ଗଡ଼ ଛଡ଼ାଇ ବିଜେପି ଗଢିଥିଲା ପରିଷଦ। ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ବସିଥିଲେ ବିଜେପି ସଭ୍ୟ। ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ ରାଧେଶ୍ୟାମ ବାରିକ ଆଉ ପୁଷ୍ପାଞ୍ଜଳୀ ଧୁରୁଆଙ୍କୁ ମିଳିଥିଲା ଉପାଧ୍ୟକ୍ଷ ପଦ। ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୧୮ଜୋନ୍ ବିଶିଷ୍ଟ ଏଇ ପରିଷଦରେ ଏବେ ବିଜେପି ହାତରେ ୧୩ଟି ଜୋନ୍ ଥିଲା ବେଳେ ବିଜେଡି ହାତରେ ଅଛି ମାତ୍ର ୫ଟି ସିଟ୍। ଆଉ ୨୦୦୨ରୁ ୨୦୦୭ ଲଗାତର ଦୁଇଥର ପରିଷଦ ଗଢ଼ିଥିବା କଂଗ୍ରେସ ହାତ କିନ୍ତୁ ଏକଦମ୍ ଖାଲି। ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୯ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୯ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୩୮ ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୧ ହଜାର ୭୪୩।
ଚାଷୀଙ୍କ ସମସ୍ୟା ମୁଖ୍ୟ ପ୍ରସଙ୍ଗ
କୃଷି ପ୍ରଧାନ ଜିଲ୍ଲା ସମ୍ବଲପୁର। ଚାଷ ଏଠା ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ । ହେଲେ ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ଏଠି ସମସ୍ୟାରେ ଚାଷୀ। କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍ ପାଇଁ ହଇରାଣ ହେଉଛନ୍ତି ଚାଷୀ। କାରଣ ହୀରାକୁଦ ଡ୍ୟାମ୍ ପାଣି ଦ୍ୱାରା ସମ୍ବଲପୁର ଉପଖଣ୍ଡର ଅଧିକାଂଶ ଜମି ଜଳସେଚିତ। ହେଲେ ନିଜ ଜିଲ୍ଲାରେ ଏତେ ବଡ଼ ଡ୍ୟାମ୍ ଥାଇ ବି ଜଳସେଚନ ସୁବିଧା ନପାଇ କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡର ଚାଷୀଙ୍କ ଭରସା କେବଳ ଇନ୍ଦ୍ର ଦେବତା। ତେଣୁ ଯଦି ଭଲ ବର୍ଷା ନହେଲା ମରୁଡି ଥୟ। ହେଲେ ଯଦି ବର୍ଷା ଭଲ ହୋଇ ଧାନ ଅମଳ ବି ଭଲ ହେଲା, ତାହେଲେ ମଧ୍ୟ ବିକ୍ରି ବେଳକୁ ଟୋକନ୍, ମିଲରଙ୍କ କଟନି ଛଟନି, ମଣ୍ଡି ଅବ୍ୟବସ୍ଥା ଭଳି ସମସ୍ୟାର ଚକ୍ରବ୍ୟୂହରେ ଛନ୍ଦି ହୋଇପଡ଼େ ଚାଷୀ। ଧାରଣା, ଆନ୍ଦୋଳନକୁ ଓହ୍ଲାଏ ସତ କିନ୍ତୁ ତମାମ ପ୍ରତିଶ୍ରୁତି ସତ୍ତ୍ୱେ ସମସ୍ୟା ଯାଏନି। ଏହାବାଦ୍ କିଛି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ବି ଅତିଷ୍ଠ କରେ।
ଶିଳ୍ପ କ୍ଷେତ୍ରରେ ବେଶ୍ ସମୃଦ୍ଧ ଏଇ ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ବି ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି। ଅଭିଯୋଗ ହୁଏ, ଶିଳ୍ପ ପାଇଁ ଲୋକେ ଜମି ହରାଇଛନ୍ତି,ଶିଳ୍ପ ଜନିତ ପ୍ରଦୂଷଣ ବି ସହୁଛନ୍ତି। ହେଲେ ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଥାଇ ବି ସ୍ଥାନୀୟ ଯୁବକଯୁବତୀଙ୍କୁ ଶିଳ୍ପ ସଂସ୍ଥାରେ ପ୍ରତ୍ୟେକ୍ଷ ନିଯୁକ୍ତି ମିଳୁନି।
କେହି ଶୁଣୁନାହାନ୍ତି ହୀରାକୁଦ ଡ୍ୟାମ୍ ବିସ୍ଥାପିତଙ୍କ ଦୁଃଖ
Also Read
ସମ୍ବଲପୁରର ସବୁଠାରୁ ବଡ ଓ ପୁରୁଣା ପ୍ରସଙ୍ଗ, ହୀରାକୁଦ ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା। ଡ୍ୟାମ୍ ପାଇଁ ଅନେକଙ୍କ ଭିଟାମାଟି ବୁଡିଛି। ଆଜିକୁ ୩ ପୀଢି ଧରି ସେମାନେ ବିସ୍ଥାପନର ଦୁଃଖ ଭୋଗି ଆସୁଛନ୍ତି। ହେଲେ ଏଯାଏ ସ୍ଥାୟୀ ଜମି ପଟ୍ଟା ମିଳିପାରିନି ତେଣୁ ରେଙ୍ଗାଲି ବ୍ଲକର କୁର୍ଲା, ଯୋଗୀପାଲି, ସପ୍ନେ, ସାଲଡ, ବାରିକପାଲି ଓ ତୁରିଟିକ୍ରା ଆଦି ଅଂଚଳରେ ରହୁଥିବା ବୁଡ଼ି ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରୁ ଆଜି ବି ଅନେକଙ୍କ ଜୀବିକା ସେଇ ଡ୍ୟାମରୁ ମାଛ ଧରା ବର୍ଷ ବର୍ଷ ଧରି ଆର୍ଥିକ ଅବସ୍ଥାରେ ସେତେଟା ଉନ୍ନତି ଆସନି।
ପ୍ରାର୍ଥୀମାନେ ନାମାଙ୍କନ ଭରିବା ଆରମ୍ଭ କରିଦେଲେଣି। ଧୀରେ ଧୀରେ ପ୍ରାର୍ଥୀ କିଏ ହେଉଛନ୍ତି, ସେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ସମ୍ବଲପୁରରେ ବୋହୁଥିବା ରାଜନୈତିକ ହାୱା ଯଦିଓ ନିକଟ ଅତୀତରେ ବିଜେପିକୁ ବେଶି ସୁହାଇଛି, କିନ୍ତୁ ପଶ୍ଚିମ ଓଡ଼ିଶାର ଏହି ବହୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ବିଜେଡି ବି ବେଶି ପଛରେ ନାହିଁ। ପରିବର୍ତ୍ତନରେ ବିଶ୍ୱାସ ରଖୁଥିବା ସମ୍ବଲପୁର ଭୋଟର୍ ଅତୀତରେ ବି ନେତୃତ୍ୱ ପରିବର୍ତ୍ତନ କରି ଦେଖାଇସାରିଛନ୍ତି । ଯାହା ୨୨ ପଞ୍ଚାୟତ ପୋଲକୁ ସସ୍ପେନ୍ସରେ ଭରିଦେଇଛି। କିଏ ଜିତିବ ସମ୍ବଲପୁର ଭୋଟର୍ଙ୍କ ବିଶ୍ୱାସ? ବିଜେପିର ଶକ୍ତିଶାଳୀ ସଂଗଠନ ? ନା ବିଜେଡ଼ିର ଯୋଜନା ରଣନୀତି ? ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି।
ବିଜେପି ଜିତିଥିଲା ଭରସା
୨୦୧୭ର ପଞ୍ଚାୟତ ପୋଲରେ ଜିଲ୍ଲାର ଜନତା ସଫା ସଫା ବିଜେପିକୁ ଭରସା କରିଥିଲେ। ୧୮ ଜୋନ୍ ବିଶିଷ୍ଟ ସମ୍ବଲପୁର ଜିଲ୍ଲା ପରିଷଦରୁ ୧୩ଟି ଜୋନରେ ବାଜିମାତ୍ କରି ପରିଷଦ ଗଢ଼ିଥିଲା ବିଜେପି। ହେଲେ ୧୯ ସାଧାରଣ ନିର୍ବାଚନ ଉଭୟ ବିଜେଡି ଓ ବିଜେପିକୁ ବାଲାନ୍ସ ରେଜଲ୍ଟ ଦେଇଥିଲା। ଯଦିଓ କୁଚିଣ୍ଡାରେ ବିଜେପି ହାରିଥିଳା କିନ୍ତୁ ରେଙ୍ଗାଲିରୁ ନାଉରୀ ନାୟକ ଓ ସମ୍ବଲପୁରରୁ ପୁଣି ଜୟନାରାୟଣ ମିଶ୍ର ବିଧାନସଭା ଯିବା ପରେ ଦଳର ସଂଗଠନ ଆହୁରି ମଜବୁତ୍ ହେବାର ସଂକେତ ଦେଇଥିଲା । ଅପରପଟେ ସମ୍ବଲପୁରରେ ହାରିଥିଲେ ବି ରେଢ଼ାଖୋଲ ଓ କୁଚିଣ୍ଡାରେ ବିଜେଡିର ବିଜୟ, ଦଳର ସ୍ଥିତାବସ୍ଥା ବଜାୟ ରଖିଛି। ତେବେ ପୂର୍ବରୁ ସଂଘର୍ଷ କରୁଥିବା କଂଗ୍ରେସର ସ୍ଥିତି ଦେଖି ଲାଗୁଛି, ଯେମିତି ଦଳ ଏଥର ବି ଅସ୍ତିତ୍ୱ ଖୋଜିବାକୁ ସଂଘର୍ଷ କରିବ।
ପରିବର୍ତ୍ତନର ଇସାରା ଦେଇଛନ୍ତି ଜନତା
ରେଢ଼ାଖୋଲକୁ ଛାଡ଼ିଦେଲେ ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା; ଏସବୁ ବିଧାନସଭା ଆସନରେ ଭୋଟର୍ ଗତ ନିର୍ବାଚନରେ ନେତୃତ୍ୱ ପରିବର୍ତ୍ତନ କରାଇଛନ୍ତି। ଏଣୁ ଭୋଟରଙ୍କ ମୁଡ୍, ପଞ୍ଚାୟତ ପୋଲରେ କାହା ସପକ୍ଷରେ ଯିବ ତାହା କହିବା ମୁସ୍କିଲ୍। ତେବେ ପୂର୍ବ ବିଜୟ, ସଂଗଠନର ପ୍ରସାର, ନେତୃତ୍ୱ ଓ ମୁଦ୍ଦାକୁ ନେଇ ମାଇଲେଜ୍ ଆଧାରରେ ବିଜେପି ଏ ରେସରେ ଟିକିଏ ଆଗୁଆ ରଖିଛି। ସେପଟେ ଜିଲ୍ଲା ପ୍ରଶାସନ କୋଭିଡ୍ ଚ୍ୟାଲେଞ୍ଜ ଭିତରେ ସୁରୁଖୁରୁରେ ନିର୍ବାଚନ ସାରିବାକୁ କାମରେ ଲାଗିପଡ଼ିଲାଣି । ନିର୍ବାଚନର ପ୍ରଥମ ଚରଣ, ପ୍ରାର୍ଥୀମାନଙ୍କର ନାମାଙ୍କର ଭରିବାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସମ୍ବଲପୁରରେ ଏଥର ୧୮ ଜିଲ୍ଲା ପରିଷଦ ଜୋନ୍ରୁ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା, ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ ଓ ସମ୍ବଲପୁରରୁ ରଞ୍ଜନ ସିଂଦେଓଙ୍କ ସହ ସଞ୍ଜୟ ଜେନା