• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପରିକ୍ରମା ପ୍ରକଳ୍ପ ଆଳରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର । ହଜି ଯାଇଛି ଅସ୍ଥିତ୍ୱ, ବୁଲଡୋଜର୍ ମାଡ଼ରେ ନିଶ୍ଚିନ୍ନ ହୋଇଛି ପୁରାତନ ଐତିହ୍ୟ । କର୍ପୂର ଉଡ଼ି ଯାଇ କନା ପଡ଼ି ରହିବା ନ୍ୟାୟରେ ଏଠି କେବଳ ଯାହା ବଞ୍ଚିଯାଇଛି ପୁରାତନ ମଠମାନଙ୍କର ଗାଦି ଘର । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସହ ଗଭୀର ସଂପର୍କ ରଖୁଥିବା ଉତ୍ତରପାର୍ଶ୍ୱ ମଠ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ବେଳେ ଏହାର ଅତିଥି ଗୃହ, ମହନ୍ତଙ୍କ ରହଣୀସ୍ଥଳ ଓ ଯାତ୍ରୀ ନିବାସ ସବୁ କିଛି ଧୂଳିସାତ୍ । କେବଳ ବଞ୍ଚିଛି ସ୍ୱଳ୍ପ ଗାଦି ଗୃହ ।

ସେମିତି ଐତିହ୍ୟ ସମ୍ପନ୍ନ MR ମଠ ବି ଆଜି ଶ୍ରୀହୀନ । ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଥିବା ଏହି ଐତିହ୍ୟପୂର୍ଣ୍ଣ ମଠକୁ ଏବେ ଖୋଜିବାକୁ ପଡୁଛି । ତା’ର ପୁରାତନ ରଘୁନନ୍ଦନ ଲାଇବ୍ରେରୀ, କୋଠି ଘର ଓ ପ୍ରାର୍ଥନା ସ୍ଥଳ ସବୁ ଆଜି ଇତିହାସ । ସେମିତି ଶ୍ରୀମନ୍ଦିର ସମ୍ମୁଖ ରାଧାବଲ୍ଳଭ ମଠ ଯେମିତି କୌଣସି ଗଳି କନ୍ଦିର ଅଣ ଓସାରିଆ ଘର ଭଳି ନିଜ ପରିଚୟ ବଞ୍ଚାଇବାକୁ ସଂଘର୍ଷ କରୁଛି । ଶହ ଶହ କୋଟି ଟଙ୍କା ବ୍ୟୟରେ ପରିକ୍ରମା ପ୍ରକଳ୍ପ ନିର୍ମାଣବେଳେ ଶ୍ରୀମନ୍ଦିର ଚାରିପଟେ ଥିବା ୧୮ରୁ ଅଧିକ ଛୋଟ ବଡ଼ ମଠମାନଙ୍କର ଆଜି ସଂଗୀନ ଅବସ୍ଥା । ମଠାଧୀଶମାନଙ୍କ ଅଭିଯୋଗ- ମଠ ସବୁ ଭଙ୍ଗାଯିବା ପୂଜା ସ୍ଥଳୀ ଆଇନକୁ ରାଜ୍ୟ ସରକାର ଦଳି ମକଚି ଦେଲେ, ଆଉ ମଠ ପୁନରୁଦ୍ଧାର ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଗଲା ।

ଗୋଟିଏ ପଟେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ମିଛ ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୨୦ ପାଖାପାଖି ଐତିହ୍ୟ ସମ୍ପନ୍ନ ପୁରାତନ ମଠ ମନ୍ଦିରକୁ ଧୂଳିସାତ୍ କରିଥିବା ଅଭିଯୋଗ ଉଠୁଥିବାବେଳେ, ଏଣେ ଓଡ଼ିଶାରେ କ୍ଷମତା ଦଖଲର ଆଶା ରଖିଥିବା ବିଜେପି, ସେଇ ପ୍ରସଙ୍ଗକୁ କରିଛି ପ୍ରମୁଖ ନିର୍ବାଚନୀ ମୁଦ୍ଦା । ଏମିତିକି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହ ୪ ଦ୍ୱାର ଖୋଲିବାକୁ ବି ନିଜ ନିର୍ବାଚନୀ ଇସ୍ତାହାରରେ ଗ୍ୟାରେଣ୍ଟି ଦେଇଛି। ଏଥିସହ ପରିକ୍ରମା ପ୍ରକଳ୍ପରେ କ୍ଷତିଗ୍ରସ୍ତ ମଠ ମାନଙ୍କର ପୁନରୁଦ୍ଧାର ପାଇଁ ବି ଦେଇଛି ବଡ଼ ପ୍ରତିଶ୍ରୁତି। ତେବେ ମଠାଧୀଶ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ଯେ କେହି ବି ସରକାର ଆସନ୍ତୁ ସେମାନେ କେବଳ ନିର୍ବାଚନୀ ମୁଦ୍ଦାରେ ନ ଅଟକି ଜଗନ୍ନାଥ ସଂସ୍କୃତିର ବିନାଶ ନୁହେଁ ବିକାଶ କରନ୍ତୁ।

ଏବେ ଅପେକ୍ଷା ନିର୍ବାଚନ ସରିବାକୁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚତୁଃପାର୍ଶ୍ୱରେ ବଳି ପଡ଼ିଥିବା ଓଡ଼ିଆ ଅସ୍ମିତାର ଅନ୍ୟତମ ପରିଚୟ ପୁରାତନ ମଠଗୁଡ଼ିକର କେମିତି ବଦଳୁଛି ଭାଗ୍ୟ ?

  • Reported by:
  • PRADEEP MAHANTY

OTV is now on Whatsapp

Join and get latest news update delivered to you via whatsapp

Join Now