/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658770723.jpg)
ଝଟ୍କା ଦେଲା ଠିକା ସଂସ୍ଥା ଏଲଆଣ୍ଡଟି
ରାଜ୍ୟ ସରକାରଙ୍କୁ ଜୋରଦାର ଝଟକା। ଝଟକା ଦେଲା ଠିକା ସଂସ୍ଥା ଏଲଆଣ୍ଡଟି। କୋର୍ଟ ନିର୍ଦ୍ଦେଶ ଦେଖାଇ ନିର୍ମାଣ ସୌଧରୁ ସିଜ୍ କଲା ସରକାରୀ ସଂପତ୍ତି।ସରକାରଙ୍କ ଅସହାୟତା ନେଇ ବିଧାନସଭାରେ ଝ଼ଡ। ବିରୋଧୀ ଘେରିଲେ ସରକାରଙ୍କୁ। ପ୍ରଶ୍ନକାଳ ଆରମ୍ଭରୁ ହୋ ହାଲ୍ଲା ଓ ନାରାବାଜି କରିଥିଲେ ବିରୋଧୀ। ବିଜେପି ଓ କଂଗ୍ରେସ ସଦସ୍ୟ ପୋଡିୟମ ନିକଟରେ ଏକାଠି ହୋଇ ନାରାବାଜି କରିଥିଲେ। ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା, ସରକାର ଗଣିବେ ଶହେ କୋଟି ଟଙ୍କା ତଣ୍ଡ, ''ବିଚିତ୍ର କଥା କାନ ଶୁଣିଲା," ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି।
ବାଚସ୍ପତି ଗ୍ରହଣ ନ କରିବାରୁ ଉଭୟ ବିରୋଧୀଦଳ ପ୍ରତିବାଦ କରିଥିଲେ। ବାଚସ୍ପତି ରୁଲିଂ ଦେଇ କହିଥିଲେ ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିବାରୁ ଆଲୋଚନା ପରିସର ଭୁକ୍ତ ହେଉନାହିଁ। ହେଲେ ବାଚସ୍ପତିଙ୍କ ରୁଲିଂକୁ ଗ୍ରହଣ କରିନଥିଲେ ବିରୋଧୀ ଦଳ। ଏଥିଯୋଗୁଁ ଗୃହ କାର୍ଯ୍ୟକୁ ମୁଲତବି କରିଥିଲେ ବାଚସ୍ପତି। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି ମାମଲା ସବଜୁଡ଼ିସ ନାହିଁ, ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରାଯାଉ।
ସେହିପରି କଂଗ୍ରେସ କହିଛି ସରକାରଙ୍କ ଗୁପ୍ତ ତଥ୍ୟ ରହିଥିବା କମ୍ପ୍ୟୁଟର ଏଲଆଣ୍ଡଟି ନେଇ ଯାଇଛି ତେଣୁ ସେହି କମ୍ପାନୀକୁ ବ୍ଲାକ ଲିଷ୍ଟ କରାଯାଉ ଯେଉଁ ଅଧିକାରୀ ଏଥିପାଇଁ ଦାୟୀ। ତାଙ୍କ ସମ୍ପତି ବାଜ୍ୟାପ୍ତ କରଯାଉ। ବିଜେଡି କହିଛି- ନିୟମ ଅନୁସାରେ ବିଧାନସଭା ଚାଲିବ। ତେଣୁ ବାଚସ୍ପତିଙ୍କ ରୁଲିଂକୁ ସମ୍ମାନ ଦିଅନ୍ତୁ ବିରୋଧୀ।
ସମ୍ବଲପୁର-ରାଉରକେଲା ରାସ୍ତା ପାଇଁ ଠିକା ଦିଆଯାଇଥିଲା ଏଲଏଣ୍ଡଟି ସଂସ୍ଥାକୁ। ୨୦୦୪ରେ କାମ ସମାପ୍ତି ହେବା ପରେ ମଧ୍ୟ ଚୁକ୍ତି ଅନୁଯାୟୀ ୨୦ କୋଟି ଟଙ୍କା ଦେଲେ ନାହିଁ ସରକାର। ଯାହାଫଳରେ ଦୀର୍ଘ ୧୮ ବର୍ଷରେ ୨୦ କୋଟିରେ ସୁଧ ବଢି ୧୨୦ କୋଟି ଟଙ୍କା ହୋଇ ଗଲାଣି। ଏପଟେ ଠିକା ସଂସ୍ଥା ସିଭିଲ କୋର୍ଟ ଯିବାରୁ ସରକାରଙ୍କୁ ଟଙ୍କା ପୈଠ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ହେଲେ ରାଜ୍ୟ ସରକାର ଏହା ବିରୋଧରେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ଯାଇ ମଧ୍ୟ ହାରିଗଲେ। ଏମିତିକି ରାଜ୍ୟ ସରକାରଙ୍କ ରିଭ୍ୟୁ ପିଟିସନ ବି ଖାରଜ କଲେ ସୁପ୍ରିମକୋର୍ଟ।
ତେଣୁ ଶେଷରେ ଆର୍ବିଟ୍ରେସନ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଧରି ୨୧ ତାରିଖ ରାତିରେ ନିର୍ମାଣସୌଧରେ ପଶିଥିଲା ଠିକା କଂପାନୀ। ଏଲଏଣ୍ଡଟି ନିର୍ମାଣ ସୌଧରୁ ୯ଟି ଟେବୁଲ୍, ୯ଟି ଏସି, ୧୫ଟି ଆଲମିରା, ୧୮ଟି କମ୍ପ୍ୟୁଟର ସିଜ କରିଥିଲା। କେବଳ ସେତିକି ନୁହେଁ କୋର୍ଟ ପରବର୍ତ୍ତୀ ସମୟରେ ସୁଧ ଓ ଜରିମାନା ବାବଦକୁ ସରକାର ୧୦୦ କୋଟି ଟଙ୍କା ତଣ୍ଡ ଗଣିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ଅଲ ଓଡିଶା କଣ୍ଟ୍ରାର ଆସୋସିଏସନ ସଂଘ କହିଛି ପ୍ରଶାସନିକ ଅଧିକାରୀମାନେ ଜାଣିଶୁଣି ଅବହେଳା କରିଛନ୍ତି। ଏଲ ଏଣ୍ଡ ଟି ଏକ ମାଧ୍ୟମ, ଏହା ପଛରେ ସରକାରୀ ଅଧିକାରୀଙ୍କ କିକବ୍ୟାକ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)