• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୀର୍ଘ ୧୫ ବର୍ଷ ଧରି ଏଠି ଶାସକ ଦଳ ହାତରେ ପୌର ପରିଷଦ, ହେଲେ ଏଥର କାହାର ହେବ ପୌର ପରିଷଦ ? ଭୋଟ୍ ତାରିଖ ଯେତିକି ଯେତିକି ପାଖୋଉଛି, ସେଠାରେହ ସେତିକି ସରଗରମ ହେବାରେ ଲାଗିଛି ନିର୍ବାଚନୀ ପାଣିପାଗ । ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ମୋଟ୍ ୧୦ ଜଣ ପ୍ରାର୍ଥୀ ଥିଲା ବେଳେ ଟକ୍କର କିନ୍ତୁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ । ତେବେ ଦଳ, ପ୍ରାର୍ଥୀ ନା ପ୍ରସଙ୍ଗ, ନିଜ ପସନ୍ଦର ପ୍ରତିନିଧି ବାଛିବା ବେଳେ ଭୋଟର କାହାକୁ ଗୁରୁତ୍ୱ ଦେଉଛନ୍ତି, କିଭଳି ରହିଛି ନଜର ପକାଇବା . . .

ବରଗଡ଼ରେ ଯୁଆଡ଼େ ଚାହିଁବ ଭଙ୍ଗା, ମୁକୁଳା...ଉଚ୍ଛୁଳା ଡ୍ରେନ୍ । ସ୍ୱଚ୍ଛ ବରଗଡ଼, ସବୁଜ ବରଗଡ଼ର ସ୍ଳୋଗାନକୁ ଉପହାସ କରି ସେଇ ପାଖରେ ଏବଂ ଗଳି ଗଳିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି । କେବଳ ୧ ନମ୍ବର ଓ୍ୱାର୍ଡର କେଶବ ନଗର ନୁହେଁ, ଅଳ୍ପ ବହୁତେ ବରଗଡ଼ ସହରର ଅଧିକାଂଶ ଓ୍ୱାର୍ଡରେ ପରିମଳର ଏହିଭଳି ସ୍ଥିତି । ପୁନରୁଦ୍ଧାର ଅଭାବରୁ ସହର ମଧ୍ୟରେ ଥିବା ଏମିତି ଅନେକ ପୋଖରୀ ବି ସହରର ଛବି ଓ ପରିମଳ ଚେହେରାକୁ ଆହୁରି ବିଗାଡ଼ି ଚାଲିଛି । ଖାଲି ସେତିକି ନୁହେଁପାନୀୟ ଜଳ ସମସ୍ୟା, ରାସ୍ତାଘାଟର ଦୁରାବସ୍ଥା, ଆବାସ ଯୋଜନାରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେବା, ଜୀରା ନଦୀ ଉପରେ ଦୀର୍ଘ ବର୍ଷ ହେବ ନିର୍ମାଣଧୀନ ଅସଂପୂର୍ଣ୍ଣ ବ୍ରିଜ୍ ଭଳି ପ୍ରସଙ୍ଗକୁ ନେଇ ଲୋକଙ୍କ ଅସନ୍ତୋଷ ରହିଛି ।

ଆଉ ଏବେ ଯେତେବେଳେ ସମୟ ପୌର ନିର୍ବାଚନର, ସେତେବେଳେ ଏସବୁ ଲୋକଙ୍କ ସମସ୍ୟା ଜଡ଼ିତ ପ୍ରସଙ୍ଗକୁ ନେଇ ରାଜନୀତି ତେଜିଛି । ପ୍ରସଙ୍ଗ ଆଉ ପ୍ରତିଶ୍ରୁତିର ପସରା ସହ ପ୍ରାର୍ଥୀଙ୍କ ପ୍ରଚାର ଲଢ଼େଇ ବି ଜମୁଛି । ପୌରପାଳିକାରେ ଥିବା ୧୯ଟି ଓ୍ୱାର୍ଡ ପାଇଁ ୬୮ କାଉନସିଲର ମୈଦାନରେ ଥିଲା ବେଳେ ସମସ୍ତଙ୍କ ଫୋକସ୍ ପୌରାଧ୍ୟକ୍ଷ ପଦବୀ ଉପରେ । ମହିଳାଙ୍କ ପାଇଁ ସଂରକ୍ଷିତ ଏଇ ପଦବୀ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ୧୦ ପ୍ରାର୍ଥୀ ହେଲେ ପ୍ରକୃତରେ ଲଢ଼େଇ ବିଜେଡି କଳ୍ପନା ମାଝୀ, ବିଜେପିର ଅନୁରାଧା ଅଗ୍ରଓ୍ୱାଲ ଓ କଂଗ୍ରେସର ତପସ୍ୱିନୀ ବେହେରାଙ୍କ ଭିତରେ । ଆମ ଆଦମୀ ପାର୍ଟିରୁ ଦେବୀକା ଦେହେରୀ ବି ପାରମ୍ପରିକ ଦଳ ବିରୋଧରେ ପୌରାଧ୍ୟକ୍ଷା ପ୍ରାର୍ଥୀ ହୋଇଛନ୍ତି ।

ତେବେ ଦୀର୍ଘ ୧୫ ବର୍ଷ ଧରି ପୌରପରିଷଦକୁ ଅକ୍ତିଆରରେ ରଖିଥିବା ବିଜେଡି ମୁଖ୍ୟମନ୍ତ୍ରୀ ନବୀନଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଅସ୍ତ୍ର କରି ପ୍ରଚାରରେ ମାତିଥିଲା ବେଳେ, ସହରର ମୌଳିକ ସମସ୍ୟା ସମାଧାନର ପ୍ରତିଶ୍ରୁତି ସହ ଲୋକଙ୍କୁ ମନେଇବାରେ ଲାଗି ପଡ଼ିଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ଭୋଟ ତାରିଖ ପାଖେଇ ଆସୁଥିବାରୁ ସବୁ ଦଳ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଥିଲା ବେଳେ ଏବେ ଜନତାଙ୍କ ରାୟକୁ ଅପେକ୍ଷା ।

ବରଗଡରୁ ଦୀପକ ଶର୍ମାଙ୍କ ରିପୋର୍ଟ