/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647660925.jpg)
‘Munsi Melana’
ମୁନସି ମେଲଣ । କେଉଁଠି ଖାକି- ଜନତା ମଧ୍ୟରେ ସୁସଂପର୍କ ସ୍ଥାପନର ମାଧ୍ୟମ । ଆଉ କେଉଁଠି ହିନ୍ଦୁ ମୁସଲମାନ ସଂପ୍ରଦାୟ ମଧ୍ୟରେ ଭାଇଚାରାର ପ୍ରତୀକ ଏହି ମୁନସୀ ମେଲଣ । ଦୀର୍ଘ ୭୮ ବର୍ଷ ଧରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପକ୍ଷରୁ ମୁନସୀ ମେଲଣ ପାଳିତ ହୋଇ ଆସୁଥିବା ବେଳେ ଯାଜପୁର କୋରେଇରେ ମଧ୍ୟ ବେଶ୍ ପୁରୁଣା ପରମ୍ପରା ପାଲଟିଛି । ଯାହାକୁ ଉପଭୋଗ କରନ୍ତି ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ।
ଚଳିତ ବର୍ଷ ଥାନା ପକ୍ଷରୁ ଆଖପାଖ ଅଞ୍ଚଳର ୪୦ରୁ ଅଧିକ ଠାକୁରବାଡିଆଙ୍କୁ ନୀତି ଅନୁଯାୟୀ ମେଲଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା । ଠାକୁର ବାଡିଆମାନେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରି ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ପୁଲିସ ଓ ଜନତାଙ୍କ ମଧ୍ୟରେ ରଙ୍ଗଖେଳର ପରମ୍ପରା ହେଉଛି ଏହି ମେଲଣର ସ୍ୱତନ୍ତ୍ରତା । କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ହଜାର ହଜାର ଦର୍ଶକ ଏହି ମେଳଣ ଉତ୍ସବରେ ସାମିଲ ହୋଇଥିଲେ । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିଯିବା ସହ ଆୟୋଜକଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।
ସେପଟେ ଯାଜପୁର ଜିଲ୍ଲା କୋରେଇରେ ମଧ୍ୟ ପାଳିତ ହୋଇଛି ମୁନସୀ ମେଲଣ । ହିନ୍ଦୁ ମୁସଲମାନ ସଂପ୍ରଦାୟ ମଧ୍ୟରେ ଭାଇଚାରାରର ପ୍ରତୀକ ଏହି ମୁନସୀ ମେଲଣ । ଗାଁକୁ ଗାଁ ବିମାନରେ ବିଜେ ହୋଇ ରାଧାକୃଷ୍ଣ ବୁଲିବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିଛନ୍ତି ଦୋଳ ଗୋବିନ୍ଦ । ୩୦ରୁ ଅଧିକ ସୁସଜ୍ଜିତ ରାଧାକୃଷ୍ଣ ବିମାନ ଏଠାରେ ଏକାଠି ହେବାସହ ଫଗୁ ଖେଳକୁ ଉପଭୋଗ କରିଥିଲେ ଉଭୟ ହିନ୍ଦୁ ଓ ମୁସଲମାନ ଶ୍ରଦ୍ଧାଳୁ । ଏଠାରେ ମଧ୍ୟ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ ପାଇଁ କୋରେଇ ପୋଲିସ ପକ୍ଷରୁ ପ୍ରତିବର୍ଷ ଏହି ମୁନସୀ ମେଲଣ ଆୟୋଜନ କରାଯାଉଛି । ଏହି ଅବସରରେ ମେଳା ବସିବା ସହ ପାରମ୍ପରିକ ନାଚ ଓ ବାଡି ଖେଳ ଦେଖିବାକୁ ମିଳିଥିଲା ।
ଭଦ୍ରକରୁ ପାର୍ଥସାରଥୀ ନାୟକ ଏବଂ ଯାଜପୁରରୁ ଜନ୍ମେଜୟ ଦାଶଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)