• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସର ନୂଆ ମଙ୍ଗୁଆଳ ମଲ୍ଲିକାର୍ଜୁନ ଖଡଗେ । ବୁଡ଼ି ଯାଉଥିବା କଂଗ୍ରେସ ଡଙ୍ଗାକୁ କୂଳରେ ଲଗାଇବା ନେଇ ତାଙ୍କ ଉପରେ ପଡ଼ିଛି ଗୁରୁ ଦାୟିତ୍ୱ । ସୋନିଆ ଓ ରାହୁଲଙ୍କ ଛାଇରୁ ବାହାରି କଡଗେ କଂଗ୍ରେସକୁ ଦିଗଦର୍ଶନ ଦେବେ, ନା ଚିରାଚରିତ ଭାବେ ଗାନ୍ଧୀ ପରିବାର ପ୍ରତି ଅନୁଗତ୍ୟ ଦେଖାଇ ରାହୁଲ ଓ ସୋନିଆଙ୍କ ନିର୍ଦ୍ଦେଶର ଅନୁପାଳନ କରିବେ, ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ସାଂଗଠନିକ ସଂସ୍କାର କଂଗ୍ରେସ ପାଇଁ ସମୟର ଆହ୍ୱାନ । ପାରିବାରିକ ସ୍ୱାର୍ଥ ଉପରକୁ ଉଠି ଯଦି ଏହାକୁ ଲାଗୁ କରାନଯାଏ, ତେବେ ଆଗାମୀ ଦିନରେ ତିଷ୍ଠି ରହିବା କଂଗ୍ରେସ ପାଇଁ ମୁସ୍କିଲ ହୋଇପଡିବ । ତେବେ ଖଡଗେଙ୍କ ପାଇଁ କଣ ରହିଛି ପ୍ରମୁଖ ଚ୍ୟାଲେଞ୍ଜ ଓ ଏହାର ସମାଧାନ କରିବା ସହ କଂଗ୍ରେସ କୁ ପୁନର୍ଜୀବିତ କରିବାରେ କେତେ ସମର୍ଥ ହେବେ ଏହି ଅଭିଜ୍ଞ ରାଜନେତା?

ଚ୍ୟାଲେଞ୍ଜ-୧:

ନୂଆ କଂଗ୍ରେସ ମଙ୍ଗୁଆଳଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବାକୁ ଯାଉଛି ନିରୁତ୍ସାହିତ କର୍ମୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ଏବଂ ଦଳ ଛାଡ଼ିବାରୁ ନେତାଙ୍କୁ ବିରତ ରଖିବା । କପିଲ ସିବଲ, ମନୀଷ ତ୍ୱିଓ୍ୱାରୀ ଓ ଶଶି ଥରୁରଙ୍କ ଭଳି ଜି-୨୩ ଗୋଷ୍ଠୀର ନେତାଙ୍କୁ ଯଦି ବାଦ୍ ଦିଆଯାଏ, ତାହାଲେ କଂଗ୍ରେସ ପାଖରେ ଅଭିଜ୍ଞ ନେତାଙ୍କ ଅଭାବ ସୃଷ୍ଟି ହେବ । ଅନ୍ୟପକ୍ଷରେ ଯେଉଁ ବରିଷ୍ଠମାନେ ଅଛନ୍ତି, ସେମାନେ ପ୍ରାୟତଃ ଗାନ୍ଧୀ ଅନୁଗତ । ତେଣୁ ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ନେଇ ଯେଉଁ ଦାବି ଉଠିଥିଲା, ତାହା କାର୍ଯ୍ୟକାରୀ ହୋଇପାରିବା ସମ୍ଭାବନା କମ୍ । ଅନ୍ୟପକ୍ଷରେ ଶଶି ଥରୁରଙ୍କୁ ହଜାରେରୁ ଅଧିକ ଭୋଟ ମିଳିବାରୁ ସ୍ପଷ୍ଟ ଯେ ଅନେକ ନେତା କଂଗ୍ରେସରେ ପରିବର୍ତ୍ତନ ସପକ୍ଷରେ ଅଛନ୍ତି । ତେଣୁ ଗାନ୍ଧୀଙ୍କ ପରମ ଅନୁଗତ ଖଡଗେ ଏ ଦିଗରେ କି ପଦକ୍ଷେପ ନେବେ ତା ଉପରେ ନଜର ରହିଛି ।

ଅଧିକ ପଢ଼ନ୍ତୁ:ସ୍ୱତନ୍ତ୍ର ଭାବେ 'କଂଗ୍ରେସ' ଚଳାଇପାରିବେ କି ଖଡଗେ?

ଚ୍ୟାଲେଞ୍ଜ-୨:

କଂଗ୍ରେସର ସାଂଗଠନିକସ୍ତରରେ ଆମୂଳଚୁଳ ପରିବର୍ତ୍ତନ ଲାଗି ଦାବି କରିଥିଲେ ଜି-୨୩ ଗୋଷ୍ଠୀର ନେତା । ଦଳରେ ଗଣତନ୍ତ୍ର ଆଣିବା ସହ ସମସ୍ତଙ୍କ ଲାଗି ସମାନ ସୁବିଧା ସୃଷ୍ଟି ଲାଗି ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଥିଲା । ଦଳ ନିଜ ଆଭିମୁଖ୍ୟ ପରିବର୍ତ୍ତନ ନକଲେ ଲୋକଙ୍କ ସମର୍ଥନ ପାଇବ ନାହିଁ ବୋଲି ଗୋଷ୍ଠୀ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଦଳର ଅନେକ ବରିଷ୍ଠ ନେତା ମଧ୍ୟ ସଂସ୍କାର ସପକ୍ଷରେ ଅଛନ୍ତି । ମାତ୍ର ଏହାର ରୂପରେଖ କଣ ହେବ; ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କ ଭୂମିକା କଣ ରହିବ; ଲବି ଓ ପରିବାରିକ ରାଜନୀତିକୁ ଛାଡ଼ି ଉପଯୁକ୍ତ ଲୋକଙ୍କୁ ଉପଯୁକ୍ତ ସ୍ଥାନରେ ରଖି ପାରିବେ କି ଖଡଗେ, ତାହା ବି ତାଙ୍କ ପାଇଁ ବିରାଟ ଆହ୍ୱାନ ।

ଚ୍ୟାଲେଞ୍ଜ-୩:

ଦଳର ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ସମନ୍ୱୟ ଆଉ ଏକ ‌ଆହ୍ୱାନ ହେବ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ । ରାହୁଲ ଅନୁଗତ ଓ ସୋନିଆ ଅନୁଗତ, କଂଗ୍ରେସରେ ଏଭଳି ଦୁଇ ଗୋଷ୍ଠୀ ଥିବା ପୂର୍ବରୁ ଦେଖିବାକୁ ମିଳିଥିଲା । ତେଣୁ ଖଡଗେଙ୍କୁ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ଦୂରତା ହଟାଇବାକୁ ପଡିବ । ବରିଷ୍ଠମାନେ ଯେଭଳି ନିଜକୁ କୋଣଠେସା ନଭାବିବେ, ସେଥିଲାଗି ଦଳର ସାଂଗଠନିକ ପଦପଦବୀରେ ସନ୍ତୁଳନ ରଖିବାକୁ ପଡିବ । ନଚେତ୍ ରାଜସ୍ଥାନରେ ଅଶୋକ ଗେହଲୋଟ୍ ଓ ସଚିନ୍ ପାଇଲଟ ଭଳି ବିବାଦ ଦଳୀୟ ସ୍ଥିତିକୁ ଆହୁରି ଦୁର୍ବଳ କରିବ ।

 ଚ୍ୟାଲେଞ୍ଜ-୪:

୨୦୨୪ ସାଧାରଣ ନିର୍ବାଚନକୁ ହାତରେ ଆଉ ମାତ୍ର ଦେଢ଼ ବର୍ଷ । ବିଜେପିକୁ ସାମ୍ନା କରିବାକୁ ହେଲେ, କଂଗ୍ରେସକୁ ବେଳ ଥାଉ ଥାଉ ପ୍ରସ୍ତୁତ ହେବାକୁ ପଡ଼ିବ । ତେବେ ତାପୂର୍ବରୁ ଅନେକ ରାଜ୍ୟର ବିଧାନସଭା ଭୋଟ୍ ମଧ୍ୟ ରହିଛି । ଏସବୁ ନିର୍ବାଚନ ଖଡଗେଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ । କଂଗ୍ରେସକୁ ଇଲେକ୍ସନ ମୋଡକୁ ନେବା ଏବଂ କଂଗ୍ରେସ ଇଲେକ୍ସନ୍ ମେସିନକୁ ମଜଭୂତ କରିବାରେ ସେ କେତେ ସମର୍ଥ ହେଉଛନ୍ତି, ତା ଉପରେ ଦଳର ଭବିଷ୍ୟତ ନିର୍ଭର କରିବ । ଖାସ୍ କରି ଭୋଟର୍ଙ୍କ ମନ ଜିଣିବା ଲାଗି କଂଗ୍ରେସକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ କର୍ମୀଙ୍କ ମନରେ ଉତ୍ସାହ ଭରିବା ସହ କଂଗ୍ରେସ ନିର୍ବାଚନ ଜିତି ପାରିବ ବୋଲି ବିଶ୍ୱାସ ସୃଷ୍ଟି ଲାଗି ଖଡଗେଙ୍କୁ ନୂଆ ଷ୍ଟ୍ରାଟେଜି ଆପଣେଇବାକରୁ ପଡ଼ିବ ।

ଚ୍ୟାଲେଞ୍ଜ-୫:

ଖଡଗେ ପାଇଁ ସବୁଠୁ ବଡ଼ ଆହ୍ୱାନ ରହିବ ୨୦୨୪ ନିର୍ବାଚନରେ ବିରୋଧୀଙ୍କୁ ଏକଜୁଟ୍ କରିବା । ୟୁପିଏ ସୋହଯୋଗୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଓ ନୂଆ ଦଳଙ୍କୁ ମେଣ୍ଟରେ ସାମିଲ କରିବାକୁ ହେଲେ, ଖଡଗେଙ୍କୁ ସେମାନଙ୍କ ବିଶ୍ୱାସ ଜିତିବାକୁ ପଡିବ । ତେବେ କେଉଁ କେଉଁ ଦଳଙ୍କ ସହ ମେଣ୍ଟ କଂଗ୍ରେସ ପାଇଁ ଲାଭଦାୟକ ହେବ, ତାହା ବି ବଡ଼ ପ୍ରଶ୍ନ । କାହିଁକି ନା ପ୍ରାଦେଶିକ ଦଳଙ୍କ ସହ ମେଣ୍ଟ ବେଳେ ଦ୍ୱିତୀୟ ଆସନରେ ରହିବାକୁ ପସନ୍ଦ କରୁନାହାନ୍ତି । ଅନେକ ନେତା ସେମାନଙ୍କ ମତ ଜାତୀୟ ଓ ସର୍ବପୁରାତନ ଦଳ ଭାବେ କଂଗ୍ରେସ ଲିଡ୍ ରୋଲରେ ରହିବା ଦରକାର । ସେହିପରି ବିଜେପିକୁ ହରାଇବା ଚକ୍କରରେ ନରହି ଦଳ ନିଜେ ବିଜୟୀ ହେବାକୁ ଚେଷ୍ଟା କରିବା ଉଚିତ୍ । ଏହାଦ୍ୱାରା କଂଗ୍ରେସ ପୁଣି ଥରେ ନିଜ ପତିଆରା ଫେରାଇ ଆଣିପାରିବ ବୋଲି କୁହାଯାଉଛି । ତେବେ ଖଡଗେ ଏସବୁ ପ୍ରସଙ୍ଗକୁ କେତେ ଦକ୍ଷତାର ସହ ପରିଚାଳନା କରୁଛନ୍ତି ତା ଉପରେ ନଜର ରହିଛି ।