• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶା ଉପରୁ ସାମାନ୍ୟ ଟଳିଛି ବାତ୍ୟା ବିପଦ । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଅର୍ଥାତ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନଛୁଇଁ, ରାଜ୍ୟ ଉପକୂଳକୁ ସମାନ୍ତରଳ ଭାବେ ଅତିକ୍ରମ କରିବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ । ତେବେ ଏହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୨୪ ଓ ୨୫ ଦୁଇଦିନ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ବିଭାଗ ।

ଭାରତୀୟ ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ । ଏ ସଂପର୍କରେ ଆଜି ତାଜା ସୂଚନା ଦେଇ ଆଇଏମଡି ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତର ଆଣ୍ଡାମାନ ସାଗର ତତ୍ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୪୮ ଘଣ୍ଟାରେ ଅବପାତର ରୂପ ନେବ । ୨୩ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ ରିକର୍ଭ ହୋଇ ଉତ୍ତର ଦିଗକୁ ଗତି କରିବ ।

ଏହାପରେ ୨୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ । ଏହାପରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗ ଅର୍ଥାତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ । ଏହା ଓଡିଶା ଉପକୂଳ ସହ ସମାନ୍ତରଳ ଭାବେ ଗତି କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ।

୨୩ ତାରିଖରେ ଗଭୀର ଅବପାତ ସୃଷ୍ଟି ହେବାପରେ ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିବ । ପୁରୀ, ଜଗତସିଂପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୩ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ସେହିପରି ୨୪ ତାରିଖରେ ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଏବଂ ୨୫ ରେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଅବପାତ ସୃଷ୍ଟି ନହେବା ଯାଏଁ ସଠିକ୍ ଭାବରେ ଏହାର ଗତିପଥ ଆକଳନ କରିହେବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ଏପଟେ ସମ୍ଭାବ୍ୟ ବାତ୍ୟା-ବର୍ଷା ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର । ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବିଶେଷ ଭାବରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ମେଡିସିନ୍, ପିଇବା ପାଣି, ଡଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।