/odishatv-khabar/media/post_attachments/uploadimage/library/16_9/16_9_0/rain_1666275836.jpg)
rain
ଓଡ଼ିଶା ଉପରୁ ଟଳିଛି ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗର ଭୟ । ହେଲେ ଦୂର ହୋଇନି ସାମୁଦ୍ରିକ ଝଡ଼ ପ୍ରଭାବରେ ଲଗାଣ ବର୍ଷାର ଡର । ଏଥିପାଇଁ ଏବେଠୁ ଛାନିଆ ହୋଇ ପଡ଼ିଛନ୍ତି ଉପକୂଳ ଅଞ୍ଚଳର ଚାଷୀ । ଧାନ ହେଉ କି ପାନ, ପରିବା ହେଉ ମକା ଭଳି ଡାଲି ଜାତୀୟ ଫସଲ ଏ ସବୁ ଫସଲକୁ ନେଇ ଆଶା ଓ ଆଶଙ୍କାରେ ଚାଷୀ କୂଳ । କୃଷ୍ଣପ୍ରସାଦ ବ୍ଲକ୍ ଅଞ୍ଚଳର ଲୋକେ ସମ୍ଭାବ୍ୟ ବାତ୍ୟା ଖବର ଶୁଣି ଏ ଅଞ୍ଚଳର ଧାନ ଚାଷୀ ଏକଦମ ଛାନିଆ । ବିଲରେ ଧାନ ପାଚିବାକୁ ଆହୁରି ଅନେକ ସମୟ ବାକି ଥିଲେ ବି କାଳେ ବର୍ଷକର ପରିଶ୍ରମ ବୃଥା ଯିବ, ସେଇ ଆଶଙ୍କାରେ । ଏବେଠୁ କ୍ଷେତରୁ କାଟି ନେଉଛନ୍ତି ଅଧା ପାଚିଲା ଧାନ ।
ଯାଜପୁର ଜିଲ୍ଲାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଏକର ଏକର କ୍ଷେତରେ ଲହଡ଼ି ଭାଙ୍ଗୁଛି ଧାନ ଫସଲ । ଏବେ ଠିକ୍ ଥୋଡ଼ ଆଉ ଫୁଲ ଧରିବା ସମୟ । ଏଭଳି ସମୟରେ ଯଦି ସାମାନ୍ୟ ଅଧିକ ପବନ କି ବର୍ଷା ହୁଏ, ତେବେ ଧାନ, ଅଗାଡ଼ି ହେବା ଆଶଙ୍କା ଅଧିକ । ତେଣୁ ସମ୍ଭାବ୍ୟ ବର୍ଷା ପବନକୁ ନେଇ ଚିନ୍ତାରେ ଏ ଅଞ୍ଚଳର ଚାଷୀ । ସମାନ ଚିନ୍ତାରେ ଘାରି ହେଉଛନ୍ତି କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ପୁରୀ ଓ ଜଗତସିହପୁର ଭଳି ଉପକୂଳ ଜିଲ୍ଲାର ଚାଷୀକୂଳ ।
ସେପଟେ କଟକ ଜିଲ୍ଲା ନିଆଳି ଅଞ୍ଚଳର ବର୍ଷା ଓ ପବନକୁ ନେଇ ସବୁଥର ଭଳି ଏଥର ବି ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳର ପାନ ଚାଷୀ । ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଅର୍ଥକାରୀ ପାନ ଫସଲର ମୁଖ୍ୟ ଶତ୍ରୁ ପବନ । ଟିକିଏ ଅଧିକ ପବନ ହେଲେ ପାନ ବରଜ ଉଜୁଡ଼ିଯିବାର ଭୟ, ତା ସହ ବର୍ଷା ଲାଗି ରହିଲେ ମୂଳ ପଚି ଯିବାର ଆଶଙ୍କା । ସେପଟେ ଗଜପତି ଜିଲ୍ଲାର ମକା ଚାଷୀଙ୍କ ପାଇଁ ଦୁଃଖ ଆଣିପାରେ । ସମ୍ଭାବ୍ୟ ବର୍ଷା ଓ ପବନ ମକା ଫସଲ ଏବେ ଅମଳ ହେବାକୁ ବାକି ଥିବା ବେଳେ ଏଇ ସମୟରେ ପ୍ରକୃତି ଯଦି ଦାଉ ସାଧେ, ତାହେଲେ ସେମାନଙ୍କ ମେରୁଦଣ୍ଡ ଦୋହଲି ଯିବ ବୋଲି ଆଶଙ୍କା କରିଛନ୍ତି । ଏ ଅଞ୍ଚଳର ଚାଷୀ ସେହିଭଳି ଏବେର ପରିସ୍ଥିତିକୁ ଆତଙ୍କିତ ଅବସ୍ଥାରେ କେନ୍ଦ୍ରାପଡ଼ାର ପରିବା ଚାଷୀ ।
ଏପଟେ ସ୍ଥିତି ମୁକାବିଲା ସହ ବର୍ଷା ଓ ପବନରେ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବିଭାଗ କଣ୍ଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି କୃଷି ମନ୍ତ୍ରୀ । ଏଭଳି ସ୍ଥିତିରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସାମ୍ନା କରିବାକୁ କୃଷି ବିଭାଗ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)