Advertisment

ବିଜେଡି ଉପରେ ଭାରି ପଡ଼ିବ କି ସୁଭଦ୍ରା, ସିଏମ୍‌-କିଷାନ ଯୋଜନା...

ମହିଳା ଓ କୃଷକମାନେ ବିଜେଡିର ଦୃଢ ଭୋଟ୍‌ବ୍ୟାଙ୍କ୍ ଭାବେ ପରିଗଣିତ ହେଉଥିଲେ । କିନ୍ତୁ ବିଜୁ ଜନତା ଦଳକୁ ଭାରି ପଡି ପାରେ ମୋହନ ମାଝିଙ୍କ ସୁଭଦ୍ରା, ସିଏମ-କିଶାନ ଯୋଜନା ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
BJD VOTE BANK

BJD VOTE BANK

ଦିନ ଥିଲା ମହିଳା ଓ କୃଷକମାନେ ବିଜୁ ଜନତା ଦଳ ବା ବିଜେଡିର ଦୃଢ ଭୋଟ୍‌ବ୍ୟାଙ୍କ୍ ଭାବେ ପରିଗଣିତ ହେଉଥିଲେ । ବିଜେଡି ଏହି ଦୁଇ ବର୍ଗର ଭୋଟରମାନଙ୍କ ଭାବାବେଗକୁ ଏକ ପ୍ରକାର ପ୍ରଭାବିତ କରି ନିଜର ଏକ ସଶକ୍ତ ତଥା ଅଭେଦ୍ୟ ଭୋଟ୍‌ବ୍ୟାଙ୍କ୍ ତିଆରି କରିବାରେ ସମର୍ଥ ହୋଇଥିଲା । ଆଉ ଏହି ଦୁଇ ଭୋଟ୍‌ବ୍ୟାଙ୍କ୍ ବିଜେଡିକୁ ୨୪ ବର୍ଷରୁ ଉର୍ଦ୍ଧ ଓଡ଼ିଶା ଶାସନରେ ରହିବା ପାଇଁ ବେଶ୍ ସାହାଯ୍ୟ କରିଥିଲେ ।

Advertisment

କୌଣସି ଏକ ବର୍ଗକୁ ନିଜର ଭୋଟ୍‌ବ୍ୟାଙ୍କ୍‌ରେ ପରିଣତ କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ସେମାନଙ୍କର ହୃଦୟ ଜିଣି ଓ ସେମାନଙ୍କୁ ଉପଯୁକ୍ତ ଭାବେ ସାମାଜିକ ତଥା ଆର୍ଥିକସ୍ତରରେ ସଶକ୍ତ କରି ଦଳର ଦୃଢ ସମର୍ଥକ କରିବାରେ ଆବଶ୍ୟକତା ଅଛି । ତୁଚ୍ଛାଟାରେ ମିଥ୍ୟା ଆଶ୍ୱାସନା, ଭରସା ଓ ନିର୍ବାଚନକାଳୀନ ଲୋଭ ଦେଖାଇ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ସହିତ ଖେଳିବା ମହାପାପ । ଆଉ ସେହି ପାପ ଭାର ଯେତେବେଳେ ଅଧିକ ହେବ, ସେ ଯେତେ ଶକ୍ତିଶାଳୀ ହେଉନା କାହିଁକି; ତାହା ନିମିଷକ ମଧ୍ୟରେ ଭୁଶୁଡ଼ି ପଡିବ । ଶାସକ ଓ  ଶାସନର ପତନ ହେବ ।  ଠିକ୍ ଏହା ହିଁ ଘଟିଲା ବିଜୁ ଜନତା ଦଳ କ୍ଷେତ୍ରରେ । ଦେଶର ସର୍ବକାଳୀନ ଓ ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବାର ଲକ୍ଷ୍ୟ ରଖିଥିବା ନବୀନ ପଟ୍ଟନାୟଙ୍କ ଚୌକି ଟଳି ପଡିଲା ।

ନବୀନ ପଟ୍ଟନାୟକଙ୍କ ଶାସନରେ ମହିଳାମାନଙ୍କର କିଛି ଯେ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ହୋଇନାହିଁ, ତାହା କେହି କହିପାରିବେ ନାହିଁ । ମହିଳାମାନଙ୍କ ଲାଗି ଅନେକ ଗୁଡିଏ ଯୋଜନା କରଗଲା । ସ୍ୱୟଂସହାୟକ ଗୋଷ୍ଠି ତିଆରି କରି ସେମାନଙ୍କର ଦକ୍ଷତା ବିକାଶ କରାଗଲା । ଏହାଛଡା ନିଜସ୍ୱ ଉଦ୍ୟୋଗ କରିବା ପାଇଁ ସେମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବା ସହିତ ବିନା ସୁଧରେ ହାତପାଣ୍ଠି ଯୋଗାଇ ଦିଆଗଲା । କିଛି ମହିଳା ଏଥିରେ ନିଜର ଉତ୍କର୍ଷତା ଦେଖାଇ ସ୍ୱାବଲମ୍ବୀ ହୋଇପାରି ଆଦର୍ଶ ସୃଷ୍ଟି କରିପାରିଲେ । ହେଲେ ଯେତେବେଳେ ଏହି ମହିଳା ସଶକ୍ତିକରଣ ଯୋଜନାକୁ କିଛି ରାଜନୈତିକ ଲୋକ ଧିରେଧିରେ ବାଟବଣା କରିବାକୁ ଚେଷ୍ଟା କଲେ, ତାହାକୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଦଳର କେହି ନେତା ରୋକିବା ପାଇଁ ଚେଷ୍ଟା କଲେ ନାହିଁ ।

Advertisment

ଅନେକ ସ୍ଥାନରେ ମହିଳାମାନେ ଉଦ୍ୟୋଗୀ ପରିବର୍ତେ ସୁଧକାରବାରରେ ଲିପ୍ତ ରହିଲେ । ଏଥିରେ ସେମାନଙ୍କର କିଛି ଦୋଷ ନାହିଁ । ପ୍ରତ୍ୟେକ ମଣିଷ ଚାହେଁ ଯେ କିପରି ସ୍ୱଳ୍ପ ପରିଶ୍ରମ ଓ ଅଳ୍ପପୁଂଜି ବିନିମୟରେ ଅଧିକ ଉପାର୍ଜନ କରିହେବ । ମହିଳାମାନେ ଯେତେବେଳେ ଏଭଳି ସର୍ଟକଟ୍ ରାସ୍ତା ଆପଣାଇବାରେ ଲାଗିଲେ,ସେତେବେଳେ ନିଷ୍ଠାର ସହିତ ନବୀନ ପଟ୍ଟନାୟକ ସରକାର ତାଙ୍କୁ ମିଶନ ଶକ୍ତି ବିଭାଗର ଲକ୍ଷ୍ୟ ଅନୁସାରେ ସେମାନଙ୍କୁ ଏଥିରୁ ନିବୃତ କରି ଉପଯୁକ୍ତ ମାର୍ଗରେ ପରିଚାଳିତ କରିବାର ଆବଶ୍ୟକତା ଥିଲା । ହେଲେ ତାହା ହେଲା ନାହିଁ । ଅନେକ ମହିଳାମାନେ ମହାଜନୀ କାରବାରରେ ଲାଗିଲେ । ଉଚ୍ଚ ସୁଧରେ ପାଣ୍ଠି ଲଗାଇ ସାଇ ପଡିଶାରେ ବଦନାମ ହେଲେ । କେତେକ ସ୍ଥଳରେ ଅନେକ ଲୋକ ଋଣ ପରିଶୋଧ କରିନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ।

ସବୁଠାରୁ ବିଡମ୍ବନା ହେଲା ଯେଉଁ ସମୟରେ ମିଶନଶକ୍ତି ବିଭାଗ ସହୟତାରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଗକୁ ନେବାର ଥିଲା, ଠିକ୍ ସେହି ସମୟରେ ଏହାର ଦୂୂରୂପଯୋଗ କରି ମହିଳାମାନଙ୍କୁ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ କରିବା ଦେଖାଗଲା । ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ବେଆଇନ୍ ଭାବେ ତିଆରି ହୋଇଥିବା ୫-ଟି ବିଭାଗ ସଚିବ ଭୈରଭ କାର୍ତିକ ପାଣ୍ଡିଆନ୍‌ଙ୍କ ରାଜନୈତିକ ସଭା,  ସବୁ ସ୍ଥାନକୁ ମିଶନଶକ୍ତି ମହିଳାମାନଙ୍କୁ ଏକ ପ୍ରକାର ଗାଡିରେ ଲଦାଲଦି କରି ବୋହି ଆଣି ସେମାନଙ୍କୁ ବିଜେଡିର ରାଜନୈତିକ କର୍ମୀଭାବେ ବ୍ୟବହାର କଲା । ଏହା ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆମାନଙ୍କୁ ବେଶ୍ ମାନସିକ ଆଘାତ ଦେଇଥିଲା । ବିଜେଡିର ଏତାଦୃଶ କ୍ଷମତାର ଦୂରୂପଯୋଗ ଭଦ୍ର ସମାଜକୁ ବେଶ୍ ଅସହ୍ୟ ହୋଇଥିଲା । ଯେଉଁମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ, ସେମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ, ହରକତ ମଧ୍ୟ କରାଯାଉଥିଲା ।

ଏବେ ଜାଣିବାକୁ ଚେଷ୍ଟା କରିବା ଚାଷୀମାନଙ୍କ ସମସ୍ୟା ଓ ସେମାନଙ୍କ ପାଇଁ ବିଜେଡି ସରକାରର ଆଭିମୁଖ୍ୟ କିପରି ଥିଲା । ବିଜେଡି-ବିଜେପି ୨୦୦୦ ମସିହାରେ ସେମାନଙ୍କର ମିଳିତ ନିର୍ବାଚନ ଇସ୍ତାହାରେ ରାଜ୍ୟର ୩୧୪ ବ୍ଲକ୍‌ରେ ଆଗାମୀ ପାଂଚବର୍ଷ ମଧ୍ୟରେ ୩୫ ପ୍ରତିଶତ ଜଳସେଚନ କଥା କହିଥିଲେ । ୨୦୦୪ ଓ ୯ ପରବର୍ତି ସମୟରେ ଏହି ପ୍ରତିଶ୍ରୁତିକୁ ମଧ୍ୟ ଦୋହରାଇଥିଲା । ହେଲେ ବିଜେଡି ସରକାର ପତନ ହେବା ପର୍ଯ୍ୟନ୍ତ ରାଜ୍ୟର ୩୧୪ ବ୍ଲକ୍‌କୁ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିଲା ନାହିଁ । ଚାଷୀ ତା’ ଶ୍ରମ, ସମ୍ବଳ ଓ ଅମଳ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରିଲା ନାହିଁ । ଅଭାବୀ ବିକ୍ରି ପରିସ୍ଥିତିର ସାମ୍ନା କରି ସର୍ବସ୍ୱାନ୍ତ ହେଲା । କେତେକ କ୍ଷେତ୍ରରେ ଋଣଗ୍ରସ୍ତ ଚାଷୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ।

ସୋହେଲା ଚାଷୀ ସମ୍ମଳନ୍ନୀରେ ଧାନ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଘୋଷଣା କରିଥିବା ନବୀନ ପଟ୍ଟନାୟକ ସରକାର ସେତକ ମଧ୍ୟ ଦେବାରେ ସମର୍ଥ ହେଲା ନାହିଁ । ମଣ୍ଡିରେ ଚାଷୀ ଠିକଣା ଭାବେ ନିଜର ଧାନ ବିକ୍ରି କରିପାରିଲା ନାହିଁ । କଟଣିଛଟଣି ନାମରେ ଶୋଷିତ ହେଲା । ଚାଷୀର ଉତ୍ପାଦ ପାଇଁ ଶୀତଳ ଭଣ୍ଡାର ଓ ଅନ୍ୟାନ ସୁବିଧା କରାଯାଇପାରିଲା ନାହିଁ । ଶସ୍ୟ ସଂରକ୍ଷଣ ଓ ବିପଣନ ସମସ୍ୟା ନିରନ୍ତର ଭାବେ ଚାଷୀକୁ ବ୍ୟଥିତ କଲା । ଉପଯୁକ୍ତ ବଜାର ଅଭାବରୁ ଆମ ରାଜ୍ୟର ଧାନ ଛତିଶଗଡ଼କୁ ଗଲା । 

ଚାଷୀପ୍ରତି ପାଖାପାଖି ଦୁଇ ଦଶନ୍ଧି କାଳ ଉଦାସୀନ ରହିବା ପରେ ୨୦୧୯ରେ ନବୀନ ପଟ୍ଟନାୟକ ସରକାର ‘କାଳିଆ ଯୋଜନା’ ପ୍ରଣୟନ କଲେ । ଏହି ଯୋଜନାର ମୂଲ ଲକ୍ଷ୍ୟ ଚାଷୀଙ୍କୁ ଚାଷ ଲାଗି ଆବଶ୍ୟକ ବିହନ, ସାର ଓ ଅନ୍ୟାନ କୃଷି ସାମଗ୍ରୀ କ୍ରୟ ଲାଗି ସହାୟତା ବୋଲି କୁହାଗଲା । ହେଲେ ପ୍ରକୃତ ପକ୍ଷେ ଏହା ଏକ ନିର୍ବାଚନୀ ଚାଲ୍ ଥିଲା ବୋଲି ସେତେବେଳେ ରାଜନୈତିକ ସମୀକ୍ଷକ ଓ ବୁଦ୍ଧିଜୀବୀମାନେ ମତପୋଷଣ କରିଥିଲେ । ଯେତେବେଳେ କୌଣସି କାର୍ଯ୍ୟ ନିଷ୍ଠା ଓ ଆନ୍ତରିକତା ସହିତ ଏକ ମହତ ଉଦ୍ଦ୍ୟେଶରେ କରାଯାଇଥିବ, ତାହା ନିଶ୍ଚିତ ଭାବରେ ଜନାଦୃତ ହେବ ଏବଂ ସରକାରଙ୍କ ପ୍ରତି ଢେର ଭଲପାଇବା ସୃଷ୍ଟି କରିବ । ଯଦି ଏହା ସଙ୍କୀର୍ଣ୍ଣ ରାଜନୈତିକ ଉଦ୍ଦ୍ୟେଶରେ ସ୍ୱଳ୍ପକାଳୀନ ସ୍ୱାର୍ଥ ସାଧନ ଲାଗି ଅଭିପ୍ରେତ ହୋଇଥିବ, ଦିନେ ନା ଦିନେ ଏହାର ଅସଲ ମୂଖା ଖୋଲିଯିବ ।

ବର୍ତମାନର ମୋହନ ମାଝିଙ୍କ ନେତୃତ୍ୱାଧୀନ ବିଜେପି ସରକାର କାଳିଆ ବଳଦରେ ସିଏମ୍‌-କିଶାନ ଯୋଜନା ଆଣିଛନ୍ତି । ପ୍ରଥମ ଦଫାରେ ୯୨୫ କୋଟି ୪୦ ଲକ୍ଷ ଟଙ୍କା ପ୍ରାୟ ୪୬ ଲକ୍ଷ ଚାଷୀ ଓ ଭୂମିହୀନ ପରିବାରଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ବର୍ତମାନ ଚାଷୀମାନଙ୍କ ଭଲପାଇବା ସ୍ୱଭାବିକ ଭାବେ ମୋହନ ସରକାର ପ୍ରତି ଏକ ଅଧିକ ରହିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଗାମୀ ଦିନରେ ଯଦି ମୋହନ ସରକାର ପୂର୍ବ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ସୁଧାରି କିଛି ବାସ୍ତବ ତଥା ବଳିଷ୍ଠ ଚାଷୀ କଲ୍ୟାଣକାରୀ ପଦକ୍ଷେପ ନେବେ, ତେବେ ଚାଷୀମାନେ ଏହି ସରକାରର ଏକ ବଡ଼ ଭୋଟ୍‌ବ୍ୟାଙ୍କ ଭାବେ ଛିଡା ହେବେ । 

ବର୍ତ୍ତମାନ ପରିସ୍ଥିତିରେ ଅନ୍ତତଃ ଏତିକି ଆକଳନ କରିହେବ ଯେ ବିଜେଡିର ୭୦ ଲକ୍ଷ ମହିଳା ଭୋଟ୍‌ବ୍ୟାଙ୍କ ଓ ପାଖାପାଖି ୬୫ ଲକ୍ଷ ଚାଷୀ ଭୋଟ୍‌ବ୍ୟାଙ୍କ ଧିରେଧିରେ ବିଜେପି ଖାତାକୁ ଯିବାରେ ଲାଗିଛି । ଦେଖିବାର କଥା, ବିଜେଡି ଏହି ଦୁଇବର୍ଗର ପୁନଃ ବିଶ୍ୱାସଭାଜନ କିପରି ହୋଇପାରୁଛି ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

BJD
Advertisment
Advertisment