• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନୂଆବର୍ଷ, ନୂଆ ଚାଲେଞ୍ଜ୍‌, ଦଳ ବିରୋଧୀ ତତ୍ତ୍ୱଙ୍କୁ ନିପାତ ସହ ଗୋଷ୍ଠୀ କନ୍ଦଳର ସମାଧାନ, ସଂଗଠନକୁ ସୁଦୃଢ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏହାହେଉଛି ମୁଖ୍ୟ ଚାଲେଞ୍ଜ। କାରଣ ୨୨ ହେଉଛି ନିର୍ବାଚନର ବର୍ଷ। ପଞ୍ଚାୟତ ସହ ପୌର ନିର୍ବାଚନ ଚଳିତ ବର୍ଷ ହେବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ପାଇଁ ଦିନ ପାଖଉଥିବା ବେଳେ ଦଳ ଗୁଡିକ ପାଖରେ ଆଉ ସମୟ ନାହିଁ। ଶାସକ ବିଜେଡି ପାଇଁ ତିନି ପ୍ରମୁଖ ଚାଲେଞ୍ଜ୍‌ ହେଲା, ଦଳ ଭିତରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ଓ ଆମଦାନୀ ନେତାଙ୍କୁ ଥଇଥାନ କରିବା।

ଦ୍ୱିତୀୟରେ ସରକାର ବିରୋଧୀ ହାଓ୍ୱା ଯେଭଳି ନିର୍ବାଚନ ପୂର୍ବରୁ ନ ବଢୁ ସେଥିପାଇଁ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା, ତୃତୀୟରେ ତୃଣମୂଳ ସ୍ତରରୁ ଦଳକୁ ଅଧିକ ସଂଗଠିତ କରିବା। ସେପଟେ ପଞ୍ଚାୟତ ପ୍ରସ୍ତୁତି ଲାଗି ବିଜେପି ବୁଥ୍‌ ସ୍ତରରେ ସଂଗଠନକୁ ମଜବୁତ, ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ତଥା କେନ୍ଦ୍ରର ସୁଶାସନ ବାବଦରେ ଲୋକଙ୍କୁ ଅବଗତ କରାଇବା ଦଳ ପାଇଁ ମୁଖ୍ୟ ଚାଲେଞ୍ଜ୍‌। ଅନ୍ୟପଟେ କଂଗ୍ରେସ ପାଇଁ ବଡ ଚାଲେଞ୍ଜ ହେଉଛି ଘର ସଜଡା। ସେହିପରି ଏକାଧିକ ଟାଣୁଆ ନେତା ବିଜେଡିକୁ ଯିବା ପରେ ତୃଣମୂଳ ସ୍ତରରେ କିପରି କର୍ମୀଙ୍କ ମନବଳ ବଢାଯିବ ତାହା ବି ମୁଖିଆଙ୍କ ପାଇଁ ଆହ୍ୱାନ। ତଥାପି ସବୁ ଦଳ ବର୍ଷ ୨୦୨୨ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଲୋକଙ୍କ ଆସ୍ଥାଭାଜନ ହୋଇ ବେଶ୍ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ କଂଗ୍ରେସ ଭୋଟର୍‌ଙ୍କ ବିଶ୍ୱାସକୁ ହରାଇଥିଲା। ଏଥର ପୁରୁଣା ପାଠରୁ ଶିକ୍ଷା ଲାଭ କରି ବିଜେଡି ତୃଣମୂଳ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରିବା ସହ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନିର୍ବାଚନ ପୂର୍ବରୁ ଘୋଷଣା କରିଛି। ମାଳମାଳ ନେତା ଏବେ ପଞ୍ଚାୟତ ମୁହାଁ। ସେପଟେ ବିଜେପ କାଉଣ୍ଟର୍‌ ଷ୍ଟ୍ରାଟେଜି ଭାବେ ନାରୀ ସୁରକ୍ଷା, ଚାଷୀ ଆଦି ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା ଚଳାଇଛି। କଂଗ୍ରେସ ନେତାଙ୍କ ଭିତରେ ତାଳମେଳ ରଖିବା ଲାଗି ଆପ୍ରାଣ ଚେଷ୍ଟା କରୁଛି। ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଏହା ସବୁ ଦଳ ପାଇଁ ଏସିଡ୍‌ ଟେଷ୍ଟ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ପଞ୍ଚାୟତ ଓ ପୌର ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ଦଳଗୁଡିକ ୨୦୨୪ ସାଧାରଣ ନିର୍ବାଚନକୁ ଯିବେ। ଏଥିଲାଗି ଭୋଟର୍‌ଙ୍କୁ ମନାଇବାକୁ ରାଜନୈତିକ ଦଳଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।