ବିଜୁ ବାବୁଙ୍କୁ ତାଙ୍କ ଜୀବଦଶାରେ ଓ ମୃତ୍ୟୁ ପରେ ସମ୍ମାନ ଦେଇନାହାଁନ୍ତି ତାଙ୍କ ପୁଅ ନବୀନ ପଟ୍ଟନାୟକ । ଏହା କହିଛନ୍ତି ବିଜେପି ବିଧାୟକ ବାବୁ ସିଂ । ବିଜୁଙ୍କ ନାଁରେ ଗଠିତ ଦଳର ସଭାପତି ହୋଇଥିବା ନବୀନ ପଟ୍ଟନାୟକ ତାଙ୍କ ଜୀବଦଶାରେ ବିଜୁ ବାବୁଙ୍କ ପାଖକୁ ଯାଇନାହାଁନ୍ତି । ସେ ବିଜୁ ବାବୁଙ୍କୁ ଘୃଣା କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ବାବୁ । ଜଣେ ବାପା ରୋଗଗ୍ରସ୍ତ ହେଲା ପରେ ଆଶା କରିଥାଏ, ତାଙ୍କ ପୁଅ ବା ଝିଅ ଶେଷ ସମୟରେ ତାଙ୍କର ସେବା କରିବେ ।
ବିଜୁ ବାବୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ରହି ଚିକିତ୍ସିତ ହେଉଥିଲା ବେଳେ ନବୀନ ବାବୁ ତାଙ୍କୁ ଗୋଟିଏ ଦିନ ବି ଦେଖା କରିବାକୁ କି ଆଶ୍ୱାସନା ଦେବାକୁ ଯାଇନାହାନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ । ଏହି ହସ୍ପିଟାଲର ବିଲ୍ ସେତେବେଳେ ୨୨ ଲକ୍ଷ ଟଙ୍କା ହୋଇଥିଲା । ଏହା ଯେତେବେଳେ ନବୀନ ବାବୁଙ୍କୁ କୁହାଯାଇଥିଲା, ସେ ଘରେ ଲୁଚିଥିଲେ ବୋଲି କହିଛନ୍ତି ବାବୁ ।
ସେ କହିଛନ୍ତି, ସେତେବେଳର ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏହି ୨୨ ଲକ୍ଷ ଟଙ୍କା ପଇଠ କରିଥିଲେ । ଏହା ପରେ ବିଜୁ ବାବୁଙ୍କ ମରଶରୀର ହସ୍ପିଟାଲରୁ ବାହାରକୁ ଆସିଥିଲା । ଏହା ଥିଲା ବାପାଙ୍କ ପ୍ରତି ନବୀନ ବାବୁଙ୍କର ସ୍ନେହ ଓ ଶ୍ରଦ୍ଧା ବୋଲି କହି ସେ ସମାଲୋଚନା କରିଛନ୍ତି । କେବଳ ସେତିକି ନୁହେଁ, ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କ ଅସ୍ଥି ଆଣିବା ପାଇଁ ମଧ୍ୟ ନବୀନ ବାବୁ ପ୍ରୟାସ କରିନଥିଲେ । ସେତେବେଳେ ବିଜୁଙ୍କ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର ଏହି ଅସ୍ଥି ଆଣି ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ରଖିଥିଲେ । ବାରମ୍ୱାର କହିବା ପରେ ମଧ୍ୟ ନବୀନ ବାବୁ ଅସ୍ଥି ନେଇ ବିସର୍ଜନ କରିନଥିଲେ। ତିନି ବର୍ଷ ପରେ ବିଜୟ ମହାପାତ୍ର ବିଜୁ ବାବୁଙ୍କ ଅସ୍ଥି ନେଇ ବିସର୍ଜନ କରିଥିଲେ ।
ବିଜୁ ବାବୁଙ୍କର ଜୂଇ ଯେତେବେଳେ ଶ୍ମଶାନରେ ଜଳୁଥିଲା, ସେତେବେଳେ ସାରା ଓଡ଼ିଶା ବାସୀ କାନ୍ଦୁଥିଲେ, ନବୀନ ବାବୁ ସେତେବେଳେ କେଉଁ ହୋଟେଲରେ କ’ଣ କରୁଥିଲେ, ତାହା ଓଡ଼ିଶାବାସୀ ଜାଣିଛନ୍ତି ବୋଲି କହିଛନ୍ତି ବାବୁ। ରୀତିନୀତି ଅନୁଯାୟୀ, ବିଜୁ ବାବୁଙ୍କ ଦଶାହ କାର୍ଯ୍ୟରେ ମଧ୍ୟ ନବୀନ ବାବୁ ଲଣ୍ଡା ହେବାକୁ ରାଜି ନଥିଲେ । ଧଉଳିର ଗଣେଶ ଘାଟରେ ତାଙ୍କ ବଡ଼ ଭଉଣୀ ଓ ବହୁ ରାଜନୈତିକ ନେତାଙ୍କ ଚାପରେ ସେ ଲଣ୍ଡା ହୋଇଥିଲେ। ବିଜୁ ବାବୁଙ୍କ ପ୍ରତି ନବୀନ ବାବୁଙ୍କ ସ୍ନେହ ଓ ଶ୍ରଦ୍ଧା ଏଥିରୁ ଜଣା ପଡୁଥିବାର କହି ସେ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ପୃଥିବୀରେ ଏମିତି କୌଣସି ରାଜ୍ୟ ନାହିଁ, ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଆଞ୍ଚଳିକ ଭାଷା ଜାଣିନଥିଲେ। ଆଜି ଓଡିଆ ଅସ୍ମିତା କଥା ଉଠାଉଥିବା ବିଜେଡି ନେତା ୨୪ ବର୍ଷରେ ତାଙ୍କ ଦଳର ସଭାପତିଙ୍କୁ ଓଡିଆ ଭାଷା ଶିଖାଇପାରିଲେନି । ଏହା କ’ଣ ଓଡିଆଙ୍କ ପାଇଁ ଦୁର୍ଭାଗ୍ୟ ନୁହେଁ କି ?
ଅଧିକ ପଢ଼ନ୍ତୁ: ବିରୋଧୀଙ୍କୁ ଦରକାର ହଜମ ଗୋଲି: ମୁଖ୍ୟମନ୍ତ୍ରୀ
ଯେଉଁମାନେ ଦୀର୍ଘ ୧୦ ବର୍ଷ ଧରି ଜଣେ ଅଣଓଡିଆ ଅଫିସରଙ୍କ ପାଖରେ ନିଜର ଓଡିଆତ୍ୱ ଓ ଓଡିଆ ପରମ୍ପରାକୁ ବିକିଲେ , ସେମାନେ ଆଜି ଓଡିଆ ଅସ୍ମିତା କଥା କହୁଛନ୍ତି । ସେହି ଅଣଓଡିଆ ଅଫିସରଙ୍କ ପାଇଁ କିଏ ଟେଣ୍ଟ ବାନ୍ଧିଲା ତ ପୁଣି କେଉଁ ବିଧାୟକ ତାଙ୍କର ଟ୍ରାଫିକ ପୋଲିସ ସାଜିଥିଲେ, ସେମାନଙ୍କ ମୁହଁରେ ଓଡିଆ ଅସ୍ମିତା କଥା ଶୋଭା ପାଏନି । ବିଗତ ୨୪ ବର୍ଷ ଭିତରେ ଓଡିଆ ଅସ୍ମିତା କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜୁ ବାବୁଙ୍କ ଉପରେ ବିଧାନସଭାରେ ଆଲୋଚନା ହେଉ ବୋଲି ଦାବି କରିଛନ୍ତି ବାବୁ ସିଂ ।
#ନବୀନଙ୍କୁ_ଧୋଇଦେଲେ_ବାବୁ_ସିଂ
— ଓଟିଭି (@otvkhabar) March 10, 2025
‘#ବିଜୁଙ୍କ_ମୃତ୍ୟୁ_ପରେ_ତାଙ୍କ_ହସ୍ପିଟାଲ_ବିଲ_ନବୀନ_ଦେଇନଥିଲେ’
‘#ଘରେ_ଲୁଚି_ଥିଲେ_ନବୀନ’
‘ବିଜୁ ବାବୁଙ୍କ ଜୀବଦଶା କିମ୍ବା ମୃତ୍ୟୁ ପରେ ସମ୍ମାନ ଦେଇନାହାନ୍ତି ନବୀନ । ବିଜୁ ବାବୁଙ୍କୁ ଦେଖା କରିବାକୁ ଯାଉନଥିଲେ ନବୀନ । ହସ୍ପିଟାଲରେ ବିଜୁ ବାବୁଙ୍କୁ ଦେଖା କରିବାକୁ ଯାଇନଥିଲେ ନବୀନ । ଅନ୍ତିମ ସଂସ୍କାର ପରେ… pic.twitter.com/0YOd8BpCZG
ସେ କହିଛନ୍ତି, ବିଜୁ ଜନତା ଦଳ ଗୃହ ଚଲେଇ ନଦେବା ପାଇଁ ପ୍ରସ୍ତୁତ ହୋଇ ଆସିଛି । ପ୍ରଶ୍ନକାଳକୁ ବନ୍ଦ କଲେ। ବିରୋଧୀ ଦଳ ପ୍ରଶ୍ନକାଳରେ ପ୍ରଶ୍ନ ପଚାରି ସରକାରଙ୍କ ଠାରୁ ଉତ୍ତର ପାଇବା କଥା । ତାହା ନକରି ବିରୋଧୀ ଦଳ ବନ୍ଦ କରିବାକୁ ଚାହୁଁଛି । ବିଜୁ ବାବୁଙ୍କ ବିଷୟରେ ଆଲୋଚନା ହେବାର ଥିଲା। ଆଲୋଚନା ପାଇଁ ଆମେ ମଧ୍ୟ ପ୍ରସ୍ତୁତ ହୋଇ ଆସିଥିଲୁ । ଓଡିଆ ଅସ୍ମିତା କଥା କହିକି ବିଧାନସଭାକୁ ବନ୍ଦ କରିଛନ୍ତି ବିରୋଧୀ ।
ବାବୁ ସିଂଙ୍କ ଏହି ବକ୍ତବ୍ୟ ଉପରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ଏହା ବାବୁ ସିଂଙ୍କର ଏକ ମନଗଢ଼ା କାହାଣୀ । ଏହା ସତ୍ୟ ନୁହେଁ ।
ଅଧିକ ପଢ଼ନ୍ତୁ: ‘ପ୍ରଦୀପ ଭାଇ ! ବିରୋଧୀଙ୍କର ବଦହଜମୀ ଧରିଲାଣି, ହଜମ ଗୁଲିର ବ୍ୟବସ୍ଥା କର’
- Reported by:
- SOUMYA RANJAN SAHOO