ଦିବ୍ୟାଙ୍ଗଙ୍କ ପାଇଁ ସହଯୋଗର ହାତ ବଢାଇବା ସମସ୍ତଙ୍କର କର୍ତ୍ତବ୍ୟ । କିନ୍ତୁ ବିଡମ୍ବନା.....ବଲାଙ୍ଗିର ଜିଲ୍ଳା ଶିକ୍ଷା ବିଭାଗ ଦିବ୍ୟାଙ୍ଗଙ୍କ ପ୍ରତି ନିର୍ଦୟ ! ଦିବ୍ୟାଙ୍ଗଙ୍କ ବଦଳି ପାଇଁ ନିୟମ ଅଛି । ଆବେଦନ କଲେ, ନିଜ ପାଖ ଜାଗାକୁ ବଦଳି ହେବା କଥା । କିନ୍ତୁ ଦଶଜଣ ଦିବ୍ୟାଙ୍ଗ ଶିକ୍ଷକ ଆବେଦନ କରିଥିଲେ ବି, ଦେଢ ବର୍ଷ ହେଲା ଦେଢ ଇଞ୍ଚ୍ ଘୁଚିଂ ନାହିଁ ଫାଇଲ । ଏପରିକି ଭିନ୍ନକ୍ଷମ କିମଶନର ରାଜ୍ୟ ଶିକ୍ଷା ବିଭାଗକୁ ପତ୍ର ଯୋଗେ ତାଗିଦ କରିଥିଲେ । ହେଲେ ଜିଲ୍ଳା ଶିକ୍ଷା ବିଭାଗର ଖାତିର ନାହିଁ । ତେଣୁ ଅଧିକାରୀଙ୍କ ଅହଂକାର ଯୋଗୁଁ, ହଇରାଣ ହରକତ ଦିବ୍ୟାଙ୍ଗ ଶିକ୍ଷକ । ପୂରା ଘଟଣାକୁ ନେଇ ଦେଖନ୍ତୁ ଆମର ଏକ୍ସକ୍ଳୁସିଭ ରିପୋର୍ଟ –‘‘ଦିବ୍ୟାଙ୍ଗଙ୍କ ପାଇଁ ନିର୍ଦୟ ଶିକ୍ଷା ବିଭାଗ’’ ।
ବଲାଙ୍ଗିର ଜିଲ୍ଳାପାଳ କାର୍ଯ୍ୟାଳୟ । ସେଠି ପହଞ୍ଚିବା ପରେ ଲକ୍ଷ୍ୟ କଲୁ. ଜଣେ ଦିବ୍ୟାଙ୍ଗ ଶିକ୍ଷକ ଗୁରୁଣ୍ଡି ଗୁରୁଣ୍ଡି ଗୁହାରି କରିବାକୁ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଳାପାଳଙ୍କ ପାଖରେ । କେବଳ ଯେ ଏ ଗୋଟେ ଦିନ ତାହା ନୁହେଁ ! ଏମିତି ଅନେକ ବାର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି ଆବେଦନ ପାଇଁ । ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ବି ଲିଖିତ ଭାବେ ଜଣାଇସାରିଛନ୍ତି । ଦେଢ ବର୍ଷ ଧରି ଗୋଟିଏ କାର୍ଯ୍ୟାଳୟରୁ ଆଉ ଗୋଟିଏ କାର୍ଯ୍ୟାଳୟକୁ ଏମିତି ଗୁରୁଣ୍ଡି ଗୁରୁଣ୍ଡି ଯାଇ ନିଜର ବଦଳି ପାଇଁ ନେହୁରା ହେଉଛନ୍ତି ଶିକ୍ଷକ ଅରୁଣ ନାଗ । କାରଣ ଘର ଠାରୁ ୫୦ କିଲୋମିଟର ଦୂର ଗୁଡଭେଲା ବ୍ଳକରେ ଚାକିରୀ କଲା ପରେ, ନିୟମ ଅନୁଯାୟୀ, ଘର ପାଖକୁ ବଦଳି ହେବା ଉଚିତ ।
Also Read
ଏନେଇ ସବୁ ପ୍ରକାର ଦଲିଲ ଦସ୍ତାବିଜ ସହିତ, ଦେଢ ବର୍ଷ ତଳୁ ଆବେଦନ କରିଛନ୍ତି ଅରୁଣ । କିନ୍ତୁ ମାସକ ଆଗରୁ ଥିବା ଜିଲ୍ଳା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅହଂକାର ଯୋଗୁଁ ପଡିରହିଛି ଫାଇଲ । ଅରୁଣଙ୍କ ବଦଳି ନେଇ ଭିନ୍ନକ୍ଷମ କମିଶନରଙ୍କ ପାଖରୁ ରାଜ୍ୟ ଶିକ୍ଷା ବିଭାଗକୁ ନୋଟିସ ବି ହୋଇଛି । ରାଜ୍ୟ ଶିକ୍ଷା ବିଭାଗ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଅରୁଣଙ୍କ ବଦଳିର ଷ୍ଟାଟସ ରିପୋର୍ଟ ବି ମାଗିଛନ୍ତି । କିନ୍ତୁ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜିଯାଏ ପଡିରହିଛି ଫାଇଲ । ଅବଶ୍ୟ ଅତିରିକ୍ତ ଜିଲ୍ଳାପାଳ, ଦାବୀପତ୍ର ନେଇଛନ୍ତି, କିନ୍ତୁ ଦିବ୍ୟାଙ୍ଗଙ୍କ ପ୍ରତି ଦରଦ ଦେଖାଇ ପ୍ରତିକ୍ରୀୟାଟିଏ ବି ଦେଇନାହାଁନ୍ତି ।
ଏବେ ଆସନ୍ତୁ ନଜର ପକାଇବା ଦିବ୍ୟାଙ୍ଗଙ୍କ ପାଇଁ କଣ ରହିଛି ନିୟମ । ୬ ବର୍ଷ ଚାକିରୀ ପୂରଣ କରିବା ପରେ ନିଜ ଘର ପାଖରେ ଥିବା ସ୍କୁଲକୁ ବଦଳି ପାଇଁ ଅବେଦନ କରିପାରିବେ । ଆବେଦନ କଲେ, ମେଡିକାଲ ବୋର୍ଡ ସେମାନଙ୍କର ଆବଦନକୁ ଯାଂଚ କରିଥାଏ । ମେଡିକାଲ ବୋର୍ଡ ସ୍ବୀକୃତି ଦେଲା ପରେ, ତୁରନ୍ତ ଶିକ୍ଷା ବିଭାଗର ଜିଲ୍ଳା ସ୍ତରୀୟ ବଦଳି କମିଟୀ ନିଷ୍ପତ୍ତି ନେବା ଉଚିତ । ବଲାଙ୍ଗିର ଜିଲ୍ଳାରେ ଆବେଦନ କରିଥିବା ଦିବ୍ୟାଙ୍ଗ ଶିକ୍ଷକଙ୍କ ଭିତରୁ ବଦଳି ପାଇଁ ଚୟନ ହୋଇଛନ୍ତି ଦଶଜଣ । ମେ ୧୩ ତାରିଖ, ୨୦୨୪ ମସିହାରୁ ଜିଲ୍ଳା ଶିକ୍ଷା ବିଭାଗକୁ ତାଲିକା ଦେଇ ସାରିଛି ଜିଲ୍ଳା ମେଡିକାଲ ବୋର୍ଡ । କିନ୍ତୁ ତତକାଳୀନ ଜିଳ୍ଳା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅହଂକାର ଓ ଆନ୍ତରିକତାର ଅଭାବ ଯୋଗୁଁ, କୌଣସି ନିଷ୍ପତ୍ତି ନେଇନାହାନ୍ତି । ଏପରିକି ଭିନ୍ନକ୍ଷମ କମିଶନର ଓ ରାଜ୍ୟ ଶିକ୍ଷା ବିଭାଗର ନିର୍ଦେଶକୁ ବି ଖାତିର କରିନଥିଲେ ଶ୍ରୀ ବେହେରା । ସୁତରାଂ ଗତ ଜାନୁୟାରୀ ୩ ତାରିଖ, ଜିଲ୍ଳା ଶିକ୍ଷା ବିଭାଗକୁ ବଦଳି ପାଇଁ ଆଉ ଏକ ଚିଠି ଆସିଛି । ହେଲେ ଆଜିଯାଏ ବି ବସିନି ଜିଲ୍ଳା ବଦଳି କମିଟୀ । ନୂଆକରି ଯୋଗଦେଇଥିବା ଡି.ଇ.ଓ କହିଛନ୍ତି, ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି ।
- Reported by:
- MANARANJAN JOSHI