• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ୟୁନାଇଟେଡ୍ ଆରବ ଏମିରେଟ୍ସରେ ଆୟୋଜିତ ଏସିଆ କପ୍ ୨୦୨୨ରେ ମୁକୁଟର ଦାବିଦାର ଭାବେ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ନିଜ ପ୍ରଥମ ମ୍ୟାଚ୍‌ରେ ବେଶ୍ ରୋମାଞ୍ଚକ ଢଙ୍ଗରେ ପାକିସ୍ତାନକୁ ହରାଇଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ବିପୁଳ ବିଜୟ ସହ ଅଭିଯାନ ଶେଷ କରିଥିଲା। ତେବେ ଟିମ୍‌ର ପ୍ରଥମ ଓ ଅନ୍ତିମ ମ୍ୟାଚ୍ ମଝିରେ ହିଁ ରହିଥିଲା ପ୍ରକୃତ କାହାଣୀ - ଅପ୍ରତ୍ୟାଶିତ ବିପର୍ଯ୍ୟୟ ଓ ବିଡ଼ମ୍ବନା।

ଏହି କଠୋର ବାସ୍ତବତା ଟିମ୍‌କୁ ପୁଣି ଥରେ ସେହି ଦୁଃସ୍ଥିତି ପାଖରେ ପହଞ୍ଚାଇ ଦେଇଛି, ଯାହା ଗତ ବର୍ଷର ଟି-୨୦ ବିଶ୍ୱକପ୍ ସମୟରେ ଦେଖିବାକୁ ମିଳିଥିଲା। ସେଥିରେ ଟିମ୍ ଇଣ୍ଡିଆ ସେମିଫାଇନାଲ୍‌କୁ ଯାଇପାରି ନ ଥିଲା। ପାକିସ୍ତାନ ପ୍ରଥମ ଅନ୍ତରାୟ ଥିଲା, ଯାହାକୁ ବିରାଟ କୋହଲିଙ୍କ ଟିମ୍ ଅତିକ୍ରମ କରିପାରି ନ ଥିଲା। ସେତେବେଳେ ବି ଟିମ୍‌କୁ ମୁକୁଟର ଦାବିଦାରଙ୍କ ମଧ୍ୟରେ ପରିଗଣନା କରାଯାଉଥିଲା।

ଏହାର ପ୍ରାୟ ୧୧ ମାସ ପରେ ପ୍ରାୟତଃ ସମଦଶା ଭୋଗିଛି ଭାରତୀୟ ଟିମ୍। ଅନେକ ପୂର୍ବତନ କ୍ରିକେଟର୍ ଏସିଆ କପ୍‌ରେ ଭାରତର ପ୍ରଦର୍ଶନକୁ ନେଇ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହାର ବିପରୀତ ଫଳ ଦେଖିବାକୁ ମିଳିଲା। ଟିମ୍ ଇଣ୍ଡିଆ ଅନ୍ତତଃ ଫାଇନାଲ୍‌କୁ ଯିବ ବୋଲି ଆଶା ଥିଲା; କିନ୍ତୁ ସୁପର୍-୪ ପର୍ଯ୍ୟାୟରେ ପାକିସ୍ତାନ ଓ ଏହାପରେ ଶ୍ରୀଲଙ୍କା ଠାରୁ ପରାଜିତ ରୋହିତ ଶର୍ମାଙ୍କ ଟିମ୍ ପ୍ରତିଯୋଗିତାରୁ ଆପାତତଃ ବିଦାୟ ନେବା ସ୍ଥିତିରେ ପହଞ୍ଚିଥିଲା।

କ୍ରିକେଟ୍‌ପ୍ରେମୀ ହୁଅନ୍ତୁ ବା ପୂର୍ବତନ କ୍ରିକେଟର୍ ଅଥବା ସମାଲୋଚକ କେହି ଏହାକୁ ହଜମ କରିପାରି ନାହାନ୍ତି। ଏତେ ଅନିଶ୍ଚିତତା କେମିତି ବା ଗ୍ରହଣ କରିହେବ?

ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ଟିମ୍ ପ୍ରମୁଖ ପେସର୍‌ଙ୍କ ବିନା ଖେଳୁଥିବା ପାକିସ୍ତାନକୁ ହରାଇଥିଲା। ସୁପର୍-୪ରେ କେମିତି ହାରିଗଲା? ତା’ଛଡ଼ା ବର୍ତ୍ତମାନର ଶ୍ରୀଲଙ୍କା ଟିମ୍ ସାମର୍ଥ୍ୟ ଦୃଷ୍ଟିରୁ ଭାରତୀୟ ଟିମ୍‌ର ସମକକ୍ଷ ନୁହେଁ, ଭାରତ ଭଳି ତା’ ପାଖରେ ଏତେ ପ୍ରତିଭାଶାଳୀ ଯୁବ ଖେଳାଳି ନାହାନ୍ତି; ଅଥଚ ଶ୍ରୀଲଙ୍କା ଜିତିଥିଲା।

ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚ୍ ଗୁରୁତ୍ୱହୀନ ଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ୧୦୧ ରନ୍‌ର ବୃହତ୍ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା। ଏଥିରେ ଭୁବନେଶ୍ୱର କୁମାର ମାତ୍ର ୪ ରନ୍ ଦେଇ ୫ ଓ୍ୱିକେଟ୍ ନେଇଥିବା ବେଳେ ବିରାଟ କୋହଲି ୧୦୨୦ ଦିନ ପରେ ଆନ୍ତର୍ଜାତିକ ଶତକ ହାସଲ କରିଥିଲେ। ଭୁବନେଶ୍ୱରଙ୍କ ଫର୍ମକୁ ପ୍ରତ୍ୟାବର୍ତ୍ତନ ଓ କୋହଲିଙ୍କ ବହୁ ପ୍ରତୀକ୍ଷିତ ଶତକ ଟିମ୍ ପାଇଁ ଭଲ ସଙ୍କେତ; ହେଲେ ଏସବୁ କୃତିତ୍ୱ ଅର୍ଜନ କଲାବେଳକୁ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇସାରିଥିଲା।

ଭାରତୀୟ ଟିମ୍‌ର ଏସିଆ କପ୍ ବିଫଳତା ପରେ ଏହାର କାରଣକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ଏହା ପଛରେ ମୋଟାମୋଟି ଭାବେ ତିନିଟି କାରଣ ହିଁ ରହିଛି।

ପ୍ରଥମ କାରଣ: ଖେଳାଳିଙ୍କୁ ନେଇ ଅତ୍ୟଧିକ ପ୍ରୟୋଗ

ଖେଳାଳିଙ୍କୁ ନେଇ ଅତ୍ୟଧିକ ପ୍ରୟୋଗ ଏକ ଅସ୍ଥିର ଟିମ୍ ସଂଯୋଜନା ସୃଷ୍ଟି କଲା। ଏହାକୁ ‘ପ୍ରୟୋଗାତ୍ମକ ବିଫଳତା’ କୁହାଯାଉଛି। ଏହା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଦ୍ରାବିଡ ଓ ରୋହିତ ଶର୍ମା ଟିମ୍‌ର ଦାୟିତ୍ୱ ନେବା ପର ଠାରୁ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ମୁକୁଟ ମରୁଡ଼ିର ପରିସମାପ୍ତି ଘଟାଇବା ଉପରେ ମୁଖ୍ୟତଃ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏଥିପାଇଁ ସମୟର ଆବଶ୍ୟକତା ଦୃଷ୍ଟିରୁ ଯୁକ୍ତିସଙ୍ଗତ ଭାବେ ପ୍ରୟୋଗ କରାଯାଇଛି। ଏହି ସମୟ ମଧ୍ୟରେ ଏକ ସଠିକ୍‌ ସଂଯୋଜନା ପ୍ରସ୍ତୁତ ପାଇଁ ବିଭିନ୍ନ ଖେଳାଳି ଓ ଅଧିନାୟକ ପରୀକ୍ଷାନିରୀକ୍ଷାରେ ଉପନୀତ ହୋଇଛନ୍ତି।

ପୂର୍ବ ଟି-୨୦ ବିଶ୍ୱକପ୍ ପରେ ଏସିଆ କପ୍ ସୀମିତ ଓଭର୍‌ରେ ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ବଡ଼ ପରୀକ୍ଷା ଥିଲା, କାରଣ ଏହି ସମୟ ମଧ୍ୟରେ ଟିମ୍ କେବଳ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳି ଆସୁଥିଲା; କିନ୍ତୁ ଏଥିରେ ଟିମ୍ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଟି-୨୦ ବିଶ୍ୱକପ୍ ୨୦୨୧ର ଏତେ ଦିନ ପରେ ବି ଯଦି ଅବସ୍ଥା ସେମିତି ରହିଛି, ତା’ହେଲେ ସୁଧାର ହେବ କେବେ?

ଅତ୍ୟଧିକ ପ୍ରୟୋଗ ଟିମ୍ ପାଇଁ ବିପରୀତ ଫଳ ଦେଇଛି। ସେବେଠାରୁ ଏ ଯାବତ ଭାରତ ଏହି ଫର୍ମାଟ୍‌ରେ ୨୮ ଜଣ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିଛି। ଅନ୍ୟ ଏସୀୟ ରାଷ୍ଟ୍ର ତୁଳନାରେ ଏହି ସଂଖ୍ୟା ଅଧିକ। କିନ୍ତୁ ଅଧିକାଂଶ ଖେଳାଳି ଚୂଡ଼ାନ୍ତ ଏକାଦଶରେ ନିଜକୁ ସ୍ଥାପିତ କରିପାରି ନାହାନ୍ତି।

ଭାରତୀୟ ଟିମ୍‌ରେ ଗତ ଏକ ବର୍ଷ ମଧ୍ୟରେ ଆଠ ଜଣ ଖେଳାଳିଙ୍କୁ ନେତୃତ୍ୱ ଦାୟିତ୍ୱ ଦିଆଯାଇଥିଲା। ଏହି ପଦକ୍ଷେପ ଭବିଷ୍ୟତର ଅଧିନାୟକଙ୍କୁ ପ୍ରସ୍ତୁତ କରିବା ଦୃଷ୍ଟିରୁ ଠିକ୍‌ ହୋଇପାରେ; ହେଲେ ଜଣେ ନେତାଙ୍କ ନେତୃତ୍ୱରେ ଶ୍ରେଷ୍ଠ ଟିମ୍ ଗଢ଼ିବା ପାଇଁ ଠିକ୍‌ ସାବ୍ୟସ୍ତ ହୋଇ ନ ଥିଲା। ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାବନ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଏଥିରେ ଅନ୍ତର୍ଭୁକ୍ତ ଥିଲେ।

ଦ୍ୱିତୀୟ କାରଣ : ଦ୍ୱନ୍ଦ୍ୱାତ୍ମକ ଟିମ୍ ଚୟନ

ଏସିଆ କପ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ୍‌ରେ କେବଳ ତିନି ଜଣ ବିଶେଷଜ୍ଞ ପେସ୍ ବୋଲରଙ୍କୁ ରଖାଯାଇଥିଲା। ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରୂପରେ ଚତୁର୍ଥ ମିଡିୟମ୍ ପେସର୍ ଉପଲବ୍ଧ ଥିଲେ।

ଯେତେବେଳ ଯାଏଁ ଆଭେଶ ଖାଁ ସୁସ୍ଥ ଥିଲେ, ସବୁକିଛି ଠିକ୍ ଥିଲା। କିନ୍ତୁ ଯେମିତି ସେ ଅସୁସ୍ଥ ହୋଇଥିଲେ, ଟିମ୍‌ର ସନ୍ତୁଳନ ବିଗିଡ଼ି ଯାଇଥିଲା। ଟିମ୍‌ରେ କେବଳ ଦୁଇ ଜଣ ବିଶେଷଜ୍ଞ ପେସର୍ ରହିଯାଇଥିଲେ, ହାର୍ଦ୍ଦିକଙ୍କୁ ତୃତୀୟ ପେସର୍ କରାଯାଇଥିଲା ଏବଂ ଜଣେ ଅତିରିକ୍ତ ସ୍ପିନରଙ୍କୁ ଖେଳାଯାଇଥିଲା। ହାର୍ଦ୍ଦିକ ଟିମ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇଥିବା ସତ୍ତ୍ୱେ ତାଙ୍କୁ ଜଣେ ବିଶେଷଜ୍ଞ ପେସର୍ ଭାବେ ବ୍ୟବହାର କରିବା ବିପଦପୂର୍ଣ୍ଣ ପସନ୍ଦ ଥିଲା।

ଏହା ବୁଝିବା କଷ୍ଟକର ଯେ ଆଭେଶ ଜ୍ୱରରେ ପୀଡ଼ିତ ହୋଇଥିବା ଜାଣିବା ପରେ ତୁରନ୍ତ ଦୀପକ ଚାହରଙ୍କୁ କାହିଁକି ଟିମ୍‌ରେ ନିଆଗଲା ନାହିଁ। ସୁପର୍-୪ ପର୍ଯ୍ୟାୟ ସମୟରେ ତାଙ୍କ ସ୍ଥାନରେ ଚାହରଙ୍କୁ ନିଆଯାଇଥିଲା; ହେଲେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସୁଯୋଗ ମିଳି ନ ଥିଲା। ୧୫ ଜଣିଆ ଟିମ୍‌ରେ କେବଳ ତିନି ଜଣ ବିଶେଷଜ୍ଞ ପେସର୍‌ଙ୍କୁ ନେଇ ୟୁଏଇ ଯିବା କେତେଦୂର ଯଥାର୍ଥ ଥିଲା, ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯାଇଥିଲା।

ଏଭଳି ଦ୍ୱନ୍ଦ୍ୱାତ୍ମକ ଟିମ୍ ଚୟନକୁ ନେଇ କେତେକ ପ୍ରଶ୍ନ ଉଠିଛି। ପ୍ରତିଭାଶାଳୀ ଦୀପକ ହୁଡ଼ାଙ୍କୁ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ସୁପର୍-୪ ମ୍ୟାଚ୍‌ରେ ସାତ ନମ୍ବରରେ ବ୍ୟାଟିଂ ପାଇଁ ପଠାଯାଇଥିଲା ଏବଂ ସେ ମାତ୍ର ଦୁଇ ଓଭର୍ ବୋଲିଂ କରିଥିଲେ; କିନ୍ତୁ ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କୁ ସମସ୍ତ ସଫଳତା ଶୀର୍ଷକ୍ରମ ବ୍ୟାଟର୍ ଭାବେ ହିଁ ମିଳିପାରିଛି। ଯଦି ହୁଡ଼ାଙ୍କୁ କେବଳ ଜଣେ ଶୁଦ୍ଧ ଫିନିଶର୍ (ବୋଲିଂ ବିକଳ୍ପ ଭାବେ ନୁହେଁ) ଭାବେ ନେବାର ଥିଲା, ତା’ହେଲେ ଦିନେଶ କାର୍ତ୍ତିକଙ୍କୁ କାହିଁକି ନିଆଗଲା ନାହିଁ, ଯିଏକି ଏହି ଭୂମିକାରେ ଜଣେ ବିଶେଷଜ୍ଞ।

ଓ୍ୱିକେଟ୍‌କିପର୍-ବ୍ୟାଟର୍ ଭାବେ କାର୍ତ୍ତିକଙ୍କ ଅପେକ୍ଷା ରିଷଭ ପନ୍ତଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। ପନ୍ତ ବିଫଳ ହୋଇଥିଲେ। ଯଦି ବାମହାତି ବ୍ୟାଟର୍ ହୋଇଥିବାରୁ ପନ୍ତ ଏହି ସୁଯୋଗ ପାଇଥିଲେ, ତା’ହେଲେ ଈଶାନ କିଶନ ବି ଏସିଆ କପ୍ ଟିମ୍‌ରେ ରହିପାରିଥା’ନ୍ତେ।

ଶେଷ ମ୍ୟାଚ୍‌କୁ ଛାଡ଼ି ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଉପ-ଅଧିନାୟକ ତଥା ଓପନର୍ ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଆଶାଜନକ ନ ଥିଲା। ପୂର୍ବ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍ ନିଜ ଭୁଲ୍‌ଗୁଡ଼ିକରୁ ଶିକ୍ଷାଲାଭ କରି ନ ଥିଲା ଏବଂ ଏସିଆ କପ୍‌ରେ ବି ସମାନ ଶୀର୍ଷକ୍ରମ ନେଇ ଖେଳିଥଲା।

ତୃତୀୟ କାରଣ: ଦୁର୍ବଳ ପେସ୍ ଆକ୍ରମଣ

ଦୁବାଇର ଡେଡ୍ ପିଚ୍‌ରେ ଏଭଳି ପେସ୍ ବୋଲର୍ ଆବଶ୍ୟକ ଥିଲେ, ଯେଉଁମାନଙ୍କ ପାଖରେ ୧୪୦+ ବେଗ ଥିବ। ପାକିସ୍ତାନ ଓ ଶ୍ରୀଲଙ୍କା ପାଖରେ ଏଭଳି ଅନେକ ବୋଲର୍‌ ଥିଲେ, ଯେଉଁମାନେ ଏହି ବେଗରେ ବୋଲିଂ କରୁଥିଲେ।

ଭାରତୀୟ ଟିମ୍‌ର ଅଧିକାଂଶ ପେସର୍ ଘଣ୍ଟା ପ୍ରତି ୧୨୦-୧୩୦ କିଲୋମିଟର ବେଗରେ ବୋଲିଂ କରିଥିଲେ। ଏଥିପାଇଁ ସେମାନଙ୍କ ବୋଲିଂ ବେଶୀ ପ୍ରଭାବଶାଳୀ ନ ଥିଲା ଏବଂ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଛାଡ଼ିଦେଲେ ସେମାନେ ନିୟମିତ ବ୍ୟବଧାନରେ ବ୍ରେକ୍-ଥ୍ରୁ ଦେବାରେ ବିଫଳ ହୋଇଥିଲେ। ଅବଶ୍ୟ ଆଫଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚ୍‌ରେ ଭୁବନେଶ୍ୱର ବହୁତ ପ୍ରଭାବଶାଳୀ ବୋଲିଂ କରିଥିଲେ। କିନ୍ତୁ ଅନ୍ୟ ମ୍ୟାଚ୍‌ରେ ତାଙ୍କ ବୋଲିଂ ଆଶାଜନକ ନ ଥିଲା।

ଆଘାତଜନିତ କାରଣରୁ ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍‌ରା ଓ ହର୍ଷଲ ପଟେଲ୍ ଟିମ୍‌ରେ ନ ଥିଲେ, ଅଭିଜ୍ଞ ମହମ୍ମଦ ଶାମୀଙ୍କୁ ଅଣଦେଖା କରାଯାଇଥିଲା। ଆଭେଶ ଅସୁସ୍ଥତା ଯୋଗୁଁ ଟୁର୍ଣ୍ଣାମେଣ୍ଟ୍‌ ଅଧାରୁ ବାଦ୍ ପଡ଼ିଥିଲେ। ଦୀପକ ଚାହରଙ୍କୁ ଟିମ୍‌ରେ ନିଆଯିବାରେ ବିଳମ୍ବ କରାଗଲା। ଏପରିସ୍ଥଳେ ପେସ୍ ବାହିନୀ ଦୁର୍ବଳ ହୋଇଯାଇଥିଲା।

ଟିମ୍‌ରେ ଅଧିକ ସ୍ପଷ୍ଟତା ଜରୁରୀ:

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଏସିଆ କପ୍ ପ୍ରସ୍ତୁତି ସଦୃଶ ଥିଲା; କିନ୍ତୁ ମନେ ହେଉଥିଲା ଯେମିତି ଟିମ୍ ଇଣ୍ଡିଆ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। ଏବେ ଭୟ ଘାରିଲାଣି, ଟି-୨୦ ମହାକୁମ୍ଭରେ ଏସିଆ କପ୍‌ର ଦଶା ଭୋଗିବନି ତ ରୋହିତ ସେନା?

ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ ପାଖରେ ବେଶୀ ସମୟ ନାହିଁ। ବିଶ୍ୱକପ୍ ପୂର୍ବରୁ ସ୍ଥିତି ସୁଧାରିବା ପାଇଁ ହାତରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ରହିଛି। ଅଭ୍ୟାସ ଦୃଷ୍ଟିରୁ ଏହି ଦୁଇ ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ।

ଏବେ ଟିମ୍ ଚୟନ ବେଳେ ଚୟନକାରୀମାନଙ୍କୁ ଅଧିକ ମାନସମନ୍ଥନ କରିବାକୁ ହେବ। କେତେକ ପ୍ରସଙ୍ଗରେ ସ୍ପଷ୍ଟତା ଆଣିବାକୁ ହେବ। ସେମାନଙ୍କୁ ଟିମ୍‌ରେ ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ଭୂମିକା ସ୍ପଷ୍ଟ କରିବା ସହ ମଜଭୁତ ଶୀର୍ଷକ୍ରମ ଚୟନ କରିବାକୁ ହେବ। ସଶକ୍ତ ପେସ୍ ବାହିନୀ ବାଛିବାକୁ ହେବ। ଏବେ ଯଶପ୍ରୀତ ବୁମ୍‌ରା  ଓ ହର୍ଷଲ ପଟେଲ୍‌ଙ୍କ ଭଳି ବୋଲର୍ ଫିଟ୍ ହୋଇ ଟିମ୍‌କୁ ଫେରିବା ଜରୁରୀ ହୋଇଯାଇଛି। ଅନ୍ୟପଟେ, ମହମ୍ମଦ ଶାମିଙ୍କ ଭଳି ଅଭିଜ୍ଞ ବୋଲର୍‌ଙ୍କୁ ଅଣଦେଖା କରିବା ଠିକ୍ ନୁହେଁ।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)