ଜୀବନ କାହା ପାଇଁ ବା ମୂଲ୍ୟବାନ ନୁହେଁ। ହେଲେ ବର୍ତ୍ତମାନର ଜୀବନରେ ସମସ୍ତେ ସମୟ ସାଙ୍ଗରେ ବିଜୁଳି ବେଗରେ ଗତି କରୁଛନ୍ତି। ଆଉ ଏହି ଗତିର ମାତ୍ରା କେବେ କେବେ ଏତେ ବଢିଯାଏ ଯେ ନିମିଷକେ ଘଟିଯାଏ ଦୁର୍ଘଟଣା। ଆଉ ଦୁର୍ଘଟଣାରେ ଚାଲିଯାଏ ଶହ ଶହ ନିରୀହ ଜୀବନ। ଏଚଆଇ ରାସ୍ତା ଦୁର୍ଘଟଣାର ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ମୋଟ୍ ୩ ଲକ୍ଷ ୬୬ ହଜାର ୧୩୮ ସଡକ ଦୁର୍ଘଟଣା ହୋଇଥିଲା। ୨୦୧୯ ମସିହାରେ ଏହା ଥିଲା ୪ ଲକ୍ଷ ୪୯ ହଜାର । ଯଦିବା ୨୦୧୯ ଅପେକ୍ଷା ୨୦୨୦ ମସିହାରେ ଦୁର୍ଘଟଣାର ହାର କମିଛି, ହେଲେ ଏହା ଆଖିଦୃଶିଆ ନୁହେଁ।
ସେହିପରି ଏହି ରିପୋର୍ଟ ଅନୁଯାୟୀ ସଡକ ଦୁର୍ଘଟଣାରେ ୨୦୨୦ ମସିହାରେ ସାରା ଦେଶରେ ଜୀବନ ଯାଇଛି ୧ ଲକ୍ଷ ୩୧ ହଜାର ୭୧୪। ରାଜ୍ୟ ରାଜପଥରେ ୩୩ ହଜାର ୧୪୮, ଜାତୀୟ ରାଜପଥରେ ୪୭ ହଜାର ୯୮୪ ଏବଂ ଅନ୍ୟାନ୍ୟ ସଡକରେ ୫୦ ହଜାର ୫୮୨ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି। ଥରେ ଭାବନ୍ତୁ ଗୋଟିଏ ବର୍ଷରେ କେତେ ଜୀବନ ନେଉଛି ସଡକ ଦୁର୍ଘଟଣା। ଯାନବାହାନ ଶୃଙ୍ଖଳିତ ଭାବେ ଚଲାଇବା ପାଇଁ ରହିଛି ଟ୍ରାଫିକ ନିୟମ। ଏଥିପାଇଁ କେତେ ଯେ ନିୟମ ସୃଷ୍ଟି ହେଉଛି। କେତେ ଯେ ଯୋଜନାର ରୂପାନ୍ତରଣ ହେଉଛି। ହେଲେ ଆଶ୍ଚର୍ଯ୍ୟର କଥା ଏ ସବୁ ପରେ ବି କାହିଁକି ଥମୁନି ସଡକ ଦୁର୍ଘଟଣା।
ଯଦି କାରଣ ଖୋଜିବା ତେବେ ଏହାର ନାନାଦି କାରଣ ହୋଇପାରେ। ପ୍ରଥମରେ ଆମ ସମସ୍ତଙ୍କ ବ୍ୟସ୍ତ ବହୁଳ ଜୀବନ। କିଏ ସକାଳୁ ଛୁଆ ଛାଡିବା ପାଇଁ ବ୍ୟସ୍ତ ହୋଇଯାଆନ୍ତି, କାହାକୁ ଅଫିସ ଯିବାକୁ ଥାଏ, କାହାକୁ କିଣାବିକା ତ କେଉଁଠି ଅଳିଆ ଗାଡି ଆବର୍ଜନା ଉଠାଇବାକୁ ଭିଡ କରିଥାଏ। ଏସବୁ ଭିତରେ ଠିକ୍ ସମୟରେ ଆମେ ନିଜ ନିଜ ଲକ୍ଷ୍ୟସ୍ଥଳେ ପହଂଚିବାକୁ କ୍ଷୀପ୍ର ଗତିରେ ଧାଇଁଥାଉ। ଏହି ସମୟରେ ବେଳେ ବେଳେ ଆମ ଗାଡିର ବେଗ ଏତେ ଥାଏ ଯେ, ଆମେ ସଚେତନ ହୋଇ ବି ଭୁଲ କରିବସୁ। ଆଉ କେତେବେଳେ ଟ୍ରାଫିକ ନିୟମ ଉଲ୍ଲଂଘନ ତ ଆଉ କେତେବେଳେ ଜୀବନକୁ ପାଣି ଛଡାଇ ତୀବ୍ର ଗତିରେ ଗାଡି ଚଲାଇ ଯାଇଥାଉ। ଯାହାର ପରିଣାମସ୍ୱରୂପ ଆମ ଗାଡି କାହାକୁ ଧକ୍କା ଦିଏ ତ କେତେବେଳେ ଆମେ ଧୀର ବେଗରେ ଯାଇ ବି ଆଉ କୌଣସି ଭାଇ କି ଭଉଣୀଙ୍କ କ୍ଷୀପ୍ର ଗତିରେ ଗାଡି ଚଲାଇବାର ଶିକାର ହୋଇଥାଉ। ଏଣୁ କେଉଁଠି ନା କେଉଁଠି ଆମ ବ୍ୟସ୍ତ ବହୁଳ ଜୀବନ ସଡକ ଦୁର୍ଘଟଣା ପାଇଁ ନିହାତି ଦାୟୀ।
ଆମ ଦେଶରେ ଖରାପ ରାସ୍ତା ଯୋଗୁଁ ଜାତୀୟ ରାଜପଥରେ ୩୧.୮ ପ୍ରତିଶତ, ରାଜ୍ୟ ରାଜପଥରେ ୨୪.୮ ଏବଂ ଅନ୍ୟାନ୍ୟ ରାସ୍ତାରେ ୪୩.୪ ପ୍ରତିଶତ ଦୁର୍ଘଟଣା ଘଟିଛି। ଏଥି ମଧ୍ୟରେ ଜାତୀୟ ରାଜପଥରେ ୩୬.୪ ପ୍ରତିଶତ, ରାଜ୍ୟ ରାଜପଥରେ ୨୫.୨ ଏବଂ ଅନ୍ୟାନ୍ୟ ଦୁର୍ଘଟଣାରେ ୩୮.୪ ପ୍ରତିଶତ ଲୋକଙ୍କ ଜୀବନ ଯାଇଛି। ଏଣୁ ଥରେ ଭାବନ୍ତୁ ଏ ଦୁର୍ଘଟଣାର ଭୟାବହତା କେତେ ! ଏହାପରେ ଯଦି ଦେଖିବା ବେପରୁଆ ଗାଡି ଚାଳନା, କୌଣସି ନିୟମକୁ ଖାତିର ନ କରି ଜାତୀୟ ରାଜପଥ ଉପରେ ତୀବ୍ର ଗତିରେ ଗାଡି ଚଳାଇବା ହେଉ କି ନିଶାସେବନ କରି ଗାଡି ଚାଳନା, ଏସବୁ ଅବସ୍ଥାରେ ଗାଡି ଚାଳନା ଆମ ପାଇଁ ଏବଂ ଆମ ସହିତ ଯାଉଥିବା କେତେ ଯେ, ଲୋକଙ୍କ ପାଇଁ ବିପଜ୍ଜନକ ତାହା କହିବା ମୁସ୍କିଲ୍।
ସେହିପରି କେଉଁ ମାର୍ଗରେ କେଉଁ ଗାଡି ଯିବ, ଏହାର ନିୟମ କେହି ବି ମାନୁ ନାହାଁନ୍ତି। ଏମିତିକି ଗଳି କନ୍ଦି ରାସ୍ତାରେ ଭାରିଯାନ ନେବା ଆଦୌ ଗ୍ରହଣୀୟ ନୁହେଁ କାରଣ ଏହି ରାସ୍ତାରେ ଛୁଆଠୁ ଆରମ୍ଭ କରି ବୃଦ୍ଧ ଲୋକ ବି ଯାତାୟତ କରନ୍ତି। ହେଲେ କିଛି ଅମାନିଆ ଗାଡି ଚାଳକ ଏହାକୁ ବେଖାତିର କରିବା ଫଳରେ ଅନେକ ଲୋକ ମୃତ୍ୟୁ ମୁଖକୁ ଠେଲି ହୋଇ ଯାଉଛନ୍ତି। ସେହିପରି ଜାତୀୟ ରାଜପଥରେ ଷ୍ଟ୍ରିଟ ଲାଇଟର ଅଭାବ, ହମ୍ସ, ବୁଲାଣି ପୂର୍ବରୁ ସିଗନାଲ ଅଭାବ, ଏସବୁ ସମସ୍ୟା ବି ସଡକ ଦୁର୍ଘଟଣାର ଏକ ମୁଖ୍ୟ କାରଣ ସାଜିଛି। ଖାଲି ସେତିକି ନୁହେଁ ବର୍ଷ ବର୍ଷ ଧରି ସଡକ ଗୁଡିକ ମରାମତି ନ ହୋଇ ଅଧପନ୍ତରିଆ ହୋଇ ପଡିରହୁଛି।ଯାହାଫଳରେ ବି ଲୋକେ ହଇରାଣ ହେବା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ଖାଲଖମା ଏବଂ ଶୀତେ ଦିନେ କୁହୁଡି ଏସବୁ ବି କେଉଁଠି ନା କେଉଁଠି ସଡକ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଛି।
ଆମେ ଯେବେ ସଡକ ଦୁର୍ଘଟଣା କଥା ଉଠାଉ ସେତେବେଳେ ଆଣେ କେବଳ କେତେ ଜୀବନ ଗଲା ସେ ତଥ୍ୟ ନଜରକୁ ନେଇଥାଉ। ହେଲେ ଏ ସଡକ ଦୁର୍ଘଟଣାରେ କେତେ ଯେ ଗୋରୁ ଗାଈ ତଥା ପଶୁପକ୍ଷୀଙ୍କ ଜୀବନ ଯାଉଛି ତାର ସଠିକ୍ ତଥ୍ୟ କାହା ପାଖରେ ବି ନାହିଁ। ଏମିତିକି ଦିନ ଦିନ ଧରି ସେମାନଙ୍କ ଶବ ଉଠାଉବାକୁ କେହି ଆସୁନଥିବା ନଜିର ରହିଛି। ତେବେ ସର୍ବଶେଷରେ ମନେ ହୁଏ ଯେପରି ସଡକ ଦୁର୍ଘଟଣା ଆମ ଜୀବନରେ ଏକ ବୃହତ୍ କାଳ। କାରଣ କୌଣସି ମହାମାରୀ ଅଥବା ପ୍ରଳୟଙ୍କାରୀ ସମୟରେ ଆମେ କେବଳ ମହାମାରି ପ୍ରକୋପରେ ଲୋକଙ୍କ ଜୀବନ ଯିବାର ହିସାବ୍ ରଖୁଛେ। ହେଲେ ପ୍ରତିବର୍ଷ ସବୁଠୁ ଅଧିକ ଜୀବନ ଯାଉଛି ସଡକ ଦୁର୍ଘଟଣାରେ। ଏଣୁ ବେଳ ଥାଉଁ ଥାଉଁ ଆଗେ ସଜାଗ ରହିବା ଆବଶ୍ୟକ। କାରଣ ଦୁର୍ଘଟଣାଗ୍ରସ୍ତ ଗାଡିରେ କେତେବେଳ ବୃଦ୍ଧ, ରୋଗୀ, ଶିଶୁ ତ କେତେବେଶଳେ ପ୍ରସୂତି ବି ଯାତ୍ରା କରିଥାନ୍ତି। ସାମାନ୍ୟ ଭୁଲ କ୍ଷଣିକେ ନେଇ ଯାଏ କେତେ ଯେ ଜୀବନ ଯାହାର ପରିତାପର ମାପକ ଶୂନ୍ୟ।
(ଆଲେଖ୍ୟ: ସୁକନ୍ୟା ଜେନା)
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)