Advertisment

Pakistan Army Kashmir Conflict Strategy: ଆୟୁବ, ଜିୟା, ମୁଶରଫଙ୍କଠୁ ଅସୀମ ମୁନିର... କ୍ଷମତା ହାତେଇବାକୁ ‘କାଶ୍ମୀର’ ହୋଇଛି ହଟ୍ କେକ୍

ବର୍ତ୍ତମାନର ପାକ ସେନାମୁଖ୍ୟ ଅସୀମ ମୁନିର ହୁଅନ୍ତୁ ବା ପୂର୍ବତନ ଅନ୍ୟ ସେନାମୁଖ୍ୟ ସମସ୍ତେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ କାଶ୍ମୀରକୁ ମୁଖ୍ୟ ପ୍ରସଙ୍ଗ କରିଥାନ୍ତି । କାଶ୍ମୀର ଯେମିତି ଏମାନଙ୍କ ପାଇଁ ଏକ ହଟକେକ୍ । କାଶ୍ମୀର ପ୍ରସଙ୍ଗକୁ ନେଇ ଏମାନଙ୍କୁ ଏତେ କ୍ଷମତା ମିଳେ ଯେ ସେମାନେ ରାଜନୈତିକ ଶକ୍ତି ଉପରେ ବି ପ୍ରଭାବ ବିସ୍ତାର କରନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
କ୍ଷମତା ପାଇଁ କାଶ୍ମୀର ଥୋପ

କ୍ଷମତା ପାଇଁ କାଶ୍ମୀର ଥୋପ

ପହଲଗାମ ଆତଙ୍କୀ ଆକ୍ରମଣ ପରଠାରୁ ଭାରତରେ ପ୍ରତିଶୋଧ ବହ୍ନି ଜଳୁଛି । ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାରା ଦେଶରୁ ସମର୍ଥନ ମିଳୁଛି । ଏହା ଭିତରେ ପାକିସ୍ତାନ ଆରମ୍ଭରୁ ଖୁବ ହଲ୍ଲାବୋଲ କରୁଥିଲା ଯେ, ‘ଆମେ ବି ଭାରତକୁ କଡା ଜବାବ ଦେବୁ, ପରମାଣୁ ଅସ୍ତ୍ର ପ୍ରୟୋଗ କରିବୁ..ଏମିତି ଅନେକ କିଛି । ହେଲେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାପରେ ବିଳିବିଳଉଛି ପାକିସ୍ତାନ । ଶକ୍ତିଶାଳୀ ଦେଶମାନଙ୍କ ପାଖରେ ସାହାଯ୍ୟ ପାଇଁ ହାତ ପତଉଛି । ସବୁଠାରୁ ବଡ କଥା ହେଉଛି, ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ଫୁଟାଣିଆ ବୟାନବାଜି ଛାଡି ଏବେ ଗାଏବ ହୋଇ ଯାଇଛନ୍ତି । ପାକିସ୍ତାନ ମିଡିଆରେ ବି ମୁନିର ଅଣ୍ଡରଗ୍ରାଉଣ୍ଡ ହୋଇଯିବା କିମ୍ବା ଦେଶ ଛାଡି ପଳାଇଯାଇଥିବା ଅନୁମାନ କରାଯାଉଛି ।

Advertisment

ବର୍ତ୍ତମାନର ପାକ ସେନାମୁଖ୍ୟ ଅସୀମ ମୁନିର ହୁଅନ୍ତୁ ବା ପୂର୍ବତନ ଅନ୍ୟ ସେନାମୁଖ୍ୟ ସମସ୍ତେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ କାଶ୍ମୀରକୁ ମୁଖ୍ୟ ପ୍ରସଙ୍ଗ କରିଥାନ୍ତି । କାଶ୍ମୀର ଯେମିତି ଏମାନଙ୍କ ପାଇଁ ଏକ ହଟକେକ୍ । କାଶ୍ମୀର ପ୍ରସଙ୍ଗକୁ ନେଇ ଏମାନଙ୍କୁ ଏତେ କ୍ଷମତା ମିଳେ ଯେ ସେମାନେ ରାଜନୈତିକ ଶକ୍ତି ଉପରେ ବି ପ୍ରଭାବ ବିସ୍ତାର କରନ୍ତି ।

ଏମାନେ ‘କାଶ୍ମୀର’ ନାଁରେ ନିଜ ଲୋକଙ୍କୁ ବି ଭକୁଆ ବନେଇ ରଖିଥାନ୍ତି । ଯେତେବେଳେ ପାକିସ୍ତାନରେ ଲୋକ ଦରଦାମ ବୃଦ୍ଧି .ବେରୋଜଗାରୀକୁ ନେଇ ପ୍ରଶ୍ନ ଉଠାନ୍ତି ସେତେବେଳେ ସେନା ଏବଂ ସେନା ସମର୍ଥିତ ସରକାର ଜନତାଙ୍କ ଧ୍ୟାନ କାଶ୍ମୀର ଆଡକୁ ମୋଡି ଦିଅନ୍ତି । ସେମାନେ କହିବା ଆରମ୍ଭ କରି ଦିଅନ୍ତି, ପାକିସ୍ତାନର ବଡ ଶତ୍ରୁ ହେଉଛି ଭାରତ । କାଶ୍ମୀରକୁ ଭାରତଠାରୁ ଛଡେଇ ଆଣିଲେ  ଆମେ ଶାନ୍ତିରେ ନିଃଶ୍ୱାସ ମାରିବୁ । ଏହା ଶୁଣିବା ପରେ ଲୋକଙ୍କ ରାଗ ଭାରତ ଆଡକୁ ଚାଲିଯାଏ । ସେମାନେ ବି ସେନା ସହ ସ୍ୱର ମିଳାନ୍ତି । ସେନାର ହଁରେ ହଁ ମାରନ୍ତି । କାଶ୍ମୀରକୁ ବାହାନା କରି ଆର୍ମି ପାକ ସରକାରଙ୍କଠାରୁ ଅଧିକ ବଜେଟ, ବିଶେଷ ଅଧିକାର ହାତେଇବା ସହ ରାଜନୀତିରେ ହସ୍ତକ୍ଷେପ କରିବାର ସୁଯୋଗ ହାସଲ କରିନିଏ ।

Advertisment

ମୋଟ ଉପରେ କହିବାକୁ ଗଲେ ‘କାଶ୍ମୀର’ ପାକ ସେନା ପାଇଁ ଏକ ବାହାନା ହୋଇ ଯାଇଛି । କାଶ୍ମୀର ଥୋପ ପକାଇ ଆର୍ମି ନିଜକୁ  ଯଥେଷ୍ଟ ଶକ୍ତିଶାଳୀ କରିଥାଏ ଯାହାର ଉଦାହରଣ ଇତିହାସରେ ରହିଛି । କାଶ୍ମୀର ନାଁରେ ପାକିସ୍ତାନ ସେନା ନିଜକୁ ଏତେ ମଜବୁତ କରି ଦେଇଛି ଯେ ସରକାର ବି ଏଠି ସେନାକୁ ଡରେ । ଏବେ ପାକିସ୍ତାନରେ ସ୍ଥିତି ଏମିତି ହୋଇଛି, ଏଠାରେ ପ୍ରକୃତ ଶାସନ କ୍ଷମତା ସରକାରଙ୍କ ହାତରେ ନାହିଁ, ଅଛି ସେନା ପାଖରେ । ସେନା ହିଁ ଏଠାରେ ସରକାର ଗଢେ ଏବଂ ଭାଙ୍ଗେ ।

ଦେଶ ବିଭାଜନ ପରଠାରୁ କାଶ୍ମୀର ପାଲଟିଛି ସେନାର ମୁଖ୍ୟ ପ୍ରସଙ୍ଗ

ପଚାଶ ଦଶକର ଶେଷ ଭାଗରୁ କାଶ୍ମରକୁ ନେଇ ସେନା ତାର ଶକ୍ତି ପ୍ରଦର୍ଶନ କରି ଶାସନ କ୍ଷମତା ହାତକୁ ନେଇଛି । ସେତେବେଳେ ଫିରୋଜ ଖାନ ନୁନଙ୍କ ସରକାରକୁ ହଟାଇ ଜେନରାଲ ଆୟୁବ ଖାନ ଦେଶର ସାମରିକ ଶାସକ ହୋଇଥିଲେ । ପରେ ନିଜକୁ ପ୍ରେସିଡେଣ୍ଟ ଭାବେ ଘୋଷିତ କରିଦେଲେ । ଏହି ସମୟରେ ଦେଶର  ଅର୍ଥନୈତିକ ସ୍ଥିତି ନିମ୍ନଗାମୀ ହେବାକୁ ଲାଗିଲା । ହେଲେ ଲୋକଙ୍କ ଧ୍ୟାନ ଏହା ଉପରୁ ହଟାଇବା ପାଇଁ ଭାରତ ସହ ଯୁ୍ଦ୍ଧ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

୧୯୬୫ ଅଗଷ୍ଟ ମାସର କଥା । ଇସଲାମବାଦ ଅପରେଶନ ଜିବ୍ରାଲଟର ଆରମ୍ଭ କରିଥିଲା । ଏହି ସମୟରେ ଆୟୁବ ଖାନ କାଶ୍ମୀରକୁ ନିଜ ସୈନିକଙ୍କୁ ଗୁଇନ୍ଦା ଭାବେ ପଠାଇଥିଲେ । ଉଦ୍ଦେଶ୍ୟ ଥିଲା ସେଠାର ମୁସଲିମଙ୍କୁ ଭାରତ ବିରୋଧରେ ଉସକାଇବା । ଯଦିଓ କାଶ୍ମୀର ଜନତା ବିଦ୍ରୋହ କରି ନ ଥିଲେ ତେବେ  ଭାରତ ପାକ ଅନୁପ୍ରବେଶ କଥା ଜାଣି ପାରିଥିଲା  । ଏହା ପରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆୟୁବ ଖାନଙ୍କୁ ଅନୁସରଣ କଲେ ଜିଆ ଉଲ ହକ

ଜିଆ ଉଲ ହକଙ୍କ ସମୟରେ ବି ଘଟଣାର ପୁନରାବୃତ୍ତି ଘଟିଥିଲା । ଦେଶରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଥିଲେ । ହେଲେ ସେମାନଙ୍କ ଭୂମିକା ଥିଲା କାଠ କଣ୍ଢେଇ ପରି । ଅସଲ ନିଷ୍ପତ୍ତି ନେଉଥିଲେ ଜିଆ ଉଲ ହକ । ଜିଆ ଉଲ ହକ ବି କାଶ୍ମୀର ପ୍ରସଙ୍ଗକୁ ଖୁବ ଚାଲାକିର ସହ ଉଠାଇଥିଲେ । ସେ ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୋଧରେ ଲଢୁଥିବା ମୁଜାହିଦ୍ଦିନ ଯୋଦ୍ଧାଙ୍କୁ କାଶ୍ମୀରକୁ ପଠାଇଥିଲେ । ତା ପରେ ପରେ ହିଜବୁଲ ମୁଜାହିଦ୍ଦିନ ପରି ଆତଙ୍କୀ ସଂଗଠନ ମୁଣ୍ଡ ଟେକିଲା । ସେମାନେ ଦେଖିବାକୁ କାଶ୍ମୀରର, କିନ୍ତୁ ପ୍ରକୃତରେ ପାକିସ୍ତାନରୁ ସେମାନଙ୍କୁ ଅପରେଟ କରାଯାଉଥିଲା । ଲୋକଙ୍କ ଧ୍ୟାନ ଏକଛତ୍ରବାଦ, ସାମରିକ ଆଇନ ଏବଂ ଦୁର୍ବଳ ଅର୍ଥନୀତିରୁ  ହଟାଇବା ପାଇଁ ଜିଆ ଉଲ ହକ ଏପରି ପଦକ୍ଷପେ ଉଠାଇଥିଲେ  । ତାଙ୍କ ସମୟରେ ପାକିସ୍ତାନରେ ନ୍ୟୁକ୍ଲିୟର ଅସ୍ତ୍ର ରଖିବା ପାଇଁ କାମ ଆରମ୍ଭ ହେବାକୁ ଲାଗିଲା ।

ସେ ସମୟରେ ସୋଭିଏତ ସଂଘ ବିରୋଧରେ ଆଫଗାନିସ୍ତାନକୁ ବ୍ୟବହାର କରିବା ପାଇଁ ଆମେରିକା ପାକିସ୍ତାନର ସହଯୋଗ ଚାହୁଁଥିଲା । ତେଣୁ  ଆମେରିକା ମଧ୍ୟ ଜିଆ ଉଲଙ୍କୁ ସମର୍ଥନ କରିଥିଲା । ଏସବୁ ଭିତରେ ନିଜ ଦେଶର ସମସ୍ୟାକୁ ଢାଙ୍କିବା ପାଇଁ ଜିଆ ଉଲ ହକ କାଶ୍ମୀର ପ୍ରସଙ୍ଗକୁ ଜବରଦସ୍ତ ବ୍ୟବହାର କରିଥିଲେ ।

ଏମାନଙ୍କଠାରୁ ଦିପାଦ ଆଗରେ ଥିଲେ ଜେନରାଲ ପରଭେଜ ମୁଶରଫ

୧୯୯୯ରେ ପାକିସ୍ତାନ ଭାରତ ବିରୋଧରେ କାରଗିଲ ଯୁଦ୍ଧ କରିଥିଲା ।  ପାକିସ୍ତାନ ତା’ର ଆର୍ମି ଏବଂ ଆତଙ୍କୀଙ୍କୁ ଲୁଚି ଲୁଚି କାଶ୍ମୀରର କାରଗିଲ (ଏବର ଲଦାଖ)କୁ ପଠାଇଥିଲା । ସେମାନଙ୍କୁ କାଶ୍ମୀର ଫ୍ରିଡମ ଫାଇଟର ମାନ୍ୟତା ଦେଇଥିଲା । ଏମାନେ କହୁଥିଲେ ଯେ କାଶ୍ମୀରବାସୀ ଭାରତଠାରୁ ଅଲଗା ହେବାକୁ ଚାହାଁନ୍ତି । ହେଲେ ପ୍ରକୃତ କଥା ହେଲା ଏମାନେ ସବୁ ପାକିସ୍ତାନୀ ଆର୍ମିର ଲୋକ ଥିଲେ ଯେଉଁମାନେ କି ଏମିତି ବିଦ୍ରୋହ ପ୍ଲାଣ୍ଟ କରିଥିଲେ ।

ଏହା ପରେ ମୁଶରଫଙ୍କ ପ୍ରତିଛବି ଆହୁରି ମଜବୁତ ହୋଇ ଯାଇଥିଲା । ଅନ୍ୟପଟେ ମୁଶରଫ ଭାରତରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣ ଘଟଣାରେ ଆମେରିକା ସହ ଥିବା କହିଥିଲେ । ମୁଶରଫଙ୍କର ଏହି ଦୋମୁହାଁ ନୀତି ପାଇଁ ପାକିସ୍ତାନରେ ହେଉ କି ଆମେରିକାରେ, ସେନାର ଗୁରୁତ୍ୱ ସେତେବେଳେ ଖୁବ ବଢି ଯାଇଥିଲା ।

୨୦୦୭ରୁ ୧୩ କାଶ୍ମୀରକୁ ନେଇ ଖେଳିଲେ ପରଭେଜ କୟାନି

ପରଭେଜ କୟାନିଙ୍କ ସମୟରେ ପାକିସ୍ତାନୀ ଆର୍ମି କାଶ୍ମୀର ପ୍ରସଙ୍ଗକୁ ସେନା ବଜେଟ ଏବଂ କୂଟନୀତିକ ଚାପ ବିରୋଧରେ ଏକ ବଡ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ । ୨୦୦୮ରେ ମୁମ୍ବାଇ ଆଟାକ ପରେ ପାକିସ୍ତାନ ଲସ୍କର-ଏ-ତୋୟବାଙ୍କ ପରି ଆତଙ୍କୀ ସଂଗଠନର ନେତାଙ୍କୁ ଆଶ୍ରୟ ଦେଇଥିଲା । ଏଥିରେ ଥିଲା ହାଫିଜ ସଇଦ । ପାକିସ୍ତାନ ଏହି ଗୋଷ୍ଠୀଙ୍କୁ କାଶ୍ମୀରର ସ୍ୱାଧୀନତା ସଂଗ୍ରାମୀ ନାମ ଦେଇ ନିରନ୍ତର ସୁରକ୍ଷା ଯୋଗାଇ ଆସୁଥିଲା । ଏହା ସହିତ,  ଦେଶର ମୁଖ୍ୟ ବଜେଟ ସମୟରେ କାଶ୍ମୀରକୁ ଏମିତି ଏକ ପ୍ରସଙ୍ଗ କରି ରଖୁଥିଲା ସେନା, ଯଦ୍ୱାରା ବିପୁଳ ଆର୍ଥିକ ସହାୟତା ହାତେଇ ପାରୁଥିଲା ।

କାଶ୍ମୀର ନିଆଁରେ ଘିଅ ଢାଳିଥିଲେ ଜେନରାଲ ରହିଲ ସରିଫ

ଏହା ପରେ ପ୍ରାୟ ୪ ବର୍ଷ ଯାଏ ସାମରିକ ଶାସକ ଭାବେ କ୍ଷମତାରେ ରହିଲେ ଜେନରାଲ ରହିଲ ସରିଫ । କାଶ୍ମୀର ନିଆଁରେ ସେ ଢାଳିଥିଲେ ଘିଅ । ବିଶେଷ କରି ୨୦୧୬ରେ ଉରି ଆକ୍ରମଣ ପରେ ଭାରତ ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ପରେ କାଶ୍ମୀରକୁ ନେଇ ଅଧିକ ରାଜନୀତି ଆରମ୍ଭ କରି ଦେଇଥିଲେ  ।

ପ୍ରକୃତରେ, ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସରିଫ ଏକ ସୁଯୋଗ ଭାବରେ ବ୍ୟବହାର କରିଥିଲେ। ଏହି ଘଟଣା ପରେ ପରେ ନିୟନ୍ତ୍ରଣ ରେଖାରେ ପାକ ସେନା ପକ୍ଷରୁ ଗୁଳିଗୁଳା ବର୍ଷା ବୃଦ୍ଧି ପାଇଥିଲା । ଏହାପରେ ପାକ ଜନାତଙ୍କ ବିଶ୍ୱାସ ହୋଇଥିଲା ଯେ,  ପାକିସ୍ତାନୀ ସେନା ଭାରତକୁ ମୁହଁତୋଡ ଜବାବ ଦେଉଛି । କିନ୍ତୁ ଏସବୁ କରିବାର ପ୍ରକୃତ କାରଣ ହେଲା, ପାକିସ୍ତାନ ଜନତା ଏବଂ ସରକାର ଯେମିତି ଅନୁଭବ କରିବେ ଯେ  ସେନା ହିଁ ଦେଶର ପ୍ରକୃତ ରକ୍ଷକ ଆଉ ସେଥିପାଇଁ ତାକୁ ସବୁବେଳେ ଅଧିକ ମର୍ଯ୍ୟାଦା ଦିଆଯିବା ଉଚିତ।

ଜେନେରାଲ ଶରିଫଙ୍କର ଥିଲା ଦୋମୁହାଁ ନୀତି

ଜେନରାଲ ଶରିଫଙ୍କ ସମୟରେ  ଆଭ୍ୟନ୍ତରୀଣ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା ।  କିନ୍ତୁ ସେ ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନରେ ହାତ ମାରୁ ନ ଥିଲେ । କାରଣ ଏହି ସଂଗଠନ କାଶ୍ମୀରରେ ଆତଙ୍କ ସୃଷ୍ଟି କରୁଥିଲା ।  ଗୋଟିଏ ପଟେ ସେ  ବିଶ୍ୱକୁ ଦେଖାଉଥିଲେ  ଯେ ପାକିସ୍ତାନୀ ସେନା ଆତଙ୍କବାଦ ବିରୁଦ୍ଧରେ କଠୋର ପଦକ୍ଷେପ ନେଉଛନ୍ତି ।  କିନ୍ତୁ ସେହି ସମୟରେ ଲସ୍କର ସହ ହାତ ମିଳାଇଥିଲା । ତାଙ୍କ ସମୟରେ ପାକ ସେନାର କାଶ୍ମୀର ନୀତି ଭିନ୍ନ  ଥିଲା ।

୨୦୨୨ରେ ଆସିଲେ ଜେନେରାଲ ମୁନିର

ଅସୀମ ମୁନିର ସେନାମୁଖ୍ୟ ହେବା ପରେ କାଶ୍ମୀରକୁ ନେଇ ବଡ ବଡ ବୟାନବାଜି ଦେଇ ଆସୁଛନ୍ତି । କାଶ୍ମୀରକୁ ପାକିସ୍ତାନର ‘ଜଗୁଲାର ଭେନ’ ବୋଲି କହିଛନ୍ତି ମୁନିର। ଅର୍ଥାତ ଗଳାର ଏପରି ଏକ ଶିରା ଯାହା ବିନା ଜଣେ ମଣିଷ ବଞ୍ଚିବା ସମ୍ଭବ ନୁହେଁ । ସେତିକି ନୁହେଁ, ଦ୍ୱି-ରାଷ୍ଟ୍ର ତତ୍ତ୍ୱ ବୁଝାଇବାକୁ ଯାଇ ହିନ୍ଦୁ-ମୁସଲିମ ମଧ୍ୟରେ କେମିତି ବିଭେଦ ରହିଛି ତାହା ମଧ୍ୟ କହିଥିଲେ । କାଶ୍ମୀର ଯେହେତୁ ମୁସଲିମ ବହୁଳ ତେଣୁ କାଶ୍ମୀର ଭାରତର ନୁହେଁ ପାକିସ୍ତାନର ବୋଲି ସେ ଦାବି କରିଥିଲେ । ଏପରକି ପହଲଗାମ ଆକ୍ରମଣ ପୂର୍ବରୁ ମଧ୍ୟ ମୁନିର କାଶ୍ମୀରକୁ ନେଇ ଏମିତି ଉତ୍ତେଜିତ ବୟାନବାଜି କରିଥିଲେ । ଏବେ ସେହି ମୁନିର ଯୁଦ୍ଧ ଭୟରେ କେଉଁଠି ଲୁଚି ରହିଥିବା କୁହାଯାଉଛି ।

Kashmir Pakistan Funding Terror Groups Pak Army Pakistan Soldiers
Advertisment
Advertisment