• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଭାରତ ଏକ କୃଷି ପ୍ରଧାନ ଦେଶ। ହେଲେ ଚାଷ ଓ ଚାଷୀଙ୍କ ପାଇଁ ସେତେଟା ଆଖିଦୃଶିଆ କାମ ହୋଇନି। ଆଜିବି ଚାଷୀ ତାର ଫସଲ ବିକ୍ରି ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ଥିବା ସତ୍ତ୍ୱେ ଫସଲ ବିକ୍ରି ନେଇ ଆଜିବି ସମସ୍ୟା ଦୂର ହୋଇନି। ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇନଥିବାରୁ MSP ଏକ କାଗଜ ବାଘରେ ପରିଣତ ହୋଇଛି। କ୍ଷୁଦ୍ର ଚାଷୀଙ୍କର ନଗଦ ଅର୍ଥର ଆବଶ୍ୟକତା ଥିବାବେଳେ ସେମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମାର୍କେଟିଂରେ ଅଧିକ ଦଲାଲ ସକ୍ରିୟ ଅଛନ୍ତି।

ମୋଟାମୋଟି ଭାବରେ, MSP ବ୍ୟବସ୍ଥା ରାଜ୍ୟଗୁଡିକରେ ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ହୋଇଛି ଏବଂ ଏହା ପ୍ରାୟତଃ ଚାଉଳ ଏବଂ ଗହମରେ ସୀମିତ ଅଛି । ଉଦାହରଣ ସ୍ୱରୂପ, ଓଡିଶାରେ ଅଧିକାଂଶ କ୍ଷୁଦ୍ର ଚାଷୀ ଅମଳ ପରେ ଖୁବ୍ ଶୀଘ୍ର ଏବଂ MSPଠାରୁ ବହୁତ କମ୍ ମୂଲ୍ୟରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରନ୍ତି। ଜାତୀୟସ୍ତରର ସମବାୟ ସମିତି ଡାଲିର କିଛି ଅଂଶ କିଣି ଖୁବ କମ୍ ମୂଲ୍ୟରେ ବିକ୍ରି କରନ୍ତି ।

ରାଜ୍ୟରେ ଟୋକେନ ବଜାର ଉପଯୁକ୍ତ ଫଳାଫଳ ଦେଇନାହିଁ। କେବଳ ଚାଷୀ ହିଁ କ୍ଷତି ସହିଛନ୍ତି। ଅଧିକାଂଶ କୃଷକ ଅସଂଗଠିତ ହୋଇ ରହିଥିବାରୁ ସେମାନଙ୍କର ସମସ୍ୟା ଲୋକଲୋଚନକୁ ଆସିପାରନି। DBT ମାଧ୍ୟମରେ ବେଳେବେଳେ ସରକାର ନଗଦ ଆକାରରେ ମାର୍କେଟିଂରେ ରହିଥିବା ଅଭାବକୁ ସମାଧାନ କରିନାହାଁନ୍ତି । MSPକୁ ଆଇନଗତ ଭାବେ କାର୍ଯ୍ୟକାରୀ କରିବା ଏକ ସମାଧାନ ହୋଇପାରେ କିନ୍ତୁ ଫସଲ କିଣିବା ପାଇଁ ଏହା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ଆଇନ ଆସିବା ଦରକାର।

ଆମେ ଆବଶ୍ୟକ କରୁଥିବା ୨୫ନିୟୁତ ଟନ ଖାଇବା ତେଲର ପ୍ରାୟ ୫୬% ଆମଦାନୀ ହେଉଛି। ୫୫% ପାମ୍ ଅଏଲ, ଏବଂ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରାଯାଉଛି। ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲ୍ୟାଣ୍ଡରୁ ପାମ୍ ଅଏଲ ଆମଦାନୀ ହେଉଥିବା ବେଳେ ସୋୟାବିନ୍ ତେଲ ଆର୍ଜେଣ୍ଟିନା ଏବଂ ବ୍ରାଜିଲରୁ ଆମଦାନୀ କରାଯାଏ । ସେହିପରି ରୁଷ ଏବଂ ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ହୋଇଥାଏ।୨୦୨୧-୨୨ରେ ୫୭ ଲକ୍ଷ କୋଟି ମୂଲ୍ୟର ଖାଇବା ତେଲର ଆମଦାନୀ କରାଯାଇଛି।

୨୦୧୮-୧୯ରେ ସାମଗ୍ରିକ ଡାଲି ଉତ୍ପାଦନ ୨୨ନିୟୁତ ଟନରୁ ୨୭.୮୧ ନିୟୁତ ଟନକୁ ବୃଦ୍ଧି ପାଇଛି । ୨୦୨୩ରେ ଡାଲି ଆମଦାନୀ ମୂଲ୍ୟ ୧୫୭୮୦କୋଟି ଟଙ୍କା ଥିଲା। ୨୦୨୨-୨୩ରେ ୮.୭୫ଲକ୍ଷ ଟନ୍ ହରଡ଼ ଡାଲି ଆମଦାନୀ ହୋଇଥିବା ବେଳେ ୭.୭୩ ଲକ୍ଷ ଟନ୍ ମସୁର, ୭.୭୩ ଲକ୍ଷ ଟନ୍ ବିରି, ୯୦୭୦୪ ଟନ୍ ରାଜମା ଆମଦାନୀ କରାଯାଇଥିଲା। ମିଆଁମାରରୁ ୭.୫୮, କାନାଡାରୁ ୪.୮୫, ମୋଜାମ୍ବିକରୁ ୪.୬୬, ଅଷ୍ଟ୍ରେଲିଆରୁ ୩.୬୨, ତାଞ୍ଜାନିଆ ୧.୬୯ ଲକ୍ଷ ଟନ୍ ଆସିଥିଲା । ଏହାବାଦ୍ ବ୍ରାଜିଲ, ମଲାୱି, ସୁଦାନ, ଇଥିଓପିଆ ଏବଂ ୟୁଏଇରୁ କିଛି ପରିମାଣର ଆମଦାନୀ ହୋଇଥିଲା।

ତେବେ କୃଷକମାନଙ୍କର ନିର୍ଭରଶୀଳତାକୁ ସୁଧାରିବା ପାଇଁ ଫସଲର ବିବିଧକରଣ କରିବାକୁ ହେବ। ପଞ୍ଜାବରେ ଧାନ ଚାଷ ଯୋଗୁଁ ଭୂତଳ ଜଳ ଯଥେଷ୍ଟ ହ୍ରାସ ପାଇଛି । ଧାନ ଫସଲ ପାଇଁ ଅଧିକ ଗଭୀରତା ଯାଏ ଖୋଦେଇ କରାଯାଇ ପାଣି ପମ୍ପ ବସାଇବା ଦ୍ୱାରା ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଛି। ପରିବେଶ ବିପର୍ଯ୍ୟୟକୁ ରୋକିବା ପାଇଁ ଚାଷୀଙ୍କର ଆବଶ୍ୟକତା ରହିଛି।

ତେବେ ସଂପ୍ରତି ଆନ୍ଦୋଳନକାରୀ କୃଷକମାନଙ୍କୁ ଏକ ଯୋଜନା ପ୍ରସ୍ତାବ ଦିଆଯାଇଛି ଯେଉଁଥିରେ କଟନ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ, NAFED, ଏବଂ NCCF ଭଳି ସଂସ୍ଥାମାନେ କୃଷକମାନଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ପାଞ୍ଚ ବର୍ଷ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟରେ କପା, ଡାଲି ଏବଂ ମକା ଫସଲ କିଣିବେ। ଏହା ସଠିକ୍ ଦିଗରେ ଏକ ପଦକ୍ଷେପ ବୋଲି ମନେହୁଏ। ଯଦିଓ କୃଷକମାନେ ଏହାକୁ ଗ୍ରହଣ କରିନାହାଁନ୍ତି, ଏହି ଧାରଣାକୁ ଉଭୟ ପକ୍ଷ ଆଲୋଚନା କରି ସମାଧାନର ରାସ୍ତା ଖୋଜିବା ଉଚିତ୍। ସେହିପରି କୃଷି କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ବଡ଼ ବଡ଼ ଘରୋଇ ଉଦ୍ୟୋଗ କିଭଳି ମନୋନିବେଶ କରିବେ, ସେ ଦିଗରେ ମଧ୍ୟ ସରକାର ଯତ୍ନବାନ ହେବାର ଆବଶ୍ୟକତା ରହିଛି। 

(ଆଲେଖ୍ୟ - ପ୍ରସନ୍ନ ମିଶ୍ର)