• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଏଇ ଅଳ୍ପ ଦିନ ତଳେ ଗୋଟିଏ ରିପୋର୍ଟ ମୋର ଦୃଷ୍ଟି ଆକର୍ଷଣ କରିଥିଲା ଯେ, ଇତିହାସରେ ପ୍ରଥମ ଥର ମହିଳାମାନଙ୍କ ଜୋତା ମାର୍କେଟ୍‌ରେ ହାଇ ହିଲ୍ ଅପେକ୍ଷା ଫ୍ଲାଟ୍ ଓ ସ୍ପୋର୍ଟ୍ସ ସୁ'ର ବିକ୍ରୀ ମାତ୍ରା ଅଧିକ ରହିଛି। ମହିଳା ଗ୍ରାହକମାନଙ୍କ ମଧ୍ୟରୁ ୫୯% ଫ୍ଲାଟ୍ ଓ ସ୍ପୋର୍ଟ୍ସ ସୁ'କୁ ନିଜ ଦୈନନ୍ଦିନ ଜୀବନ ଓ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ ଏବେ ବି ୧୨% ମହିଳା ଗ୍ରାହକ ହାଇହିଲ୍‌କୁ ଫ୍ୟାସନ୍ ଓ ଆଧିପତ୍ୟର ସିମ୍ବଲ ଭାବୁଛନ୍ତି।

ପଢି ଖୁସି ଲାଗିଲା ଯେ, ଯାହା ହେଉ ଶେଷରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ଓ ସୁଖ-ଅନୁଭୂତିକୁ ପ୍ରାଧାନ୍ୟ ଦେଲେଣି। ସେ ଷ୍ଟିଲେଟୋ ହେଉ କିମ୍ବା ସ୍ୟାଣ୍ଡେଲ୍ କିମ୍ବା ପମ୍ପ୍‌ କିମ୍ବା ଅନ୍ୟ ଯେକୌଣସି ପ୍ରକାରର ହିଲ୍, ଏମାନଙ୍କ ବିନା ଜଣେ ମହିଳାଙ୍କର ଷ୍ଟାଇଲ୍ ଓ ଫ୍ୟାସନ୍ ଅସମ୍ପୂର୍ଣ୍ଣ କୁହାଯାଉଥିଲେ ମଧ୍ୟ ଏହି ହିଲ୍‌ଗୁଡିକ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ।

ହାଇହିଲ୍ ଜୋତା ବ୍ୟବହାରରୁ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା:

(୧) ଅଣ୍ଟା ଯନ୍ତ୍ରଣା ବା ଲୋ ବ୍ୟାକ୍ ପେନ୍:

ଯେହେତୁ ମଣିଷ ଦୁଇ ଗୋଡ଼ରେ ହିଁ ଠିଆହୁଏ ଓ ଚାଲେ, ତେଣୁ ତା'ର ସମ୍ପୂର୍ଣ୍ଣ ଶରୀରର ଓଜନର ଭାର ଅଣ୍ଟା ଓ ଦୁଇ ଗୋଡ଼ ଉପରେ ହିଁ ପଡିଥାଏ। ହାଇ ହିଲ୍ ପିନ୍ଧିବା ଦ୍ୱାରା ଶରୀରର ଓଜନ ଅଣ୍ଟା ଓ ଗୋଡ଼ ଉପରେ ଅସନ୍ତୁଳିତ ଭାବରେ ପଡିଥାଏ। ଫଳରେ ପିଠି ଓ ଅଣ୍ଟା ପାଖରେ ଅପ୍ରାକୃତିକ ବକ୍ରତା ବା curvature ସୃଷ୍ଟି ହୁଏ, ଯାହା କି ଅଣ୍ଟାର ଫୁଲା, ଦରଜ ଓ ବିନ୍ଧା କରାଏ।

(୨) ଗୋଇଠି ମକଚି ହେବା ବା ଆଙ୍କେଲ୍ ସ୍ପ୍ରେନ୍:

ଚିକ୍କଣ ରାସ୍ତା କିମ୍ବା ଅଫିସ/ ହୋଟେଲ/ ରାମ୍ପରେ ଚାଲିବା ଛଡ଼ା ଯଦି ସାମାନ୍ୟ ଅସମତଳ କିମ୍ବା ଆବୁଡା-ଖାବୁଡା ରାସ୍ତାରେ ଚାଲିବାକୁ ପଡେ ତା' ହେଲେ ହିଲ୍ ଯୋଗୁଁ ଗୋଇଠି ମକଚି ହେବା ଏକ ସାଧାରଣ ସମସ୍ୟା। ଏମିତିକି ସିଢି ଚଢିବା ବା ଓହ୍ଲେଇବା ସମୟରେ ମଧ୍ୟ ଟିକେ ଅସାବଧାନତା କେବଳ ଗୋଇଠି ମକଚି ହେବା ନୁହେଁ, ଶରୀରର ଅନ୍ୟ ଅ°ଶର ହାଡ଼ ଭାଙ୍ଗିବା କିମ୍ବା ମସ୍ତକରେ ଆଘାତ ଲାଗିବା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

(୩) ଆଣ୍ଠୁ ଯନ୍ତ୍ରଣା ବା ନି ପେନ୍:

ହାଇ ହିଲ୍ ପିନ୍ଧିବା ଦ୍ୱାରା ଗୋଡର ଅପ୍ରାକୃତିକ ବଙ୍କା ପୋଶ୍ଚର୍ ଆଣ୍ଠୁ ଉପରେ ଅତ୍ୟଧିକ ଚାପ ପକାଇ ଥାଏ। ଏହା ଆଣ୍ଠୁ ଯନ୍ତ୍ରଣା ଓ ଅଷ୍ଟିଓଆର୍ଥ୍ରାଇଟିସ୍‌ର ମଧ୍ୟ କାରଣ ହୋଇପାରେ।

(୪) ବଙ୍କା ପାଦ ଓ ଆଙ୍ଗୁଠି ଯନ୍ତ୍ରଣା:

ହିଲ୍ ଜୋତାଗୁଡିକରେ ସାଧାରଣତଃ ଅଗ୍ର ଭାଗ ସରୁ ଓ ଗୋଜିଆ ହୋଇଥାଏ। ଏଥିରେ ପାଦର ଆଙ୍ଗୁଠିଗୁଡିକ ଅପ୍ରାକୃତିକ ଓ ଅତ୍ୟଧିକ ଜାକି ହୋଇ ରୁହେ। ଜୋତା ଭିତରେ ବାରମ୍ବାର ଓ ଲଗାତାର ପାଦ ଆଙ୍ଗୁଠି ଏମିତି ଜାକିହୋଇ ଓ ମୂଳ ପାଖରୁ ବଙ୍କା ହୋଇ ରହିବା ଦ୍ୱାରା ହାମର ଟୋ ନାମକ ସମସ୍ୟା ଦେଖାଯାଏ। ସାଧାରଣତଃ ବୁଢା ଆଙ୍ଗୁଠି ପାଖକୁ ଥିବା ଦ୍ୱିତୀୟ ଆଙ୍ଗୁଠିଟି ଏଥିରେ ଆକ୍ରାନ୍ତ ହୋଇ ମଝି ଯୋଡା ବା ଜଏଣ୍ଟ ପାଖରୁ ବଙ୍କା ହୋଇଯାଏ। ଏଥିରେ କେବଳ ଯନ୍ତ୍ରଣା ନୁହେଁ, ମହିଳାମାନଙ୍କ ଚାଲି ମଧ୍ୟ ପ୍ରଭାବିତ ହୋଇଥାଏ।

ଏ ପରିସ୍ଥିତିରେ ଚଉଡା ଅଗ୍ରଭାଗ ବା ୱ୍ୱାଇଡ ଟୋ ବକ୍ସ କିମ୍ବା ଖୋଲା ଟୋ ଜୋତା ବ୍ୟବହାର ଓ ଫିଜିଓଥେରାପି କିଛି ମାତ୍ରାରେ ଉପଶମ ଦେଇଥାଏ। କିନ୍ତୁ ଅସ୍ତ୍ରୋପଚାର ଦ୍ୱାରା ହିଁ ଏଥିରୁ ମୁକ୍ତି ମିଳେ। ହାଇହିଲ୍ ଭିତରେ ପାଦର ଆଙ୍ଗୁଠିଗୁଡିକ ସବୁବେଳେ ମୂଳ ଜଏଣ୍ଟ ପାଖରୁ ଟାଣିହୋଇ ଓ ବଙ୍କା ହୋଇ (ହାଇପର୍ ଏକ୍ସଟେଣ୍ଟ୍) ରୁହେ। ଏ ପ୍ରକାର ଅପ୍ରାକୃତିକ ପୋଶ୍ଚର ଆଙ୍ଗୁଠି ଫୁଲା, ଦରଜ ଓ ଯନ୍ତ୍ରଣାର କାରଣ ହୋଇଥାଏ।

(୫) ପାଦ ଯନ୍ତ୍ରଣା ବା ପେନ୍ ଇନ୍ ଫିଟ୍:

ହାଇହିଲ୍ ଜୋତାଗୁଡିକର ତିଆରି ପାଦକୁ ସବୁବେଳେ ଅସ୍ୱାଭାବିକ ତରିକାରେ ବଙ୍କା, ଜାକି କରି, ମୋଡି, ହାଇପର ଏକ୍ସଟେଣ୍ଟ୍ ଅବସ୍ଥାରେ ରଖେ। ଏଗୁଡିକୁ ପିନ୍ଧି ଚାଲିବା ଦ୍ୱାରା ସମ୍ପୂର୍ଣ୍ଣ ପାଦ ଉପରେ ସମାନ ଭାବେ ଚାପ ନ ପଡି କିଛି ଅ°ଶରେ ଅଧିକ ଓ କିଛି ଅ°ଶରେ କମ୍ ପଡିଥାଏ। ଏହା ଦ୍ୱାରା ପାଦର ପ୍ରାକୃତିକ ଆର୍କ ବା ଗଠନ ପ୍ରଣାଳୀ ପ୍ରଭାବିତ ହୁଏ। ପାଦର ଆଙ୍ଗୁଠି, ମଝି ଅ°ଶ ଓ ଗୋଇଠି ଦରଜ, ପିଡା ଓ କ୍ରୁକ୍ଡ ହୋଇଯାଏ। ପାଦର ଅନେକ ଅ°ଶରେ ବିଣ୍ଡି ମଧ୍ୟ ପଡିଯାଏ। ପାଦକୁ ତଳେ ଥାପିବା, ଚାଲିବା କଷ୍ଟସାଧ୍ୟ ଲାଗେ।

(୬) ଲିଗାମେଣ୍ଟ ଦୁର୍ବଳ ଓ ଆଘାତ ପ୍ରାପ୍ତ ହେବା:

ବାରମ୍ବାର ଗୋଇଠି ଓ ପାଦ ମକଚି ହେବା, ଆଘାତ ଲାଗିବା, ପାଦ ଓ ଆଙ୍ଗୁଠି ଗୁଡିକର ବଙ୍କା ଓ ହାଇପର ଏକ୍ସଟେଣ୍ଟ୍ ପୋଶ୍ଚର ପାଦ ଓ ଗୋଡର ଲିଗାମେଣ୍ଟସ ଉପରେ ଅସ୍ୱାଭାବିକ ଚାପ ପକାଏ ଓ ଆଘାତ କରେ। ଲିଗାମେଣ୍ଟ୍‌ଗୁଡିକ ମା°ସପେଶୀ ଓ ଜଏଣ୍ଟ୍‌କୁ ସପୋର୍ଟ ଓ ଷ୍ଟ୍ରେନ୍ଥ ଦିଏ। କିନ୍ତୁ ହାଇହିଲ୍ ପିନ୍ଧିବା ଦ୍ୱାରା ଲିଗାମେଣ୍ଟ୍‌ଗୁଡିକ ବାରମ୍ବାର ଆଘାତ ପାଇ ଦୁର୍ବଳ ହୋଇଯାଆନ୍ତି ଓ ଭୀଷଣ ଯନ୍ତ୍ରଣା ମଧ୍ୟ ହୁଏ। ଅନେକ ସମୟରେ ଅସ୍ତ୍ରୋପଚାର ମଧ୍ୟ ଜରୁରୀ ହୋଇଥାଏ।

(୭) ରକ୍ତ ପ୍ରବାହ ଓ ରକ୍ତନଳୀର ସମସ୍ୟା:

ହାଇହିଲ୍ ଜୋତା ଭିତରେ ଅସ୍ୱାଭାବିକ ଭାବରେ ମୋଡିହୋଇ, ଜାକିହୋଇ ଓ ଚାପ ଭିତରେ ରହିବା କାରଣରୁ ପାଦର ଅନେକ ଅ°ଶରେ ରକ୍ତ ପ୍ରବାହ ଓ ବାହକ ନଳୀ ଚାପିହୋଇ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ଏହାଦ୍ୱାରା ସାଧାରଣତଃ ପାଦ ପିଡା (ଇସ୍‌କେମିକ୍ ପେନ୍/ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବାରୁ ଉପୁଜିଥିବା ବ୍ୟଥା), ଝିମ୍‌ଝିମ୍‌ ହେବା ଓ ଫୁଲା ଦେଖାଯାଏ। କିଛି ମହିଳାଙ୍କ ପାଦରେ ଇସ୍‌କେମିକ୍ ଅଲ୍‌ସର୍‌ (ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବାରୁ ଘା’ ହୋଇଯାଏ) ଦେଖାଯାଏ। କେତେକ କ୍ଷେତ୍ରରେ ରକ୍ତନଳୀ ଫାଟିଯିବା ପରି ସମସ୍ୟା ମଧ୍ୟ ଉପୁଜେ।

(୮) ଗୋଡ ପେଣ୍ଡା ଦରଜ ଓ ଯନ୍ତ୍ରଣା ବା କାଲ୍ଫ ସୋର୍‌ନେସ୍:

ହାଇହିଲ୍ କେବଳ ପାଦ ନୁହେଁ ଗୋଡର ପେଣ୍ଡଗୁଡିକ ଉପରେ ମଧ୍ୟ ଅସ୍ୱାଭାବିକ ଓ ଅତ୍ୟଧିକ ଚାପ ପକାଇଥାଏ। ପାଦ ବଙ୍କା ଓ ଜାକି ହୋଇ ରହିବା ଏବଂ ଗୋଡର ଆଣ୍ଠୁ ପାଖରେ ବକ୍ର ହେବା ଓ ଚାପ, ପେଣ୍ଡାର ମା°ସପେଶୀରେ ଅତ୍ୟଧିକ ଚାପ/ ଟେନ୍‌ସନ୍ ସୃଷ୍ଟି କରି ବିନ୍ଧା, ଦରଜ ଓ କ୍ରାମ୍ପ୍ସର କାରଣ ହୋଇଥାଏ।

ଅନେକ ସମୟରେ ପେଣ୍ଡାର ଶୀରାପ୍ରଶିରାଗୁଡିକ ଅସ୍ୱାଭାବିକ ଭାବରେ ଫୁଲି ଯାଏ। ଏହା କେବଳ ଗୋଡକୁ ଅସୁନ୍ଦର କରେନି ବର° ଅନେକ ସମୟରେ ଭାରିକୋଜ୍ ଭେନ୍, ଗୋଡ ବିନ୍ଧାର କାରଣ ମଧ୍ୟ ହୋଇଥାଏ।

(୯) ମେରୁଦଣ୍ଡର ଅସ୍ୱାଭାବିକ ବକ୍ରତା ବା ଅନ୍‌ୟୁଜୁଆଲ୍ କର୍‌ଭେଚର୍‌ ଅଫ୍‌ ସ୍ପାଇନ୍:

ହାଇହିଲ୍ ଜୋତା ଆପଣଙ୍କ ଅଣ୍ଟା ଓ ପୃଷ୍ଠଭାଗକୁ ପଛପାଖକୁ ବକ୍ର କରି ଆୱାର ଗ୍ଲାସ୍ ସେଫ୍ ଦେଇଥାଏ। ଏହି ସେଫ୍ ଓ ଅପ୍ରାକୃତିକ ବକ୍ରତା ମହିଳାମାନେ ଚାଲିଲା ବେଳେ ଅଣ୍ଟା ପାଖରେ ଗୋଟିଏ ପ୍ରକାର ଦୋଳାୟମାନ ଗତି ଦିଏ। ଅନେକ ଏହାକୁ ନାରୀ ସୌନ୍ଦର୍ଯ୍ୟର ମାପକାଠି ମାନି ନିଅନ୍ତି। କିନ୍ତୁ ଏହି ଅସ୍ୱାଭାବିକ ବକ୍ରତା ଓ ଦୋଳାୟମାନ ଗତି ପାଇଁ ମହିଳାମାନେ ଚାଲିବା ସମୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ନିଜ ପ୍ରାକୃତିକ ଚାଲିକୁ ବଦଳାଇବା ପାଇଁ ବାଧ୍ୟ ହୁଅନ୍ତି, ଯାହା ସମ୍ପୂର୍ଣ୍ଣ ଗୋଡ଼, ଅଣ୍ଟା ଓ ମେରୁଦଣ୍ଡ ଉପରେ କୁପ୍ରଭାବ ପକାଏ। ଏଥିପାଇଁ ଅଣ୍ଟା ଯନ୍ତ୍ରଣା, ମେରୁଦଣ୍ଡ ବଙ୍କା ହେବା, ଦରଜ ହେବା ଲାଗି ରୁହେ।

ଉପରୋକ୍ତ ସ୍ବାସ୍ଥ୍ୟ ସମସ୍ୟା ଗୁଡିକ ବିଷୟରେ ପଢିବା ପରେ ଆପଣ ମନେମନେ ନିହାତି କୋଉଠି ନା କୋଉଠି ଆଖପାଖର କାହା ଗୋଡ଼ କିମ୍ବା ଅଣ୍ଟା ବ୍ୟଥା ସହ କୋରିଲେଟ୍ କରି ସାରିବେଣି। ଆଉ ଚିନ୍ତା ବି କରିଥିବେ ଯେ, ଯଦି ଏତେ ସମସ୍ୟା ରହୁଛି ତା' ହେଲେ ହାଇହିଲ୍ ଜୋତା ଆଜିଯାଏ ମହିଳାମାନେ ପିନ୍ଧୁଛନ୍ତି କାହିଁକି? ଏହା ପଛରେ ସବୁଠୁ ବଡ କାରଣ ହେଲା ମଣିଷର ମାନସିକତା। ଏହି ପ୍ରଶ୍ନର ଉତ୍ତର ପାଇଁ ୪୫୦ ଜଣ(ଉଭୟ ମହିଳା ଓ ପୁରୁଷ)ଙ୍କୁ ନେଇ ଗୋଟିଏ ସର୍ଭେ କରାଯାଇଥିଲା। ସେମାନଙ୍କୁ ଦୁଇଟି ମହିଳାଙ୍କ ଛବି ଦେଖା ଯାଇଥିଲା। ପ୍ରଥମ ମହିଳା ହାଇହିଲ୍ ପିନ୍ଧିଥିବା ବେଳେ ଦ୍ୱିତୀୟ ମହିଳା ଫ୍ଲାଟସ୍ ପିନ୍ଧିଥିଲେ। ତା' ପରେ ସମସ୍ତଙ୍କୁ ସୌନ୍ଦର୍ଯ୍ୟ, ବିତ୍ତଶାଳୀ, ସାମାଜିକ ଷ୍ଟାଟସ୍ ଓ ଆତ୍ମବିଶ୍ବାସ ଏସବୁ ଆଧାରରେ କିଏ ଆଗରେ ରହିବ ବାଛିବାକୁ ଦିଆଗଲା।

ଏଥିରେ ପ୍ରଥମ ହାଇହିଲ୍ ମହିଳା ହିଁ ଅଧିକ ନମ୍ବର ପାଇଥିଲେ। ହାଇହିଲ୍ ପିନ୍ଧିବା ଦ୍ବାରା ମିଳୁଥିବା ଆଓ୍ବାର ଗ୍ଲାସ୍ ଫିଗର, ପୃଷ୍ଠଭାଗ ଓ ବକ୍ଷଭାଗର ଅପ୍ରାକୃତିକ ପ୍ରୋମିନେନ୍ସ ଓ ଚାଲିବା ସମୟରେ ଅଣ୍ଟା ପାଖର ଦୋଳାୟମାନ ଗତିକୁ ଯୁଗଯୁଗରୁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ଓ ଫ୍ୟାସନ୍ ସହ ଯୋଡାଯାଇଛି ଓ ପସନ୍ଦ କରାଯାଇଛି। ତେଣୁ ମହିଳାମାନେ ବି ପ୍ରଶ°ସା ଓ ଫ୍ୟାସନେବଲ୍ ହେବା ପାଇଁ ସବୁ କଷ୍ଟ ସତ୍ତ୍ୱେ ହାଇହିଲ୍ କୁ ପିନ୍ଧୁଛନ୍ତି। କିନ୍ତୁ ମନେ ରଖନ୍ତୁ, ବାହ୍ୟ ସୌନ୍ଦର୍ଯ୍ୟ, ଆଧିପତ୍ୟ, ଷ୍ଟାଟସ୍, ଫ୍ୟାସନ୍, ଚାକିରୀ ସବୁ କ୍ଷଣସ୍ଥାୟୀ। କିନ୍ତୁ ଆପଣଙ୍କ ଶରୀର ଓ ସ୍ବାସ୍ଥ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ରହିବ। ଆଉ ଗୋଟିଏ ସୁନ୍ଦର ସ୍ବାସ୍ଥ୍ୟ ହିଁ ବୃଦ୍ଧାବସ୍ଥାରେ ଆପଣଙ୍କ ଜୀବନକୁ ଭଲ ଷ୍ଟାଟସ୍ ଦେଇପାରିବ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now