• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ସେଦିନ ସନ୍ଧ୍ୟାରେ ବହିଟିଏ ଧରି ବସିଥାଏ, ଜଣେ ପରିଚିତଙ୍କ ଫୋନ୍ ଆସିଲା। ରିସିଭ୍ କରୁକରୁ ବ୍ୟସ୍ତ ହୋଇ କହିଲେ ହ୍ୱାଟ୍ସଆପ୍‌ରେ ପଠାଇଥିବା ତାଙ୍କ ୯-୧୦ ବର୍ଷ ପୁଅର ମସ୍ତିଷ୍କର ସିଟି ସ୍କାନ୍ ରିପୋର୍ଟଟିକୁ ଦେଖିବା ପାଇଁ। ରିପୋର୍ଟଟି ନର୍ମାଲ୍‌ ଅଛି କହିବାକୁ ତାଙ୍କୁ କଲ୍‌ବ୍ୟାକ୍ କଲି। ପଚାରି ବୁଝିଲି କ'ଣ ପାଇଁ ହଠାତ ଏମିତି ସିଟିସ୍କାନ୍‌ର ଆବଶ୍ୟକତା ପଡିଲା।

ପ୍ରକୃତରେ ତାଙ୍କ ପୁଅ ପୂର୍ବଦିନ ସନ୍ଧ୍ୟାରେ ଖେଳିବା ସମୟରେ ତା' ମୁଣ୍ଡରେ ଫୁଟ୍‌ବଲ୍ ବାଜିଥିଲା, କିନ୍ତୁ ସେ ତା' ପର ଦିନ ଅପରାହ୍ନରେ ମୁଣ୍ଡ ନ ବିନ୍ଧିବା ଯାଏଁ କିଛି କହି ନଥିଲା। ତାଙ୍କ ଠାରୁ ଏକଥା ଶୁଣି ମୁଁ ଟିକେ ଆଶ୍ଚର୍ଯ୍ୟ ହେଲି, ଆଉ ପଚାରିଲି ଯେ ତାଙ୍କ ପୁଅ ଆଗରୁ ଏମିତି କେବେ କରିଛି ନା ନାହିଁ? ଉତ୍ତରରେ ସେ ଆହୁରି ସେମିତି କିଛି ଘଟଣା କହିଲେ।

ପଚାରିବା ଭିତରେ ଜାଣିବାକୁ ପାଇଲି ଯେ ପିଲାଟି ସାଧାରଣତଃ କୌଣସି ପାର୍ଟି କିମ୍ବା ସମାରୋହକୁ ଯିବାକୁ ପସନ୍ଦ କରୁନି, ସ୍କୁଲ୍‌ରେ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିସ୍‌ରେ ଆଉ ଭାଗ ନେଉନି ଏବଂ ଧୀରେଧୀରେ କ୍ଲାସ୍‌ ଓ ଟେଷ୍ଟ୍‌ରେ ତା'ର ପରଫର୍‌ମାନ୍ସ ବି ଖରାପ ହେଇଯାଉଛି। ପ୍ରାୟ ଦେଢ଼ ଘଣ୍ଟା ମୋତେ ଲାଗିଗଲା ତାଙ୍କୁ ବୁଝେଇବାକୁ ଯେ ପୁଅଟି ତାଙ୍କର ଆଙ୍ଗ୍‌ଜାଇଟି ବା ମାନସିକ ଚାପ ଭିତରେ ରହୁଛି ଏବଂ ବହୁତ ସମୟରେ ଏଥିପାଇଁ ଚାଇଲ୍ଡ କାଉନ୍‌ସେଲର୍‌ଙ୍କ ସାହାଯ୍ୟ ଦରକାର ପଡିଥାଏ।

ଆଙ୍ଗ୍‌ଜାଇଟି ବା ମାନସିକ ଚାପ ସମସ୍ତଙ୍କର ଥାଏ। ଦକ୍ଷତାର ସହ କାମ କରିବା ପାଇଁ କିଛି ମାତ୍ରାରେ ଏହା ଜରୁରୀ ମଧ୍ୟ। ହେଲେ ମାତ୍ରାଧିକ ଚାପ ଠିକ ତା’ର ବିପରୀତ ଦିଗରେ କାମ କରେ।

ପିଲାଙ୍କ ମଧ୍ୟରେ ମାନସିକ ଚାପ ବା ଆଙ୍ଗ୍‌ଜାଇଟିର ଲକ୍ଷଣ:

(୧) ଛୋଟଛୋଟ କଥାରେ ଉଦ୍‌ବିଗ୍ନ, ଚଡିଚିଡା ହେବା, ଅସ୍ଥିରତା, ଏକାଗ୍ରତା କମିଯିବା, ହଠାତ ଭାବପ୍ରବଣ ହୋଇ କାନ୍ଦିବା।

(୨) ହଠାତ ନିଜ ପ୍ରିୟ ଓ ଭଲ ସାଙ୍ଗମାନଙ୍କ ଠାରୁ ଦୂରତା ବଢେଇ ଦେବା, ସାଙ୍ଗମାନଙ୍କ ସହ କଥାବାର୍ତ୍ତା ଓ ଗ୍ରୁପ୍ ଡିସ୍‌କସନ୍ କମିଯିବା, ସ୍କୁଲ୍‌ ଓ ଫ୍ୟାମିଲି ଫଙ୍କ୍‌ସନ୍‌କୁ ନ ଯିବା, ଏକ୍ସଟ୍ରା କରିକୁଲାର୍ ବା ସୃଜନଶୀଳ ଆକ୍ଟିଭିଟିରେ ସାମିଲ ନ ହେବା, ଏକୁଟିଆ ଖେଳିବା ଓ ଘରେ ରହିବା। ଘରେ କଥା ଲୁଚାଇବା, ଛୋଟଛୋଟ କଥାରେ ଅପମାନିତ ଓ ଅବହେଳିତ ଅନୁଭବ କରିବା।

(୩) ହଠାତ୍ କ୍ଲାସ୍‌ରେ ଓ ପରୀକ୍ଷାରେ ଗ୍ରେଡ୍ କମିବା, ଆସାଇନ୍‌ମେଣ୍ଟ୍‌ ଓ ପ୍ରୋଜେକ୍ଟ ଠିକ୍ ସମୟରେ ପୂରା ନ କରିପାରିବା, ହୋମ୍‌ୱାର୍କ ପୂରା ନ କରିପାରିବା, ସ୍କୁଲ୍‌ ଓ ସିଲାବସ୍‌ର ଅଧିକ ଚାପକୁ ନେଇ ଅଭିଯୋଗ କରିବା, ଶିକ୍ଷକ ଓ ସ୍କୁଲ୍‌ ବ୍ୟବସ୍ଥାକୁ ନେଇ ଅଭିଯୋଗ କରିବା ଏବଂ ସ୍କୁଲ୍‌ ଯିବାକୁ ଅନିଚ୍ଛା ପ୍ରକାଶ କରିବା।

(୪) ବାରମ୍ବାର ମୁଣ୍ଡବିନ୍ଧା (ଏମିତିକି ମାଇଗ୍ରେନ୍),ପେଟ ଯନ୍ତ୍ରଣା, ପତଳା ଝାଡା, ହାଲିଆ ଲାଗିବା, ଖାଦ୍ୟ ପ୍ରତି ଆଗ୍ରହ କମିଯିବା, ବିନା କୌଣସି ମେଡିକାଲ୍‌ କାରଣ ଥାଇ ବାରମ୍ବାର "ଦେହ ଭଲ ଲାଗୁନି" ଅଭିଯୋଗ କରିବା, ଅଣନିଶ୍ୱାସୀ ଲାଗିବା।

(୫) ନିଦ କମ୍ ହେବା (ଅନିଦ୍ରା ଦୋଷ), ବାରମ୍ବାର ନିଦ ଭାଙ୍ଗିବା, ଦୁଃସ୍ୱପ୍ନ, ବିଛଣାରେ ପରିଶ୍ରା ହେବା, ପୂରା ରାତି ଗାଢ ନିଦରେ ଶୋଇ ଉଠିବା ପରେ ମଧ୍ୟ ମାନ୍ଦା ଓ ହାଲିଆ ଲାଗିବା।

(୬) ଅନେକ ସମୟରେ ଆପଣ ବନ୍ଧୁ ଓ ଡାକ୍ତରଙ୍କ ଠାରୁ ପ୍ୟାନିକ୍ ଆଟାକ୍ କଥା ଶୁଣିଥିବେ। ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖାଯାଏ : ହୃଦ୍‌ସ୍ପନ୍ଦନର ବଢିଯିବା, ଶ୍ୱାସରୁଦ୍ଧ ଲାଗି ଛାତିରେ ଯନ୍ତ୍ରଣା ହେବା, ପ୍ରବଳ ଝାଳ ବୋହିବା, ଗୋଡ଼ହାତ ଝିମିଝିମି ଲାଗିବା, ମୁଣ୍ଡ ବୁଲାଇବା, ଚାରିଆଡ ଅନ୍ଧାର ଦେଖାଯିବା ଓ ପିଲାମାନେ "feeling like dying" ବର୍ଣ୍ଣନା କରିବା।

ମା'-ବାପାଙ୍କ ଦାୟିତ୍ୱ:

(୧) ବୁଝିବାକୁ ଚେଷ୍ଟା କରନ୍ତୁ, ପିଲାଟିର ଅସୁବିଧା କୋଉଠି ରହୁଛି। ସ୍କୁଲ୍‌, ଟ୍ୟୁସନ୍‌ କିମ୍ବା କେହି ବନ୍ଧୁ-ବାନ୍ଧବଙ୍କ ଦ୍ୱାରା ଶିଶୁଟି କୌଣସି ପ୍ରକାର ମାନସିକ କିମ୍ବା ଶାରୀରିକ ଉତ୍ପୀଡ଼ନର ଶିକାର ହୋଇଛି କି, ଜାଣିବାକୁ ତା' ସହ ବନ୍ଧୁତା ବଢ଼ାନ୍ତୁ।

(୨) ଖାଲି ସମୟରେ ତା' ସହ ମିଶି ଗପବହି ପଢିବା, କ୍ରାଫ୍ଟ କରିବା, ବଗିଚା କାମ କରିବା, ଘର ସଫା କରିବା, ପରିବା ଧୁଆଇବା, ବାସନ ସଜାଡିବା ପରି ଛୋଟଛୋଟ କାମରେ ସାମିଲ କରନ୍ତୁ।

(୩) ନିଜ ସନ୍ତାନ ସହ ଅଧିକ ସମୟ ବିତାନ୍ତୁ, ସମୟ ସମୟରେ ତା’ ସହ ଖେଳପଡିଆକୁ ଯାଆନ୍ତୁ ଓ ହାରିବା ବି ଖେଳର ଗୋଟିଏ ପାର୍ଟ, ଏ କଥା ବୁଝାନ୍ତୁ। ଆଉଟି° ଓ ପିକ୍‌ନିକ୍‌ରେ ଯାଆନ୍ତୁ।

(୪) ନିଜ ସନ୍ତାନ ସହ ମିଶି ତା' ପରୀକ୍ଷା, ପ୍ରୋଜେକ୍ଟ ଓ ଅନ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରନ୍ତୁ। ନିଜ ଛୋଟବେଳର ବିଫଳତାର କାହାଣୀ ଶୁଣାନ୍ତୁ। ଅଧିକରୁ ଅଧିକ ପ୍ରତିଯୋଗିତା ଓ ତା' ମନ ପସନ୍ଦର ଆକ୍ଟିଭିଟି କରିବାକୁ ଉତ୍ସାହିତ କରନ୍ତୁ। ଅନ୍ୟ ବନ୍ଧୁ ଓ ପଡୋଶୀମାନଙ୍କ ପିଲା ସହ ତୁଳନା କରନ୍ତୁ ନାହିଁ।

(୫) ପରୀକ୍ଷା ଓ ପ୍ରତିଯୋଗିତା ପୂର୍ବରୁ ତାକୁ ଗୋଟିଏ ସ୍ୱାଦିଷ୍ଟ ଓ ପେଟପୂରା ଭୋଜନ କରାନ୍ତୁ।

(୬) ହାରିବା ବା ଖରାପ ରେଜଲ୍ଟ ବିଷୟରେ ବାରମ୍ବାର ନ ଭାବି ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖିବା ଶିଖାନ୍ତୁ। ତା’ ପରଫରମାନ୍ସ ବା ରେଜଲ୍ଟକୁ ନେଇ ତାକୁ ଗାଳିଗୁଲଜ, ଅପମାନିତ କରନ୍ତୁ ନାହିଁ କିମ୍ବା ଅନ୍ୟମାନଙ୍କ ଆଗରେ ଦୁଃଖ ପ୍ରକାଶ କରିବାରୁ ନିଜକୁ ରୋକନ୍ତୁ। ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ ଯେ ପାଠପଢା ଯାଏ ଏହି ଭାବନାରୁ ନିଜକୁ ନିବୃତ୍ତ ରଖନ୍ତୁ।

(୭) ଅତ୍ୟଧିକ ଉଦ୍‌ବିଗ୍ନ କିମ୍ବା ଡର ଲାଗିଲେ "ବ୍ରିଦିଙ୍ଗ ଏକ୍ସରସାଇଜ୍‌" ସହଜ ଅନୁଭବ କରିବାରେ ସାହାଯ୍ୟ କରେ। ନିଜ ସନ୍ତାନକୁ ଏହା ଅଭ୍ୟାସ କରିବାରେ ସାହାଯ୍ୟ କରନ୍ତୁ। ବ୍ରିଦିଙ୍ଗ୍‌ ଏକ୍ସର୍‌ସାଇଜ୍‌ କରିବାର ଉପାୟ : ନିଜ କାନ୍ଧ, ବେକ ହାଲୁକା ରଖି ନିଜ ନାକପଟେ ଦୀର୍ଘ/ ଲମ୍ବା ନିଶ୍ୱାସ ନିଅନ୍ତୁ, ଯେମିତିକି ଆପଣଙ୍କ ଛାତି ଓ ପେଟ ସମ୍ପୂର୍ଣ୍ଣ ଫୁଲୁଥିବ। ତା' ପରେ ଅତି ଧିମା ଗତିରେ ନିଜ ପାଟି ପଟେ ପ୍ରଶ୍ୱାସ ଛାଡନ୍ତୁ, ଆପଣଙ୍କ ଛାତି ଭିତରୁ ସମ୍ପୂର୍ଣ୍ଣ ବାୟୁ ଶେଷ ହେବା ଭଳି। ଏହି ଏକ୍ସର୍‌ସାଇଜ୍‌କୁ ରିପିଟ୍‌ କରିବାକୁ କୁହନ୍ତୁ।

ପ୍ରାରମ୍ଭିକ ଅବସ୍ଥାରେ ନିଜ ସନ୍ତାନର ସମସ୍ୟାକୁ ବୁଝି ତା' ସହ ଠିଆ ହେବା ତାକୁ ମାନସିକ ଚାପରୁ ବାହାରିବାକୁ ସବୁଠୁ ବେଶୀ ସାହାଯ୍ୟ କରେ। ନିଜ ସନ୍ତାନକୁ ଅନୁଭବ କରାନ୍ତୁ ଯେ ସେ ନିଜେ ହିଁ ଆପଣଙ୍କ ପାଇଁ ଗୋଟିଏ ଉପହାର। ପରୀକ୍ଷା ବା ପ୍ରତିଯୋଗିତାର ଫଳ ଯାହା ହୋଇଥାଉ, ସବୁ ପରିସ୍ଥିତିରେ ସେ ଆପଣଙ୍କ ପାଇଁ ସବୁଠୁ ବେଶୀ ପ୍ରିୟ ଓ ମୂଲ୍ୟବାନ। କିନ୍ତୁ ନିଜକୁ ୨୪ ଘଣ୍ଟା ଛୁଆଟି ଉପରେ ନଜର ରଖିଲା ପରି ବ୍ୟବହାର ଓ ସବୁ କଥାରେ ଉପଦେଶ ଓ ଉଦାହରଣ ଦେବାରୁ ନିବୃତ୍ତ ରଖନ୍ତୁ।

ସବୁବେଳେ ଶିଶୁ ଓ ତରୁଣମାନଙ୍କ ମାନସିକ ଚାପକୁ ସାମୟିକ ଓ ନଗଣ୍ୟ ଭାବି ଏଡ଼ାଇ ଯିବା ଅନେକ ଅପରିସ୍ଥିତି ମଧ୍ୟ ଆଣିପାରେ। ଜଣେ ପ୍ରଶିକ୍ଷିତ ଚାଇଲ୍ଡ କାଉନ୍‌ସେଲର୍‌ ବା ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଏଇ କ୍ଷେତ୍ରରେ ବହୁତ ଜରୁରୀ ଓ ସାହାଯ୍ୟକାରୀ ହୋଇଥାଏ। କାଉନସେଲିଂ ପରେ ପିଲାମାନଙ୍କର ଆତ୍ମବିଶ୍ୱାସ ବଢିବା ସହ, ପ୍ରତିଯୋଗିତା ଓ କ୍ଲାସ୍ ପର୍‌ଫର୍‌ମାନ୍ସରେ ମଧ୍ୟ ଉନ୍ନତି ଦେଖାଯାଏ। କାଉନ୍‌ସେଲ୍‌ରଙ୍କ ସାହାଯ୍ୟରେ ଅନେକ ପ୍ରକାର ମାନସିକ ଚାପ ବା ଆଙ୍ଗ୍‌ଜାଇଟିରୁ ମୁକ୍ତି ମିଳିଥାଏ।