• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସଫଳତା ପାଇବାକୁ ହେଲେ କୌଣସି ପ୍ରତିବନ୍ଧକ ଅନ୍ତରାୟ ହୋଇନପାରେ, କେବଳ କଠିନ ପରିଶ୍ରମ ଦ୍ୱାରା ଏହା ହାସଲ କରିହେବ। ଏଭଳି ଅନେକ ଉଦାହରଣ ରହିଛି । ହେଲେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଛି ଗଜପତି ଜିଲ୍ଲାର ଶିଶୁ ଯତ୍ନ ଗୃହରେ ରହୁଥିବା ପିଲାଙ୍କ ମାଟ୍ରିକ ପରୀକ୍ଷାରେ ସଫଳତା । କୌଣସି କାରଣରୁ ନିଜ ବାପା ଓ ମା’ଙ୍କଠାରୁ ଅଲଗା ହୋଇଥିବା ୨୦ ଜଣ ଶିଶୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଖାଲି ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ତାହା ନୁହେଁ ବରଂ ସମସ୍ତେ ପାସ୍ କରିଛନ୍ତି ଭଲ ଗ୍ରେଡ୍‌ ରଖି । ଆଉ ପରୀକ୍ଷାରେ ଏତେ ଭଲ ନମ୍ବର ରଖିଥିବାର ପୂରା ଶ୍ରେୟ ସେମାନେ ଦେଇଛନ୍ତି ପ୍ରଶାସନକୁ । ସେପଟେ ପିଲାଙ୍କ ଏପରି ସଫଳତାକୁ ନେଇ ପ୍ରଶାସନ ବି ବେଶ୍‌ ଖୁସ୍‌ ।

ସୁନୀତା ମହାପାତ୍ର... ଯିଏକି ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୭୭.୩ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି । ସେହିଭଳି ଗଣେଷ ବଡରଇତ ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୬୭ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି । ରାଜ୍ୟରେ ଅନେକ ପିଲା ଏମାନଙ୍କ ଭଳି କିମ୍ବା ଏମାନଙ୍କ ଠାରୁ ଆହୁରି ଭଲ ନମ୍ବର ରଖି ମାଟ୍ରିକ୍ ପାସ୍ କରିଥିବା ବେଳେ କିନ୍ତୁ ଏମାନଙ୍କୁ ନେଇ ଏବେ ଭାରି ଚର୍ଚ୍ଚା କାରଣ ନିଜ ବାପା-ମାଆଙ୍କଠାରୁ ଦୂରରେ ରହିବା ପରେ ମଧ୍ୟ ସେମାନେ ସଫଳତା ପାଇଛନ୍ତି ।

ଜିଲ୍ଲାରେ ଥିବା ପ୍ରାଉଡ୍ ନାମକ ଅନୁଷ୍ଠାନରେ ସୁନୀତା ରହିଥିବା ବେଳେ ଜଗନ୍ନାଥ ନିକେତନରେ ରହୁଛନ୍ତି ଗଣେଶ । କେବଳ ଏହି ଦୁଇଜଣ ନୁହନ୍ତି,ଜିଲ୍ଲାର ୫ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ସେମାନଙ୍କ ପରି ଆଉ ୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିବା ନିଶ୍ଚିତ ଭାବରେ ଏକ ଚର୍ଚ୍ଚ।ର ବିଷୟ । ଜାଣି ଆଶ୍ଚର୍ଯ୍ୟ ହେବେ କି, ଏଇ ପିଲାମାନେ କରୋନା ମହାମାରୀ ସମୟରେ ନିଜର ଅଭିଭାବକଙ୍କୁ ହରାଇଛନ୍ତି । ପରେ ପ୍ରଶାସନ ତାଙ୍କୁ ଉଦ୍ଧାର କରାଯିବା ପରେ ଶିଶୁ ଯତ୍ନ ଗୃହରେ ରଖି ପାଠ ପଢାଯାଇଥିଲା । ଆଉ ଏବେ ସଫଳତା ପାଇଛନ୍ତି ଏହି ପିଲାମାନେ ।

ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ ମହାମାରୀ ସିନା ପିଲାମାନଙ୍କଠାରୁ ବାପା ଓ ମା’ଙ୍କୁ ନେଇଗଲା । କିନ୍ତୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ଓ ମାଆର ସ୍ନେହ ମମତା, ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ହୋଇ ନିଜ ନିଜର ଭବିଷ୍ୟତ ଗଢି ତୋଳିବାରେ ଏମିତି ସାହାଯ୍ୟ କଲା ଯେ ପିଲାମାନେ ଏବେ ସଫଳ ହେଲେ । ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ବିଭନ୍ନ ଶିଶୁ ଯତ୍ନ ଗୃହରେ ରହୁଥିବା ୨୦ ଜଣ ଶିଶୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶତକଡା ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ଏ-୨ ରେ ସ୍ଥାନ ପାଇଥିବା ବେଳେ ୧୦ ଜଣ ଶିଶୁ ଶତକଡା ୭୫ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି B-1ରେ ସ୍ଥାନ ପାଇଛନ୍ତି ।

ତେବେ ପିଲାମାନଙ୍କ ଏହି ସଫଳତା କଥା ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡା ଶିଶୁ ଯତ୍ନ ଏବଂ ଜଗନ୍ନାଥ ନିକେତନ ଅନୁଷ୍ଠାନକୁ ଯାଇ ଖୁସିର ମୁହୁର୍ତ୍ତକୁ ପିଲାଙ୍କ ସହ କଟାଇଥିଲେ ଏବଂ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ଅନେକ ସମୟରେ ଆମେ ଦେଖିଛନ୍ତି ପିଲାଙ୍କୁ ସବୁ ପ୍ରକାର ସୁବିଧା ମିଳିବା ପରେ ବି ସେମାନେ ଭଲ ପାଠ ପଢୁନାହାନ୍ତି । ହେଲେ ଏହି ପିଲାମାନେ ନିଜ ବାପା-ମାଆଙ୍କୁ ହରାଇ ଯେମିତି ସଫଳତା ପାଇଲେ ତାହା ନିଶ୍ଚୟ ସମାଜ ପାଇଁ ପ୍ରେରଣା ।

(ପାରଳାଖେମୁଣ୍ଡିରୁ ଆଦର୍ଶ ଦାସଙ୍କ ରିପୋର୍ଟ)