• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତ୍ୟେକ ଦିନ ପ୍ରାୟ ସମସ୍ତଙ୍କ ଘରକୁ କ୍ଷୀର ଆସିଥାଏ । ୬୦-୭୦ ଟଙ୍କାରେ କୌଣସି ବି ଦୋକାନରେ ସହଜରେ ଉପଲବ୍ଧ ହୋଇଥାଏ କ୍ଷୀର । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କ୍ଷୀର ବିଷୟରେ କହିବୁ, ଯାହା ସବୁଠାରୁ ମହଙ୍ଗା । ଯାହାର ଦାମ୍‌ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ଆପଣ ସେହି କ୍ଷୀର କିଣିବା ପୂର୍ବରୁ ୧୦୦ ଥର ଭାବିବେ ।

ଆପଣ କେବେ ଚିନ୍ତା କରିଛନ୍ତି କି କୌଣସି ଏକ ପଶୁର କ୍ଷୀର ସବୁଠାରୁ ମହଙ୍ଗା ହୋଇଥିବ ? ଯାହାକୁ ସାଧାରଣ ଲୋକ କିଣିବା କଷ୍ଟକର । ଅନେକ ଲୋକଙ୍କ ଏହି ପ୍ରଶ୍ନର ଉତ୍ତର ନଥିବ । କିନ୍ତୁ ଆମ ଚାରିପାଖରେ ବାସ କରୁଥିବା ଏକ ପଶୁର କ୍ଷୀରର ଲିଟର ପିଛା ଦାମ୍‌ ଶହେ କି ଦୁଇ ଶହ ନୁହେଁ ବରଂ ହଜାର ହଜାର ଟଙ୍କାରେ ବିକ୍ରି ହୁଏ । ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏହାର ବହୁତ ଚାହିଦା ଅଛି।

ଆସନ୍ତୁ ଜାଣିବା ଏହି କ୍ଷୀର କାହିଁକି ମହଙ୍ଗା ?

ତେବେ ଆପଣ ଜାଣି ରଖନ୍ତୁ ଯେ ସାରା ବିଶ୍ୱରେ ଗଧୀ ଦୁଗ୍ଧ ସବୁଠାରୁ ମହଙ୍ଗା ହୋଇଥାଏ । ଭାରତରେ ଏହାର ଲିଟର ପିଛା ମୂଲ୍ୟ ୭ରୁ ୮ ହଜାର ଟଙ୍କାରେ ବିକ୍ରି ହୁଏ । ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏହା ୧୬୦ ଡଲାର ଅର୍ଥାତ୍ ଲିଟର ପିଛା ପ୍ରାୟ ୧୩ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ଆପଣ ଏବେ ଭାବୁଥିବା ଗଧୀର କ୍ଷୀରରେ ଏମିତି କ’ଣ ରହିଛି ଯେ ତାହା ଏତେ ଟଙ୍କାରେ ବିକ୍ରି ହେଉଛି ।

ତେବେ ଜାଣିରଖନ୍ତୁ ଯେ ଏହି କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି କ୍ଷୀରରେ ଏମିତି କିଛି ପ୍ରୋଟିନ୍ ରହିଥାଏ, ଯାହା ସେହି ଲୋକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ, ଯେଉଁମାନେ ଗାଈ-ମଇଁଷି କ୍ଷୀର ହଜମ କରିପାରନ୍ତି ନାହିଁ । ଏହି କ୍ଷୀରରେ ପ୍ରୋଟିନ୍ ଏବଂ ଫ୍ୟାଟ୍‌ର ପରିମାଣ କମ୍ ଥିବାବେଳେ ଲାକ୍ଟୋଜର ପରିମାଣ ବହୁତ ଅଧିକ ରହିଥାଏ । ଔଷଧ ଏବଂ ପ୍ରସାଧନ ସାମଗ୍ରୀ ତିଆରିରେ ଏହାର ବହୁଳ ବ୍ୟବହାର ହୋଇଥାଏ ।

ମୁମ୍ବାଇରେ ୫୦୦୦ ଟଙ୍କା

ଭାରତରେ ଗଧୀ କ୍ଷୀର ବିକ୍ରି ସାଧାରଣ ଗାଈ ମଇଁଷି କିମ୍ବା ଛେଳି ବିକ୍ରି ଭଳି ହୋଇନଥାଏ । କିନ୍ତୁ ଆମେରିକା ଏବଂ ୟୁରୋପରେ ଏହା ସାଧାରଣ କ୍ଷୀର ପରି ବିକ୍ରି ହୁଏ । ସ୍ଥାନ ଓ ଉପଲବ୍ଧତା ଦୃଷ୍ଟିରୁ ଏହି କ୍ଷୀରର ଦାମ ଭିନ୍ନ ଭିନ୍ନ ହୋଇଥାଏ । ଗଧୀର କ୍ଷୀର ଖୁବ୍‌ ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ଏହା ବି ଏକ କାରଣ, କ୍ଷୀରର ମୂଲ୍ୟ ବୃଦ୍ଧି ନେଇ । ସଧାରଣ କ୍ଷୀର ଭଳି ଯଦି ଏହା ଫାଟିଯାଏ ବା ନଷ୍ଟ ହୋଇଯାଏ, ତେବେ ସେଥିରୁ ପନୀର କିମ୍ବା ଛେନା ମଧ୍ୟ ପ୍ରସ୍ତୁତ ହୋଇପାରି ନଥାଏ । ମିଡିଆ ରିପୋର୍ଟ ଅନୁଯାୟୀ ମୁମ୍ବାଇରେ ଏହି କ୍ଷୀରର ମୂଲ୍ୟ ଲିଟର ପିଛା ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି କ୍ଷୀର ବିକ୍ରି ପାଇଁ କିଛି ଅନଲାଇନ୍ ପୋର୍ଟାଲ ମଧ୍ୟ ରହିଛି । ଯେଉଁଠାରେ ଏହା ଲିଟର ପିଛା ୩୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ।