• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଚୀନ, ପାକିସ୍ତାନ, ତାଲିବାନ ନିଜ ପଡୋଶୀଙ୍କୁ ଠାରୁ ଭାରତ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ସଂପର୍କରେ ସାରା ବିଶ୍ୱକୁ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ନିଜ ୩ ଦିନିଆ ଆମେରିକା ଗସ୍ତ ଅବସରରେ ଆମେରିକା ସହ ସଂପର୍କ ବୃଦ୍ଧି ନେଇ ସେ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କ୍ୱାଡ୍ ବୈଠକରେ ଚୀନର ଦମନମୂଳକ ନୀତି, ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନର ଆତଙ୍କବାଦୀ ଲିଙ୍କ୍ ଓ ତାଲିବାନର କାବୁଲ୍ କବ୍‌ଜା ପରେ ଆଫଗାନିସ୍ତାନର ରାଜନୈତିକ ସ୍ଥିତି ସଂପର୍କରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ ଭାରତ ପାଇଁ କେତେ ଲାଭଦାୟକ ହେବ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

୩ ଦିନିଆ ଆମେରିକା ଗସ୍ତ ସାରି ଫେରିବା ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ । ଗସ୍ତର ସଫଳତାକୁ ନେଇ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଲାଗି ଏହି ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ମୋଦିଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଭିନ୍ନ ଦିଗରୁ ଦେଶ ପାଇଁ ବେଶ ଲାଭପ୍ରଦ ହେବ ବୋଲି ଆଶା କରାଯାଉଛି । 

ଜାତିସଂଘ ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀ ଚୀନ-ପାକିସ୍ତାନ ଅସାଧୁୁ ମେଣ୍ଟ ଓ ଆଫଗାନିସ୍ତାନର ରାଜନୈତିକ ସ୍ଥିତି ପ୍ରସଙ୍ଗ ଉଠାଇବା ସହ ବିଶ୍ୱ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜର ମୁକାବିଲା ଲାଗି ଜାତିସଂଘକୁ ଅଧିକ କ୍ରିୟାଶୀଳ ହେବାକୁ ଆହ୍ବାନ ଜଣାଇଥିଲେ । ଇଣ୍ଡୋ-ପାସିଫିକ୍‌ର ସ୍ୱତନ୍ତ୍ରତା ବଜାୟ ରଖିବା ସହ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ରକ୍ଷାରେ କ୍ୱାଡ୍ ପ୍ରମୁଖ ଭୂମିକା ନେଇପାରିବ ବୋଲି ମୋଦି କହିଥିଲେ । ଅନ୍ତର୍ଜାତୀୟ ବ୍ୟାପାରରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଚାହୁଁଥିବା ମୋଦି ସ୍ପଷ୍ଟ ସିଗ୍ନାଲ ଦେଇଛନ୍ତି । ତାସହିତ ଚୀନ୍, ପାକିସ୍ତାନ ଓ ତାଲିବାନ ପ୍ରତି ନୂଆଦିଲ୍ଲୀ କି ଆଭିମୁଖ୍ୟ ରଖେ ତାହା ମଧ୍ୟ ଜଣାଇ ଦେଇଛନ୍ତି ।

ରାଷ୍ଟ୍ରପତି ଜୋ-ବାଇଡେନ୍ ଓ ଉପ ରାଷ୍ଟ୍ରପତି କମ୍‌ଲା ହାରିସଙ୍କ ସହ ମୋଦିଙ୍କ ଦ୍ୱିପାକ୍ଷିକ ଆଲୋଚନା ଆଗାମୀ ଦିନରେ ଭାରତ-ଆମେରିକା ଷ୍ଟ୍ରାଟେଜିକ୍ ରିଲେସନକୁ ଅଧିକ ମଜଭୂତ କରିବ । ପ୍ରତିରକ୍ଷା, ଅର୍ଥନୀତି ଓ ବାଣିଜ୍ୟ, ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ବିଶ୍ୱର ଦୁଇ ବୃହତ ଗଣତନ୍ତ୍ର ରାଜି ହୋଇଛନ୍ତି । ଭାରତ-ଆମେରିକା ମଧ୍ୟରେ ଦୃଢ଼ ସଂପର୍କ ଦ୍ୱାରା ସାରା ବିଶ୍ୱ ଉପକୃତ ହେବ ବୋଲି କହିଛନ୍ତି ବାଇଡେନ୍ । ବିଶ୍ୱ ରାଜନୀତିରେ ଆମେରିକା, ଭାରତକୁ ପାର୍ଟନର କରିବାକୁ ଚାହୁଁଥିବା ବାଇଡେନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି । ଏପଟେ ଆମେରିକା ସହ ନିବିଡ଼ତା ବୃଦ୍ଧି ଭାରତ ପ୍ରତି ଚୀନ୍‌ର ଉଗ୍ର ଆଚରଣକୁ ଚେକ୍‌ମେଟ୍‌ ଦେବ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସବୁ ଦୃଷ୍ଟିରୁ ଅତ୍ୟନ୍ତ ଫଳପ୍ରଦ ହୋଇଥିବା କହିଛନ୍ତି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ।

କେବଳ ଆର୍ଥିକ କିମ୍ବା ରାଜନୈତିକ ସଂପର୍କ ନୁହେଁ ମୋଦିଙ୍କ ଗସ୍ତ ଭାରତ-ଆମେରିକା ସାଂସ୍କୃତିକ ଓ ସାମାଜିକ ସଂପର୍କ କ୍ଷେତ୍ରରେ ବି ନୂଆ ଅଧ୍ୟାୟ ସୃଷ୍ଟି କରିବ । ଆମେରିକା ମୋଦିଙ୍କୁ ଫେରାଇ ଦେଇଥିବା ୧୫୭ଟି ପୁରାତନ ଓ ଐତିହାସିକ କଳାକୃର୍ତ୍ତି ଏହି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଅନ୍ୟପକ୍ଷରେ ଆମେରିକା ରହଣୀ କାଳରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିନ୍ଦେ ସୁଗାଙ୍କ ସହ ଆଲୋଚନା, ଏହି ଦୁଇ ଦେଶଙ୍କ ସହ ଭାରତର  ସଂପର୍କଙ୍କୁ ଅଧିକ ମଜଭୂତ କରିବା ଆଶା ରହିଛି ।